lନୀଳଚକ୍ରରେ ଉଡୁଥିବା ଏହି ପତିତପାବନ ବାନାର ଜନ୍ମ କାହାଣୀ ମଧ୍ୟ ଏକ ରହସ୍ୟମୟ

55

ଯାଜପୁର ବିରଜା କ୍ଷେତ୍ରର ଅଳ୍ପ ଦୂରରେ ବିଷ୍ଣୁପୁର ନାମକ ଏକ ବ୍ରାହ୍ମଣ ଶାସନ ଥାଏ। ଏହି ଗ୍ରାମରେ ଗୋଟିଏ ଗରିବ ବ୍ରାହ୍ମଣଟିଏ ବାସ କରୁଥାନ୍ତି। ନାମ ତାଙ୍କର ବିଷ୍ଣୁଶର୍ମା ଏବଂ ତାଙ୍କ ଧର୍ମପତ୍ନୀଙ୍କ ନାମ ବିଷ୍ଣୁପ୍ରିୟା। ଭିକ୍ଷା କରି ଚଳୁଥିବା ଏହି ବ୍ରାହ୍ମଣ ଦମ୍ପତ୍ତିଙ୍କ ସନ୍ତାନ ସନ୍ତତି ନ ଥିବାରୁ ମନରେ ଭାରି ଦୁଃଖ ଥାଏ। ଦିଅଁ ଦେବତା ପୂଜିଲେ ମଧ୍ୟ କିଛି ଫଳ ମିଳୁନଥାଏ।

ଦିନେ ବ୍ରାହ୍ମଣୀ ବିଷ୍ଣୁପ୍ରିୟା ନିଜ କପାଳକୁ ନିନ୍ଦା କରି ରାଗରେ ଘରେ ପୂଜା କରୁଥିବା ଶିବ ପାର୍ବତୀଙ୍କ ଯୁଗଳ ମୁର୍ତ୍ତିକୁ ନେଇ ବୈତରଣୀ ନଦୀକୁ ଫିଙ୍ଗିଦେଲା। ଏକ ମୁହାଁ ହୋଇ ଘରକୁ ଫେରିବା ବେଳେ ଦାଣ୍ତ ଓଳଉଥିବା ଏକ ହାଡିଆଣୀ ସେଇ ବ୍ରାହ୍ମଣୀ ବିଷ୍ଣୁପ୍ରିୟାକୁ ଦେଖି କଟୁଭାଷାରେ ଗାଳି ଦେଇ କହିଲା ଆଲୋ ମା’ ବିରଜା, ଆଜି କି ବେଳାରେ ରାତି ପାହିଥିଲା କେଜାଣି, ସକାଳୁ ସକାଳୁ ଆଣ୍ଠୁକୁଡି ବ୍ରାହ୍ମଣୀର ମୁହଁଟା ଦେଖିଲି, ଆଜି ମୋର କି ଅମଙ୍ଗଳ ହେବ କେଜାଣି ? ମୋ ଗେରସ୍ତକୁ ଭଲରେ ରଖିବୁ ଲୋ ମା’। ମୁଁ ତୋତେ ଆଠକୋଡି ଚମ୍ପାଫୁଲ ଦେବି। ଏହିପରି ହାଡିଆଣୀ ଠାରୁ ବହୁତ ଗାଳି ଶୁଣି ମନ ଦୁଃଖରେ ନିଜ ଭାଗ୍ୟକୁ ନିନ୍ଦା କଲା ବ୍ରାହ୍ମଣୀ। ନିଜ କୂଳ ପୁରୋହିତଙ୍କ ପରାମର୍ଶରେ ସେ ଅଖିଆ ଅଧିଆ ଅପିଆ ପଡିଲା ମା’ ବିରଜାଙ୍କ ପାଖରେ। ମା’ ବିରଜା ଅମାବାସ୍ୟା ଦିନ ସ୍ୱପ୍ନାଦେଶରେ କହିଲେ ଏଥର ନିଶ୍ଚୟ ତୋର ମନସ୍କାମନା ପୂରଣ ହେବ। ରାତ୍ରିର ଶେଷ ଭାଗରେ ଏକ ଜ୍ୟୋତି ଆସି ବ୍ରାହ୍ମଣୀ ଗର୍ଭରେ ପ୍ରବେଶ କଲା। ଖୁସି ମନରେ ବ୍ରାହ୍ମଣୀ ଘରକୁ ଫେରିଲା ଓ ଏହା ମଧ୍ୟରେ କିଛି ଦିନ ଅତିକ୍ରାନ୍ତ ହେଲା ପରେ ଆନନ୍ଦିତା ବ୍ରାହ୍ମଣୀ ମୂଳାନକ୍ଷତ୍ର ଯୁକ୍ତ ଅମାବାସ୍ୟା ତିଥିରେ ଏକ ଅଶୁଭ ବେଳାରେ ସୁନ୍ଦରି କନ୍ୟା ସନ୍ତାନ ଟିଏ ଜନ୍ମ ଦେଲା।

ଗଣକ କନ୍ୟାଟିର ନାମ ରଖିଲେ ମଳୟାବତୀ। ଉଆଁସରେ ଜନ୍ମ ହୋଇଥିବାରୁ ତାକୁ ସମସ୍ତେ ଉଆଁସୀ ବୋଲି ଡାକୁଥାନ୍ତି। କ୍ରମେ ଶିଶୁ କନ୍ୟାଟି ଯୁବତୀରେ ପରିଣତ ହେଲା। ବିବାହ ବୟସ ଉପନୀତ ହୁଅନ୍ତେ ବରଖୋଜା ଚାଲିଲା। ବରଟିଏ ଯୋଗାଡ କରିନପାରି ବାପା ମା ବଡ ଦୁଶ୍ଚିନ୍ତାରେ ଥାଆନ୍ତି।ଯୋଗକୁ ପୁରୁଷୋତ୍ତମ କ୍ଷେତ୍ରସ୍ଥ ଦୋଳମଣ୍ତପ ସାହିର ହରିହର ମିଶ୍ର ଓ ତାଙ୍କ ପତ୍ନୀ ସୁମତି ଦେବୀ ବିରଜାଙ୍କ ଦର୍ଶନ କରିବାକୁ ଆସିଥାନ୍ତି। ସେଠାରେ ସେମାନେ ଉଆଁସୀର ରୂପକୁ ଦେଖି ମୁଗ୍ଧ ହେଲେ। ନିଜ ପୁଅ ମାଧବ ପାଇଁ ବୋହୂ ଭାବେ ଗ୍ରହଣ କରିବେ ବୋଲି ବିଷ୍ଣୁଶର୍ମାଙ୍କୁ ପ୍ରସ୍ତାବ ଦେଲେ।

ସର୍ବ ମଙ୍ଗଳ ଜଗନ୍ନାଥ ଙ୍କୁ ଏହି କଥା ସ୍ମରଣ କରି ଇନ୍ଦ୍ରାଦି ଦଶଦିଗପାଳଙ୍କୁ ସାକ୍ଷୀ ରଖି ଝିଅକୁ ଶାଶୁ ଘରକୁ ପଠାଇଲେ ବିଷ୍ଣୁଶର୍ମା ! କିନ୍ତୁ ନିୟତିର ନୀତି ଭିନ୍ନ। ମଧୁଶଯ୍ୟା ରାତିରେ କାଳସର୍ପ ଦଂଶନରେ ମାଧବ ମିଶ୍ରଙ୍କ ମୃତ୍ୟୁ ହେଲା। ଜ୍ୱାଇଁଙ୍କ ମୃତ୍ୟୁ ଖବରରେ ବାପା ମା ଶେଷ ନିଶ୍ୱାସ ତ୍ୟାଗ କଲେ। ତେଣେ ଶାଶୁଘର ଲୋକ ତାକୁ ଅଲକ୍ଷଣୀ ବୋଲି କହି ମାଡ ମାରି ଘରୁ ତଡିଦେଲେ। କର୍ମକୁ ଆଦରି ଝିଅଟି ତାର ଗାଁକୁ ଫେରିଗଲା। ଗାଁରେ ବହୁତ ଦୁଃଖରେ ଦିନ କାଟିବାକୁ ଲାଗିଲା। ବିପଦ ଏକା ଆସେ ନାହିଁ ଭାଇ, ବନ୍ଧୁକୁଟୁମ୍ବକୁ ନେଇ ଆସେ। ଦୂର୍ଯୋଗକୁ ଦିନେ ଘୋର ଅନ୍ଧକାର ରାତ୍ରିର ସୁଯୋଗରେ କଳାମଚମଚ ଏକ କୁତ୍ସିତ ଚଣ୍ତାଳଟିଏ ଉଆଁସୀର ସୁନ୍ଦର ଲୋଭିଳ ଚେହେରାକୁ ଉପୋଭଗ କରି କ୍ଷଣିକ ମଧ୍ୟରେ ତାକୁ ସର୍ବସ୍ୱାନ୍ତ କରିଦେଲା। ହେଲେ ଉଆଁସୀ ସେହି ଚଣ୍ତାଳ ଦ୍ୱାରା ପ୍ରତାରଣା ହୋଇ କିଛି ଦିନ ପରେ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲା। ପୁଅଟି ବଡ ହେଲାପରେ ନିଜର ପିତୃତ୍ୱର ପରିଚୟ ମାଗନ୍ତେ ଉଆଁସୀ ଅତି ଦୁଃଖରେ ଭାଙ୍ଗିପଡି ଶୋଇଥିବା ଅବସ୍ଥାରେ ପୁଅକୁ ଛାଡି ପୁରୀ ପଳାଇ ଆସିଥିଲା। ଶ୍ରୀକ୍ଷେତ୍ରରେ ଆସି ଶ୍ରୀମନ୍ଦିର ସମ୍ମୁଖରେ ବସି ମହାପ୍ରଭୁଙ୍କୁ ନିଜର ଦୁଃଖ ଜଣାଇ କପାଳକୁ ନିନ୍ଦା କରିବାରେ ଲାଗିଲା ଉଆଁସୀ। ଏଣେ ପିଲାଟି ନିଦରୁ ଉଠି ମାକୁ ନପାଇ କାନ୍ଦିବାରେ ଲାଗିଥାଏ। ଦେବର୍ଷି ନାରଦ ସେଇ ବାଟ ଦେଇ ଯିବା ସମୟରେ ପିଲାଟି କାନ୍ଦିବାର କାରଣ ବୁଝିବା ପରେ କହିଲେ, ତୋର ମା ପୁରୁଷୋତ୍ତମ କ୍ଷେତ୍ରରେ ଅଛି। ତୋର ବାପା ନାଁ ହେଉଛି ଚଣ୍ତାଳ ପବନା, ଆଉ ତୋ ନାଁ ହେଉଛି ପତିତ ବୋଲି ତାକୁ କହିଥିଲେ। ଆଉ ତୁ ଯାହା ଜାଣିବାକୁ ଚାହୁଁଚୁ ତାର ଉତ୍ତର ଶ୍ରୀକ୍ଷେତ୍ରରେ କାଳିଆ ଠାକୁର ଦେଇପାରନ୍ତି। ଏହା କହି ନାରଦ ଅନ୍ତର୍ଦ୍ଧାନ ହୋଇଗଲେ। ପିଲାଟି ଶ୍ରୀକ୍ଷେତ୍ର ଅଭିମୁଖେ ଚାଲିଲା। ଶ୍ରୀକ୍ଷେତ୍ରରେ ପହଞ୍ଚିଲା ବେଳକୁ ଆଷାଢ ଶୁକ୍ଲ ଦ୍ୱିତୀୟାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚାଲିଥାଏ। ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଥାଏ ପରିବେଶ। ଏହି ସମୟରେ ଅତି ମଳିନ ବେଶରେ ପତିତ ସିଂହଦ୍ୱାର ଡେଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲା। ଲୋକ ଗହଳି ଭିତରେ ପଣ୍ତା ପଢିଆରୀ, ଶ୍ରୀମନ୍ଦିରର ଅନ୍ୟ ସେବକ ଓ ଘଣ୍ଟୁଆ ମାନେ ପିଲାଟିକୁ ମାଡ ମାରି ମନ୍ଦିରରୁ ବାହାର କରିଦେଲେ। ପିଲାଟି ସିଂହଦ୍ୱାର ରେ ବସି ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲା। ଏହି ସମୟରେ ସେ ଦେଖିଲା ଶ୍ରୀମନ୍ଦିରର ଚୂଡାରେ ଥିବା ନୀଳଚକ୍ର ନିକଟରୁ ଚତୁର୍ଭୁଜ ବିଶିଷ୍ଟ କେହି ଜଣେ ହାତ ବଢାଇ ତାକୁ ଡାକୁଛନ୍ତି।

ଆରେ ଧନ ଆ… ମୋ କୋଳକୁ ଆ.., ତୋ ପାଇଁ ମୁଁ ଅନେକ ଦିନ ଧରି ଏଠାରେ ଅପେକ୍ଷା କରିଛି। ମୋ କୋଳ ପରା ଖାଲି ପଡିଛି। ତୋତେ ମହାପ୍ରସାଦ ଖୁଆଇ ପବିତ୍ର କରିଦେବି। ମୁଁ ପରା ତୋ ଜନ୍ମଦାତା। ପତିତ ଦେଖିଲା କି ଭୁବନ ମୋହନ ରୂପ, କି ମନଭୁଲା ଚାହାଣୀ। ସେହି ଆହ୍ୱାନରେ ସେ ମେଘନାଦ ପାଚେରୀ ଉପରେ ଚଢି ଭିତର ବେଢାକୁ ଡେଇଁ ପଡିଲା। ଡେଇଁ ପଡିବା ମାତ୍ରେ ତଳେ ପଡିଯାଇ ରକ୍ତ ଜୁଡୁବୁଡୁ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲା। ମନ୍ଦିରରେ ଏପରି ଅଘଟଣ ଦେଖି ସେବକ ମାନେ ମନ୍ଦିର ସଂସ୍କାର କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ପାଇଲେ। ଏକ ଉଜ୍ଜଳ ଲାଲ୍ ଆଲୋକ ପିଲାଟି ଶରୀରରୁ ଯାଇ ନୀଳଚକ୍ରରେ ଶୋଭା ପାଇବାକୁ ଲାଗିଲା।ତାହା ଥିଲା ଏକ ଲାଲ୍ ରଙ୍ଗର ପତାକା।

ଏହି ଦୃଶ୍ୟ ଦୂରରୁ ଥାଇ ଉଆଁସୀ (ମଳୟାବତୀ) ଦେଖିଥିଲା ନିଜ ଆଖି ଆଗରେ ସନ୍ତାନର ଏପରି ଦୁର୍ଦ୍ଦଶା ଦେଖି କାନ୍ଦି ମୁଣ୍ତ ବାଡେଇ କହିଲା ହେ ମହାପ୍ରଭୁ ମୁଁ ତୁମର କି ଦୋଷ କରିଥିଲି ଯେ ଶେଷରେ ମୋର ଏକୋଇର ବଳା ବିଶିକେଶନକୁ ମୋରି ଆଗରେ ମାରିଦେଲ। ପତିତପାବନ ହରି କହିଲେ ବିଧିର ବିଧାନ କେ କରିବ ଆନ, ହେ ଉଆଁସୀ ଆଜିଠାରୁ ତୋର ପୁଅ ପତିତ ଆଉ ତୋର ସ୍ଵାମୀ ଅଛବ ଚଣ୍ତାଳ ପବନାକୁ ମୁଁ ମୋର ଶ୍ରୀମନ୍ଦିର ଚୁଡାରେ ଯୁଗ ଯୁଗ ପାଇଁ ସ୍ଥାନ ଦେଲି। ଯାବଚ୍ଚନ୍ଦ୍ରାର୍କମେଦିନୀ ! ଏ ପିତାପୁତ୍ର ଦୁହେଁ ମୋର ନୀଳଚକ୍ରରେ ପତିତପାବନ ବାନା ଭାବେ ଶୋଭା ପାଉଥିବେ। ମୋର ଅନନ୍ତ ନାମ ମଧ୍ୟରୁ ପତିତପାବନ ମଧ୍ୟ ଏକ ନାମ ହେବ। ପାପି ତପୀ ମୋତେ ଦର୍ଶନ କରି ପାପମୁକ୍ତ ହେବେ।

ଏପରି କଥା ସୁଣି ଉଆଁସି କହିଲା ହେ ପ୍ରଭୋ। ଯଦି ଏହି ଅଲକ୍ଷଣୀ ପତିତ ପାଖରେ ଏପରି ଶ୍ରଦ୍ଧା ତେବେ ମୋତେ ଏ ପତିତା ଜନ୍ମରୁ ଉଦ୍ଧାର କରନ୍ତୁ। ମହାପ୍ରଭୁ ବଞ୍ଚାକଳ୍ପତରୁ , ଉଆଁସୀର ମନଭୀଷ୍ଟ କରିବାକୁ ଯାଇ କହିଲେ ମୁ ତୋତେ ରୋହିଣୀ ନକ୍ଷତ୍ରଯୁକ୍ତ ପବିତ୍ର ଅକ୍ଷୟତୃତୀୟା ତିଥିରେ ବିବାହ କରି ପତିତ ଜନ୍ମରୁ ଉଦ୍ଧାର କରିବି। ଆଉ କେହି କେହି କୁହନ୍ତି ମହାପ୍ରଭୁ ବଉଳ ଆମାବାସ୍ୟା ଦିନ ଶ୍ରୀମନ୍ଦିରରେ ପତିତାଙ୍କୁ ବିବାହ କରିଥିଲେ। ପୁନଃ କେତେକ ଗବେଷକ କୁହନ୍ତି ମହାପ୍ରଭୁ ମାଉସୀ ମା ମନ୍ଦିର ନିକଟରେ ଉଆଁସୀକୁ ବିବାହ କରିଥିଲେ। ସେ ଯାହା ହେଉ ପତିତା ଉଆଁସୀ ମହାପ୍ରଭୁଙ୍କ କରୁଣାରୁ ଉଦ୍ଧାର ପାଇଲା ଓ ଯୁଗ ଯୁଗକୁ ପତିତପାବନ ନାମ ପ୍ରଚାରିତ ହେବାକୁ ଲାଗ ଜୟ ଜଗନ୍ନାଥ