Saturday, October 24, 2026
Home ଜିଲ୍ଲା ଗଞ୍ଜାମ ସାମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି: ଅଧିକାରୀଙ୍କ ଛୁଟି ବାତିଲ, ୨୯ ତାରିଖ ପର୍ଯ୍ୟନ୍ତ...

ସାମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି: ଅଧିକାରୀଙ୍କ ଛୁଟି ବାତିଲ, ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

1

ବ୍ରହ୍ମପୁର: ଆଇଏମ୍‌ଡି (IMD)ର ସାମ୍ପ୍ରତିକ ବୁଲେଟିନ୍ ଅନୁଯାୟୀ, ଶନିବାର ସକାଳ ୫:୩୦ ସମୟରେ ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ର (Well-marked Low Pressure Area) ସୃଷ୍ଟି ହୋଇଛି । ଏହା ଆଜି (ଅକ୍ଟୋବର ୨୪) ସନ୍ଧ୍ୟା ସୁଦ୍ଧା ଏକ ଅବପାତ (Depression) ଏବଂ ଆସନ୍ତାକାଲି (ଅକ୍ଟୋବର ୨୫) ସୁଦ୍ଧା ଏକ ଗଭୀର ଅବପାତ (Deep Depression) ରୂପେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଥିବା ସୂଚନା ମିଳିଥିବା ବେଳେ ଏହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ ଓ ବିଭାଗୀୟ ସମନ୍ୱୟ ରକ୍ଷା ପାଇଁ ଜିଲ୍ଲାର ସମ୍ପୃକ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ଲକ୍‌ରେ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଆୟୋଜନ କରି ସ୍ଥାନୀୟ ପରିସ୍ଥିତି ଓ ଆବଶ୍ୟକତା ଅନୁଯାୟୀ ମୁକାବିଲା ଯୋଜନା ପ୍ରସ୍ତୁତ କରିବା ସହ ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ଓ ତାରି ପ୍ରଭାବରେ ହେବାକୁ ରହିଥିବା ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବାକୁ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟରେ ଧନ ଜୀବନ ଠାରୁ ଆରମ୍ଭ କରି ଗୃହପାଳିତ ପଶୁ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସାଧାରଣ ସମ୍ପତ୍ତିର କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେଇଛି ।


ପାଣିପାଗ ବିଭାଗର ବର୍ତ୍ତମାନର ଆକଳନ ଅନୁଯାୟୀ, ଆସନ୍ତା ୨୬ ତାରିଖ ସନ୍ଧ୍ୟା ଠାରୁ ବର୍ଷା ଆରମ୍ଭ ହୋଇ ୨୭, ୨୮ ଓ ୨୯ ତାରିଖରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପ୍ରଭାବ, ଝଡ଼ ପବନ, ଭୂସ୍ଖଳନ ଆଶଙ୍କା ରହିଥିବା ବେଳେ ଜିଲ୍ଲାର କଳିଙ୍ଗଘାଟି ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ସ୍ଥିତି, ଜଳ ନିଷ୍କାସନ, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଏବଂ ଜରୁରୀକାଳୀନ ସେବାର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।


ସମ୍ଭାବ୍ୟ ଜଳବନ୍ଦୀ ପରିସ୍ଥିତିକୁ ଏଡ଼ାଇବା ପାଇଁ ଜିଲ୍ଲାର ଜଳଭଣ୍ଡାର ଡ୍ୟାମ୍‌ ଗୁଡ଼ିକର ଜଳସ୍ତର ଓ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖିବାକୁ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପୂର୍ବ ବର୍ଷା ସମୟରେ ବ୍ରହ୍ମପୁର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ଜଳବନ୍ଦୀ ସୃଷ୍ଟି ହୋଇଥିବା ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ଡ୍ରେନ୍ ଓ ଜଳ ନିଷ୍କାସନ ପଥ ସଫା କରିବା ସହ ଆବଶ୍ୟକ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି ।



ଗଞ୍ଜାମ ଜିଲ୍ଲାରେ ୧୧୦ଟି ସ୍ଥାୟୀ ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ସହ ୧,୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଏହି ଅବସରରେ ପ୍ରସ୍ତୁତ କରି ରଖାଯିବାକୁ କୁହାଯାଇଛି । ଏହି ଆଶ୍ରୟସ୍ଥଳୀ ଗୁଡ଼ିକରେ ଏକକାଳୀନ ପ୍ରାୟ ୧ ଲକ୍ଷ ୫୦ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ରଖାଯାଇପାରିବ । ଆବଶ୍ୟକ ସ୍ଥଳେ ଉପକୂଳବର୍ତ୍ତୀ ଓ ତଳିଆ ଅଞ୍ଚଳର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା, ଆଶ୍ରୟସ୍ଥଳୀରେ ଖାଦ୍ୟ ଓ ପାନୀୟ ଜଳ ମହଜୁଦ ରଖିବା, ଚିକିତ୍ସା ସେବା, ବିଦ୍ୟୁତ୍ ଯୋଗାଣ ଓ ଯୋଗାଯୋଗ ବ୍ୟବସ୍ଥା ସଚଳ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଛନ୍ତି । ଜରୁରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୯ଟି ଓଡ୍ରାଫ୍ ଟିମ୍ ଓ ୨ଟି ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି ।



ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏପରିକି ସମୁଦ୍ରରେ ରହିଥିବା ମତ୍ସ୍ୟଜୀବୀ ମାନେ ତୁରନ୍ତ ତଟକୁ ଫେରିଆସିବା ସହ ପାଣିପାଗ ବିଭାଗର ସତର୍କ ସୂଚନା ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ପାଣିପାଗ ବିଭାଗର ପରାମର୍ଶ ଅନୁଯାୟୀ ଫସଲର ସୁରକ୍ଷା, ଅମଳ ଓ ସଂରକ୍ଷଣ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।