
ଗଞ୍ଜାମ ଓ ମୟୂରଭଞ୍ଜରେ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର କେନ୍ଦ୍ର ଦାବି
ଭୂବନେଶ୍ୱର,୨୬/୧୧(ଜିଲ୍ଲା ଖବର) : ଘୁମୁସର ମାଟିର ଝିଅଙ୍କୁ ମିଳିଲା ଦେଶର ପ୍ରଥମ ନାଗରିକଙ୍କୁ ଭେଟିବାର ସୁଯୋଗ। ରାଜଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ମହିଳାଙ୍କ ବିକାଶ ଓ ଜୀବିକା ନିର୍ବାହ ନେଇ ଆଲୋଚନା କରିଛନ୍ତି ଗଞ୍ଜାମ ଜିଲ୍ଲାର ଜୟନ୍ତୀ ପଢ଼ିଆରୀ। ଅବହେଳିତ ଓ ନିଷ୍ପେଷିତ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ ସହ ସେମାନଙ୍କ ସାମାଜିକ ମର୍ଯ୍ୟାଦା ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ। ଆସନ୍ତୁ ଦେଖିବା ଏହି ରିପୋର୍ଟ।
ଗଞ୍ଜାମ ଜିଲ୍ଲା ଘୁମୁସର ଅଞ୍ଚଳର ବାଲିପଦରର ଝିଅ ଏବଂ ବୁଗୁଡ଼ା ବ୍ଲକ ଆଦିପୁର ଗ୍ରାମର ବୋହୂ ଜୟନ୍ତୀ ପଢ଼ିଆରୀ। ପୂର୍ବତନ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଜୟନ୍ତୀ ଓଡ଼ିଶା ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନଠାରେ ସାକ୍ଷାତ କରିଛନ୍ତି।

ଏହି ସାକ୍ଷାତ ସମୟରେ ରାଜ୍ୟର ଅବହେଳିତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ମହିଳାଙ୍କ ଜୀବିକା ନିର୍ବାହ, ଆର୍ଥିକ ସ୍ୱାବଲମ୍ବନ ଏବଂ ସାମାଜିକ ସ୍ଥିତିରେ ଉନ୍ନତି ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ।
ବିଶେଷକରି ମହିଳାମାନେ ଯେପରି ନିଜର ଦକ୍ଷତା ଓ ଉତ୍ପାଦକୁ ନେଇ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିପାରିବେ, ସେଥିପାଇଁ ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କମନ୍ ଫାସିଲିଟେସନ୍ ସେଣ୍ଟର ବା ସାଧାରଣ ସୁବିଧା କେନ୍ଦ୍ର ସ୍ଥାପନ କରିବାକୁ ସେ ଅନୁରୋଧ କରିଥିଲେ।
ଏହି କେନ୍ଦ୍ର ମାଧ୍ୟମରେ ମହିଳାଙ୍କୁ ଆବଶ୍ୟକ ତାଲିମ, ଉତ୍ପାଦ ପ୍ରସ୍ତୁତି ଓ ବଜାର ସଂଯୋଗ ଭଳି ସୁବିଧା ମିଳିପାରିବା ସହ ସେମାନେ ଆର୍ଥିକ ଭାବେ ସଶକ୍ତ ହୋଇପାରିବେ ବୋଲି ନିଜର ମତ ରଖିଥିଲେ ଜୟନ୍ତୀ।
ରାଷ୍ଟ୍ରପତିଙ୍କ ସହ ମହିଳାଙ୍କ ବିକାଶ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର ସୁଯୋଗ ପାଇ ଜୟନ୍ତୀ ଖୁସିବ୍ୟକ୍ତ କରିଛନ୍ତି। ଏହି ସାକ୍ଷାତକୁ ନେଇ ଘୁମୁସର ଅଞ୍ଚଳରେ ମଧ୍ୟ ଆନନ୍ଦ ଓ ଗର୍ବର ମାହୋଲ ସୃଷ୍ଟି ହୋଇଛି।


