
ଭୁବନେଶ୍ୱର : ପ୍ରମୁଖ ଓଡିଆ ଦୈନିକ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଆପଣମାନଙ୍କ ଗହଣରେ ଉପସ୍ଥିତ ହୋଇ ମୁଁ ଖୁବ ଆନନ୍ଦିତ । ସର୍ବପ୍ରଥମେ, ଏହି ସ୍ମରଣୀୟ ମୁହୂର୍ତ୍ତରେ ‘ସମାଜ’ ପରିବାରକୁ ମୁଁ ହୃଦୟରୁ ଅଭିନନ୍ଦନ ଜ୍ଞାପନ କରିବାକୁ ଚାହୁଁଛି । ଶହେ ବର୍ଷ ପୂରଣ କରିବା ଯେକୌଣସି ଅନୁଷ୍ଠାନର ଜୟଯାତ୍ରାରେ ଏକ ବିଶେଷ ସଫଳତାର ମାଇଲଖୁଂଟ । ଉତ୍କୃଷ୍ଟ ସାମ୍ବାଦିକତା, ନିରପେକ୍ଷ ଖବର ପରିବେଷଣ ଏବଂ ସର୍ବୋପରି ଓଡ଼ିଶାର ଲୋକମାନଙ୍କ ମଧ୍ୟରେ ଆପଣଙ୍କ ଲୋକପ୍ରିୟତାର ଏହା ଏକ ପ୍ରକୃଷ୍ଠ ଉଦାହରଣ । ମୁଁ ଜାଣିବାକୁ ପାଇଛି ୧୯୧୯ ମସିହାରେ ପୁରୀ ଜିଲ୍ଲାର ସତ୍ୟବାଦୀରୁ ଏକ ସାପ୍ତାହିକ ସମ୍ବାଦପତ୍ର ଭାବେ ‘ସମାଜ’ ଜନ୍ମ ନେଇଥିଲା । ଓଡ଼ିଶାର ଲୋକମାନଙ୍କୁ ସୂଚନା ପ୍ରଦାନ କରିବା, ଶିକ୍ଷିତ କରିବା ଓ ସଶକ୍ତ କରିବା ତଥା ରାଜ୍ୟ ଓ ଦେଶର ବିକାଶରେ ବାହକ ସାଜିବାର ଲକ୍ଷ୍ୟ ନେଇ ଏହାର ଆରମ୍ଭ କରାଯାଇଥିଲା । ମୁଁ ଆନନ୍ଦର ସହିତ କହିବାକୁ ଚାହେଁ ଯେ ଶହେ ବର୍ଷ ପୂର୍ବେ ଏହା ଆରମ୍ଭ ହେବା ଦିନଠାରୁ ‘ସମାଜ’ ଓଡ଼ିଶାରେ ସାମ୍ବାଦିକତା, ବୌଦ୍ଧିକତା ଓ ସମାଜସେବାର ଜୀବନଧାରା ହୋଇଆସିଛି । ମୁଁ ଜାଣିଛି ଯେ ‘ସମାଜ’ ଓଡିଆ ଭାଷାରେ ସ୍ୱର୍ଣ୍ଣିମ ମାନକ ପ୍ରତିଷ୍ଠା କରିଛି ଏବଂ ଏହା ସବୁବେଳେ ରାଜ୍ୟର ଭାଷାପ୍ରେମୀଙ୍କୁ ପାଠକୀୟ ଆନନ୍ଦ ଦେଇଛି । ‘ଓଡିଆ’ ଭାଷାରେ ଦକ୍ଷତା ହାସଲ ଲାଗି ବୟସ୍କ ଲୋକମାନେ ସେମାନଙ୍କ ପିଲାମାନଙ୍କୁ ‘ସମାଜ’ ପଢ଼ିବା ଲାଗି ପରାମର୍ଶ ଦେଇଥାନ୍ତି । ଜନସାଧାରଣଙ୍କ ପ୍ରତି ନିଜର ସାମ୍ବାଦିକତାକୁ ସମର୍ପି ଦେବା ଏବଂ ଗରିବ ଓ ବଂଚିତଙ୍କ ସେବାରେ ନିୟୋଜିତ ହେବା ଲାଗି ମୁଁ ‘ସମାଜ’କୁ ପ୍ରଶଂସା କରୁଛି । ମୁଁ ଏହା ମଧ୍ୟ ଜାଣି ଆନନ୍ଦିତ ଯେ ଏହି ଅନୁଷ୍ଠାନ ନିଜ ରାଜସ୍ୱର ଅଧିକାଂଶ ଭାଗ ଦୁର୍ବିପାକ ପ୍ରପିଡ଼ିତ ଜନସାଧାରଣଙ୍କ କଲ୍ୟାଣରେ ବିନିଯୋଗ କରିଥାଏ । ଏହା ବାସ୍ତବରେ ଏକ ଅନୁକରଣଯୋଗ୍ୟ କାର୍ୟ୍ୟ । ‘ସମାଜ’ର ମହାନ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଜଣେ ଆଦର୍ଶ ଶିକ୍ଷକ, ନବଜାଗରଣକାରୀ କବି, ଦକ୍ଷ ଲେଖକ, ପ୍ରତିଷ୍ଠିତ ସାମ୍ବାଦିକ, ନିଃସ୍ୱାର୍ଥପର ସମାଜସେବୀ, ବାଗ୍ମୀ ବିଧାୟକ, ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସର୍ବୋପରି ଗାନ୍ଧୀଙ୍କ ଆଦର୍ଶ ଓ ନୈତିକ ମୂଲ୍ୟବୋଧର ଜଣେ ମହାନ ସମର୍ଥକ ଥିଲେ । ସେ ଜଣେ ସମର୍ପିତ ଶିକ୍ଷାବିତ ଥିଲେ । ସେ ଲଗାତାର ସବୁ ନାଗରିକମାନଙ୍କୁ ନିଜ ‘ମୌଳିକ କର୍ତ୍ତବ୍ୟ’ ପୂରଣ କରିବାର ଆବଶ୍ୟକତା ବିଷୟରେ କହି ଆସୁଥିଲେ । ମୁଁ ଖୁସିର ସହ ଏହା ଉଲ୍ଲେଖ କରିବାକୁ ଚାହେଁ ଯେ ସେ ପ୍ରାଚୀନ ଭାରତୀୟ ଦର୍ଶନ ‘ବସୁଧୈବ କୁଟୁମ୍ବକମ’ ଦର୍ଶନରେ ବିଶ୍ୱାସ କରୁଥିଲେ ଏବଂ ଦେଶବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଥିଲେ । ଗୋପବନ୍ଧୁ ଦାସଙ୍କ ଉପରେ ଡ. ସୁଭାଷ ଚନ୍ଦ୍ର ମିଶ୍ରଙ୍କ ଦ୍ୱାରା ରଚିତ ପୁସ୍ତକୁ ଉନ୍ମୋଚନ କରି ଆଜି ମୁଁ ଆନନ୍ଦିତ । ମୋର ଆଶା ଯେ ଏହି ପୁସ୍ତକ ମହାପୁରୁଷଙ୍କ ଜୀବନକାହାଣୀକୁ ଯୁବପିଢ଼ିଙ୍କ ନିକଟରେ ପହଁଚାଇବ ଓ ସେମାନଙ୍କ ପାଇଁ ପ୍ରେରଣାଦାୟୀ ହେବ । ଦୂରଦ୍ରଷ୍ଟା ପ୍ରତିଷ୍ଠାତାଙ୍କ ଦ୍ୱାରା ପ୍ରତିଷ୍ଠିତ ନୈତିକ ମୂଲ୍ୟବୋଧ ଏବଂ ଆଦର୍ଶର ଦୃଢ଼ ମୂଳଦୁଆ ଉପରେ ଉତ୍କୃଷ୍ଟ ସାମ୍ବାଦିକତାର ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରିବା ଲାଗି ମୁଁ ‘ସମାଜ’କୁ ପ୍ରଶଂସା କରୁଛି । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ ହିକ୍କିଙ୍କ ଦ୍ୱାରା ଭାରତର ପ୍ରଥମ ସମ୍ବାଦପତ୍ର ‘ବେଙ୍ଗଲ ଗେଜେଟ’ ପ୍ରକାଶ ପାଇଥିଲା । ସେବେଠାରୁ ଭାରତରେ ସମ୍ବାଦପତ୍ରର ଦୀର୍ଘ ଏବଂ ଗୌରବଶାଳୀ ଇତିହାସ ରହିଆସିଛି । ବ୍ରିଟିଶ ଶାସନରୁ ମୁକ୍ତି ପାଇବା ଲାଗି ସଂଘର୍ଷ ଆରମ୍ଭ ହେବା ସମୟରେ ସମ୍ବାଦପତ୍ର ଜନଗଣଙ୍କୁ ଅନୁପ୍ରାଣିତ କରିବା ଏବଂ ସେମାନଙ୍କ ଆଶାଆକାଂକ୍ଷାକୁ ସ୍ୱର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା । ସ୍ୱାଧୀନତାର ମହାନ ଲକ୍ଷ୍ୟ ହାସଲ ପାଇଁ ସଂଘର୍ଷ କରିବା ଲାଗି ବିଭିନ୍ନ କ୍ଷେତ୍ରର ଲୋକମାନଙ୍କୁ ଏକଜୁଟ କରିବାରେ ଏହା ମହାନ ଏକୀକରଣର ସୂତ୍ରଧର ସାଜିଥିଲା । ବ୍ରିଟିଶ ଶାସନର ନାଲି ଆଖି ସମ୍ବାଦପତ୍ରକୁ ପ୍ରଭାବିତ କରିପାରିନଥିଲା । କେବଳ ଜରୁରିକାଳନୀ ପରିସ୍ଥିତିର କଳା ଦିନଗୁଡ଼ିକୁ ଛାଡ଼ିଦେଲେ, ସ୍ୱାଧୀନତା ପରଠାରୁ ଭାରତୀୟ ଗଣମାଧ୍ୟମର ଏହି ନିର୍ଭିକତା ବଜାୟ ରଖି ଆସିଛି । ଆଜି ଭାରତର ସକ୍ରିୟ ଗଣମାଧ୍ୟମ ହଜାର ହଜାର ପତ୍ରପତ୍ରିକା ଓ ସମ୍ବାଦପତ୍ର, ଶତାଧିକ ଟିଭି ଚ୍ୟାନେଲ ଓ ଶହ ଶହ ରେଡିଓ ଷ୍ଟେସନ ଦ୍ୱାରା ସମୃଦ୍ଧ ହୋଇଛି । ନିଶ୍ଚିତ ଭାବେ, ଆପଣ ସମସ୍ତଙ୍କ ନିକଟରେ ସାମାଜିକ ଗଣମାଧ୍ୟମ ରହିଛି, ଯାହା ଡିଜିଟାଲ ଯୁଗରେ ସୂଚନାର ପ୍ରମୁଖ ବାହକ ସାଜିଛି । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଗଣତନ୍ତ୍ର ହେଉଛି ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କର ସରକାର । ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଲାଗି ଏହା ସବୁ ନାଗରିକମାନଙ୍କୁ ସମାନ ସୁଯୋଗ ଦେଇଥାଏ । ଏହା ମଧ୍ୟ ନାଗରିକମାନଙ୍କୁ କେତେକ ଅବିଚ୍ଛେଦ୍ୟ ଅଧିକାର ଏବଂ ସ୍ୱାଧୀନତା ଦେଇଛି । ପ୍ରଶାସନିକ ପ୍ରକ୍ରିୟାରେ ବ୍ୟାପକ ଅଂଶଗ୍ରହଣ ରହିଲେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ସଫଳ ହୋଇଥାଏ । ନାଗରିକମାନେ ଭଲ ଭାବେ ସୂଚିତ ଏବଂ ଶିକ୍ଷିତ ହୋଇଥିଲେ ଏହି ଅଂଶଗ୍ରହଣ ଅଧିକ ଫଳପ୍ରଦ ହୋଇଥାଏ । ଏକ ଗଣତାନ୍ତ୍ରିକ ସମାଜରେ ସୂଚନାର ଉପଲବ୍ଧତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ନାଗରିକଙ୍କୁ ଅଧିକ ଉତ୍ତରଦାୟୀ କରିଥାଏ, ସେମାନେ ଅଜ୍ଞତା ଓ ଭୁଲସୂଚନା ଦ୍ୱାରା କାର୍ୟ୍ୟ କରିବା ବଦଳରେ ସୂଚିତ ହେବାର ବିକଳ୍ପ ପାଇଥାନ୍ତି । ତେଣୁ ସୂଚନାର ଏକ ବିଶ୍ୱସନୀୟ ଉତ୍ସ ଏକ ଗଣତାନ୍ତ୍ରିକ ସମାଜର ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଏହିଠାରେ ହିଁ ଗଣମାଧ୍ୟମର ଭୂମିକା ଓ ଗୁରୁତ୍ୱ ରହିଛି । ଗଣମାଧ୍ୟମ ଜନସାଧାରଣଙ୍କୁ ସୂଚିତ, ଶିକ୍ଷିତ ଓ ସଚେତନ କରିବା ଆବଶ୍ୟକ । ଜନମତ ସୃଷ୍ଟି କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଜନସାଧାରଣଙ୍କୁ ସଶକ୍ତ କରିବା ଉଚିତ ଏବଂ ପ୍ରଶାସନିକ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାରେ ସହାୟକ ହେବା ଉଚିତ । ଏହା ଜନସାଧାରଣଙ୍କ ସ୍ୱରକୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ ଏବଂ ଏହାକୁ ନୀତିନିର୍ଦ୍ଧାରକଙ୍କ ନିକଟରେ ପହଁଚାଇବା ଆବଶ୍ୟକ । ଗଣତନ୍ତ୍ରରେ ଉତ୍ତମ ପ୍ରଶାସନ ସୁନିଶ୍ଚିତ କରିବା ଦିଗରେ ମଧ୍ୟ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ପ୍ରଶାସନିକ କାର୍ୟ୍ୟକଳାପ, ବିଶେଷ କରି ବିକେନ୍ଦ୍ରୀକରଣ, ଦୁର୍ନୀତି ନିବାରଣ ଓ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ନାଗରିକଙ୍କ ଭାଗିଦାରୀ କ୍ଷେତ୍ରରେ ଗଣମାଧ୍ୟମର ସହାୟତା ଫଳପ୍ରଦ ହୋଇଥାଏ । ସ୍ୱଚ୍ଛ ପ୍ରକ୍ରିୟାରେ ସମ୍ପାଦିତ ହେଉଥିବା ମୁକ୍ତ ଏବଂ ଅବାଧ ନିର୍ବାଚନ ସମୟରେ ଗଣମାଧ୍ୟମର ଆବଶ୍ୟକତା ରହିଥାଏ, ଯାହା ପ୍ରାର୍ଥୀଙ୍କୁ ନିରପେକ୍ଷ ଲୋକସମ୍ପର୍କ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସମୟୋପଯୋଗୀ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଆଧାରିତ ଖବର ପରିବେଷଣର ସୁବିଧା ପ୍ରଦାନ କରିଥାଏ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ତ୍ରୁଟିବିଚ୍ୟୁତିକୁ ମଧ୍ୟ ଗଣମାଧ୍ୟମ ଜାଗ୍ରତ କରିବା ଆବଶ୍ୟକ, ଯାହା ଶେଷରେ ଅଭାବ ଓ ତ୍ରୁଟିକୁ ଦୂର କରିବାରେ ସରକାରଙ୍କୁ ସହାୟକ ହୋଇଥାଏ, ଫଳରେ ବ୍ୟବସ୍ଥା ଅଧିକ ଉତ୍ତରଦାୟୀ, ଦାୟିତ୍ୱସମ୍ପନ୍ନ ଏବଂ ନାଗରିକ କୈନ୍ଦ୍ରିକ ହୋଇଥାଏ ।ଗଣମାଧ୍ୟମ ବିନା ଗଣତନ୍ତ୍ର ଚକ ନଥିବା ବାହନ ଭଳି । ଏକ ମୁକ୍ତ ଏବଂ ସ୍ୱଚ୍ଛ ଗଣମାଧ୍ୟମ କେବଳ ଏକ ସୁସ୍ଥ ଗଣତନ୍ତ୍ରର ଅଂଶବିଶେଷ ନୁହେଁ ବରଂ ଏକ ଅପରିହାର୍ୟ୍ୟ ଆବଶ୍ୟକତା । ଗଣମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରାଯାଇଥାଏ-ଏପରି ଏକ ସ୍ତମ୍ଭ ଯାହା ଗଣତନ୍ତ୍ରକୁ ସହାୟତା କରିଥାଏ, ପରିପୃଷ୍ଟ କରିଥାଏ ଓ ସମୃଦ୍ଧ କରିଥାଏ ତଥା ଯେତେବେଳେ ଆବଶ୍ୟକ ଏଥିରେ ସଂଶୋଧନ ଆଣିବାରେ ସହାୟକ ହୋଇଥାଏ । ଯଦିଓ ଆମ ସମ୍ବିଧାନର ମୌଳିକ ଅଧିକାରରେ ଗଣମାଧ୍ୟମର ସ୍ୱାଧୀନତାକୁ ମାନ୍ୟତା ଦିଆଯାଇନାହିଁ- ତଥାପି ସାମ୍ବିଧାନିକ ସଭା ଏହା ଉପରେ ବ୍ୟାପକ ବିତର୍କ କରିବା ପରେ ଗଣମାଧ୍ୟମ ସ୍ୱାଧୀନତାକୁ ସମ୍ବିଧାନ ପ୍ରଦତ ଅଭିବ୍ୟକ୍ତିର ମୌଳିକ ଅଧିକାରର ଏକ ସମ୍ପ୍ରସାରିତ ସ୍ୱରୂପ ଭାବେ ବିବେଚନା କରିବା ଲାଗି ସହମତି ହୋଇଥିଲା । ଏହାପରେ, ସୁପ୍ରିମକୋର୍ଟଙ୍କ କେତେକ ଆଦେଶ ଏହି ମାନ୍ୟତାକୁ ବୈଧତା ପ୍ରଦାନ କରିଥିଲା । ମହାତ୍ମା ଗାନ୍ଧୀ ଏକଦା କହିଥିଲେ, “ଗଣମାଧ୍ୟମ ସ୍ୱାଧୀନତା ଏକ ମୂଲ୍ୟବାନ ସ୍ୱତନ୍ତ୍ରାଧିକାର ଯାହାକୁ କୌଣସି ରାଷ୍ଟ୍ର ଅଣଦେଖା କରିପାରିବେ ନାହିଁ ।” ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଗଣମାଧ୍ୟମ ଏକ ଜାତୀୟ ସମ୍ପତ୍ତି ଯାହାକୁ ସାମ୍ବାଦିକମାନେ ଜନସାଧାରଣଙ୍କ ବିଶ୍ୱାସରେ ଉପଯୋଗ କରିଥାନ୍ତି । ମହାତ୍ମା ଗାନ୍ଧୀ ଥରେ କହିଥିଲେ ଯେ ସାମ୍ବାଦିକଙ୍କ କର୍ତ୍ତବ୍ୟ ହେଉଛି ଦେଶର ବାସ୍ତବ ଜନମତକୁ ସାହସିକତା ସହିତ ସ୍ୱର ପ୍ରଦାନ କରିବା । ଏହି ଗୁରୁଦାୟିତ୍ୱକୁ ଧ୍ୟାନରେ ରଖି ଗଣମାଧ୍ୟମ ସର୍ବଦା ସଚ୍ଚୋଟ ଓ ସତ୍ୟବାଦୀ ରହିବା ଆବଶ୍ୟକ । ଜନସାଧାରଣଙ୍କ କଲ୍ୟାଣ ଓ ଦେଶର ପ୍ରଗତିକୁ ନିଜ କାର୍ୟ୍ୟପ୍ରକ୍ରିୟାର କେନ୍ଦ୍ରରେ ରଖି ଅଧିକ ସଂଯମ ଓ ଉତ୍ତରଦାୟିତ୍ୱର ସହ କାର୍ୟ୍ୟ କରିବା ଉଚିତ । ସାମ୍ବାଦିକତା ଏକ ମିଶନ । ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ ଯେ ସାମ୍ବାଦିକତାର ଲକ୍ଷ୍ୟ କେବଳ ସାମାଜିକ ସେବା ହେବା ଆବଶ୍ୟକ । ଟିଆରପି, ପ୍ରସାରଣ ସଂଖ୍ୟା ଏବଂ ବଟମ ଲାଇନ, ଯଦିଓ ଗୁରୁତ୍ୱପୂର୍ଣ୍ଣ, ଏହା ଆପଣଙ୍କ ମାର୍ଗରେ ଆଧିପତ୍ୟ ବିସ୍ତାର କରିବା ଅନୁଚିତ । ଗଣମାଧ୍ୟମ ଚାଂଚଲ୍ୟକର ଖବର ପ୍ରସାରଣର ସ୍ୱଭାବକୁ ତ୍ୟାଗ କରି ସାବଧାନତାପୂର୍ବକ ଲଗାତାର ଭାବେ ତଥ୍ୟ ଆଧାରିତ ଖବର ପରିବେଷଣ କରିବା ଉଚିତ ଏବଂ ଖବର ଓ ବିଚାରର ମିଶ୍ରଣ ଠାରୁ ଦୂରେଇ ରହିବା ଆବଶ୍ୟକ । ବଦ୍ଧମୂଳକ ଧାରଣା ଠାରୁ ଦୂରରେ ରହି ଯୁବକ, ମହିଳା, କୃଷକ ଓ ଉଦ୍ୟୋଗୀଙ୍କ ଆଶାଆକାଂକ୍ଷାକୁ ସ୍ୱର ଦେବା ଉଚିତ । ଗଣମାଧ୍ୟମ ସମାଜର ନୈତିକ ମାର୍ଗଦର୍ଶକ ଏବଂ ବିବେକ ସାଜିବା ସହିତ ସବୁ ସାମାଜିକ କଳୁଷତାକୁ ଦୂର କରିବା ଦିଗରେ ସକ୍ରିୟ ଭାବେ କାର୍ୟ୍ୟ କରିବା ଉଚିତ । ଆପଣମାନେ ସ୍ୱରହୀନ ଲୋକଙ୍କ ସ୍ୱର ଓ ଅସହାୟଙ୍କ ସହାୟକ ହେବା ହେବା ଉଚିତ । ଗଣମାଧ୍ୟମ ପରିବର୍ତ୍ତନର ବାହକ ସାଜିବା ଉଚିତ । ସକାରାତ୍ମକ କାହାଣୀ ଏବଂ ଶ୍ରେଷ୍ଠ ପ୍ରଚଳନକୁ ଆଗକୁ ଆଣି ସବୁଆଡ଼େ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଦାରିଦ୍ର୍ୟ ଠାରୁ ଆରମ୍ଭ କରି ରୋଗ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଆମ ସମୟର ଜଟିଳ ସମସ୍ୟା ସମାଧାନ କରିବା ଦିଗରେ ଗଣମାଧ୍ୟମ ଗଠନମୂଳକ ଭୂମିକା ନିର୍ବାହ କରିବା ଉଚିତ । ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବାରେ ଭାରତୀୟ ଗଣମାଧ୍ୟମର ପ୍ରଶଂସନୀୟ ଭୂମିକାକୁ ବିଶ୍ୱ ଦେଖିସାରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଭାରତକୁ ଖୋଲା ଶୌଚ ମୁକ୍ତ ଭାବେ ଘୋଷଣା କରିଛନ୍ତି । ଗଣମାଧ୍ୟମ ଏହି ଉପଲବ୍ଧିର ଅଧିକାଂଶ ଶ୍ରେୟ ପାଇବାକୁ ହକଦାର । ‘ଫିଟ ଇଣ୍ଡିଆ’ ଭଳି ଏପରି କେତେକ ଅଭିଯାନକୁ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ଗଣମାଧ୍ୟମ ଗ୍ରହଣ କରିବା ଆବଶ୍ୟକ ଓ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ଉଚିତ । ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଭାଷାର ସୁରକ୍ଷା, ସଂରକ୍ଷଣ ଏବଂ ପ୍ରୋତ୍ସାହନ ଦିଗରେ ମଧ୍ୟ ଗଣମାଧ୍ୟମ ଦାୟିତ୍ୱ ନିର୍ବାହ କରିବା ଉଚିତ । ଆମେ ଦ୍ରୁତଗତିରେ ପ୍ରସାର ଲାଭ କରୁଥିବା ସାମାଜିକ ଗଣମାଧ୍ୟମର ଯୁଗରେ ରହୁଛୁ, ଏଥିରୁ ହିଁ ମିଛ ଖବର ପ୍ରସାରିତ ହୋଇଥାଏ । ମିଛ ଖବରର ଏହି ବୃଦ୍ଧି ପାଉଥିବା ବିପଦ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛି । ଏଭଳି ପରିସ୍ଥିତିରେ, ଆପଣ ଖବରର ସତ୍ୟତା ସାମ୍ନାକୁ ଆଣି ପ୍ରଭାବୀ ଢଙ୍ଗରେ ମିଛ ଖବରର ମୁକାବିଲା ଓ ପର୍ଦ୍ଦାଫାଶ କରିପାରିବେ । ଏପରି ମିଛ ଖବର ଉପରେ ଅଙ୍କୁଶ ଲଗାଇବା ପାଇଁ ଆପଣମାନେ ସୃଜନଶୀଳ ସମାଧାନ ଖୋଜିବା ଆବଶ୍ୟକ । ଆପଣମାନେ ସମାନ ଉତ୍ସାହର ସହ ଅର୍ଥ ବଦଳରେ ଖବର ପରିବେଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରୟାସ କରିବା ଉଚିତ । ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଯଦିଓ ଆମେ ବୈଦ୍ୟୁତିକ ଏବଂ ଡିଜିଟାଲ ଗଣମାଧ୍ୟମର ଯୁଗରେ ରହୁଛୁ, ତଥାପି ଭାରତରେ ଏବେ ସୁଦ୍ଧା ଛାପା ଗଣମାଧ୍ୟମର ଗୁରୁତ୍ୱ ରହିଛି । ଏକ ଆକଳନ ଅନୁଯାୟୀ, ୨୦୧୮ରେ ଛାପା ଗଣମାଧ୍ୟମର ରାଜସ୍ୱ ୫.୬% ବୃଦ୍ଧି ପାଇଛି । ପରବର୍ତ୍ତୀ ବର୍ଷ ଅଭିବୃଦ୍ଧିର ହାର ମଧ୍ୟ ସକାରାତ୍ମକ ରହିଛି । ମୋର ଆଶା ଯେ ଭାରତରେ ଅଧିକରୁ ଅଧିକ ଆଂଚଳିକ ସମ୍ବାଦପତ୍ର ପ୍ରକାଶ ପାଇବ । ଏଗୁଡ଼ିକ ଆଂଚଳିକ ଭାଷାକୁ ପ୍ରୋତ୍ସାହନ ଦେବା ସହିତ ଗ୍ରାମାଂଚଳ ସମୃଦ୍ଧିର ବାହକ ହେବେ । ଆଂଚଳିକ ସମ୍ବାଦପତ୍ରଗୁଡ଼ିକ ସ୍ଥାନୀୟ ଆଶାଆକାଂକ୍ଷାକୁ ପ୍ରତିଫଳିତ କରିବା ସହିତ ଜନସାଧାରଣଙ୍କ ଅଧିକ ନିକଟତର ହୋଇଥାନ୍ତି । ବିବେକପୂର୍ଣ୍ଣ, ଦ୍ରୁତ ଏବଂ ସତ୍ୟ ଖବର ପରିବେଷଣ ମାଧ୍ୟମରେ ଆପଣମାନେ ବାସ୍ତବରେ ଭାରତର ଗ୍ରାମୀଣ ପରିଦୃଶ୍ୟକୁ ବଦଳାଇପାରିବେ । ସ୍ଥାନୀୟ ସମୁଦାୟର ସକାରାତ୍ମକ କାହାଣୀଗୁଡ଼ିକୁ ଅଧିକ ସଂଖ୍ୟକ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି । ଗୋଷ୍ଠୀସ୍ତରରେ ଆପଣମାନେ ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ସ୍ଥାୟୀ କୃଷି ଏବଂ ନବୋନ୍ମେଷ ଉପରେ ସକାରାତ୍ମକ କାହାଣୀ ପରିବେଷଣ କରିପାରିବେ । ଆପଣଙ୍କ ପ୍ରୟାସ ଜନସାଧାରଣଙ୍କ ଆତ୍ମବିଶ୍ୱାସ, ଗୋଷ୍ଠୀ ସଚେତନତା ବୃଦ୍ଧି କରିବ ଏବଂ ସମାବେଶୀ ଓ ନିରନ୍ତର ବିକାଶକୁ ଆଗେଇ ନେବ । ‘ସମାଜ’ ଓଡ଼ିଶାର ସମ୍ପଦ ଏବଂ ଆଗାମୀ ଦିଗରେ ଏହା ଅଧିକ ଉଚ୍ଚତର ସଫଳତା ହାସଲ କରିବ ବୋଲି ମୋର ବିଶ୍ୱାସ । ଶତବାର୍ଷିକୀ ସମାରୋହ ପାଇଁ ମୁଁ ପୁଣିଥରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଭବିଷ୍ୟତର ସଫଳତା ପାଇଁ ମୁଁ ଆପଣମାନଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହେଁ । ଧନ୍ୟବାଦ! ଜୟ ହିନ୍ଦ । (ସ୍ରୋତ-ପିଆବି)



