
ମୁନିଗୁଡା ୧୮/୫ (ଜିଲ୍ଲା ଖବର) :ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ପଂଚାୟତର ହରିଜନ ସାହିର ମାମୁ ଘରେ ଦୀର୍ଘବର୍ଷ ହେବ ରହି ଆସୁଛନ୍ତି ପିତୃମାତୃ ହୀନ ଦୁଇଭାଇ ଆଉ ଗୋଟେ ଭଉଣୀ।ଦିନେ ଏହି ତିନିଜଣଙ୍କ ବାପା ମାଆକୁ ନେଇ ହସଖୁସିର ଏକ ସୁନାର ସଂସାର ଥିଲା।ହେଲେ ଦଇବ ସହିଲା ନାହିଁ,ଜଣକ ପରେ ଜଣେ ବାପା ସୁରେଶ କୁରୁ ଓ ମା”ଟୁନିମା କୁରୁ ରୋଗବ୍ୟାଧିରେ ପଡି ଆର ପାରିକୁ ଚାଲିଗଲେ।ବଡ଼ପୁଅ ରାଜା କୁରୁ
(୨୩)ଜଣେ ଭିନ୍ନକ୍ଷମ,ବୟଷ ଅନୁସାରେ ତାର ଶରୀରର ବିକାଶ ହେଲାନାହିଁ।ସେ ସମ୍ପୂର୍ଣ ଅକ୍ଷମ ପାଲଟିଗଲା।ସରକାରଙ୍କ ତରଫରୁ ତାକୁ ଭିନ୍ନକ୍ଷମ ଭତା ଓ ହ୍ବିଲ ସାଇକେଲଟିଏ ମିଳିଛି।ମଝିଆ ଭାଇ ପିଙ୍କୁ କୁରୁ(୨୧) +୩ କଳାରେ ଅଧ୍ୟୟନରତ୍ତ।ସାନ ଭଉଣୀ ସୁନି କୁରୁ(୧୪)ଦଶମ ଶ୍ରେଣୀର ପରୀକ୍ଷା ଦେଇଛି।ଏହି ବାପମାଆ ଛେଉଣ୍ଡ ପିଲାମାନେ ଗରିବ ମାମୁ ମୁଣ୍ଡରେ ବୋଝ ସାଜିଛନ୍ତି।ବର୍ତ୍ତମାନ ଯୁଗରେ ବି ଏଭଳି ମାମୁ ଅଛନ୍ତି ଯିଏ ନିଜ ପରିବାରର ପେଟ କାଟି ଭଣଜା,ଭାଣିଜୀଙ୍କ ପେଟ ଭରିବାସହ ସେମାନଙ୍କ ସବୁ ବୋଝ ବୋହି ଚାଲିଛନ୍ତି।ଏବେ ମାମୁଙ୍କ ତେଲ ଲୁଣ ସଂସାର ଚଳିବା ବଡ ଅସମ୍ଭାଳ।ପ୍ରକାଶ ଥାଉକି ମୃତ ସୁରେଶ କୁରୁ ଆଦିବାସୀ ସମ୍ପ୍ରଦାୟର ତା ସ୍ତ୍ରୀ ମୃତ୍ତା ଟୁନିମା ହରିଜନ ସମ୍ପ୍ରଦାୟର।ପିଙ୍କୁ ଓ ସୁନି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଆଦିବାସୀ ପ୍ରମାଣପତ୍ର ପାଇଁ ସମସ୍ତ ସରକାରୀ ସାହାଯ୍ୟ ପାଉଥିଲେ।ହେଲେ ଏବେ ତହସିଲ କାର୍ଯ୍ୟାଳୟ ସେମାନଙ୍କୁ ଆଦିବାସୀ ପ୍ରମାଣ ପତ୍ର ବଦଳରେ ହରିଜନ ପ୍ରମାଣପତ୍ର ଦେଉଛନ୍ତି।କାରଣ ଏମାନେ ତିନିଜଣ ମାମୁଁଘର ହରିଜନ ପରିବାରରେ ରହୁଛନ୍ତି।କଥା ଉଠୁଛି କାହା ଘରେ କିଏ କିଛିଦିନ ରହି ଗଲେ ଅଥବା ସହଯୋଗ ପାଇଗଲେ ତା’ଜାତି,ଧର୍ମ କ’ଣ ବଦଳିଯାଏ? ଏମାନେ ସ୍ଥାନୀୟ ପଂଚାୟତ କର୍ତ୍ତୃପକ୍ଷଙ୍କୁ ଅନେକ ବାର ଦେଖାକରି ସେମାନଙ୍କ ଜାତିଗତ ସମସ୍ୟା ସହ ଘର ଢ଼ିହ ଖଣ୍ଡେ ଓ ଘରଟିଏ ପାଇଁ ଗୁହାରି କରିକରି ଥକି ଗଲେଣି ହେଲେ ଗରିବ ନିରାଶ୍ରୟଙ୍କ ଗୁହାରି କେହି ଶୁଣିବାକୁ ନାହାନ୍ତି।ଏହି ତିନି ଭାଇଭଉଣିଙ୍କୁ ଅମ୍ବାଦଳାର ଲୋକେ ଜଗା,ବଳିଆ ଆଉ ସୁଭଦ୍ରିକା କହିଥାନ୍ତି।ହେଲେ ନାଁରେ ଜଗା,ବଳିଆ ଆଜି ଭଉଣୀ ସହ ଅଭାବୀ ସଂସାରର ବଡ ଦାଣ୍ଡରେ ହାତ ପାତିବା ପରିସ୍ଥିତିକୁ ଆସି ପହଞ୍ଚି ଯାଇଛନ୍ତି।ଭଗବାନଙ୍କ ସଦୃଶ ମାମୁ ଏବେ ସମ୍ପୂର୍ଣ ନାଚାର।ଏଇ ତିନିଜଣ ଏବେ କେଉଁଠି ମୁଣ୍ଡ ଗୁଂଜିବେ।ଭିନ୍ନକ୍ଷମ ଭାଇର ଚିକିତ୍ସା, ଦୁଇ ଭାଇ ଭଉଣୀଙ୍କ ପଢ଼ାଖର୍ଚ,ସେମାନଙ୍କ ଭୋକର ଜ୍ୱାଳା ଆଜି ସେମାନଙ୍କୁ ବଡ ଦାଣ୍ଡରେ ଠିଆ କରିଦେଇଛି।ମଣିଷଟିଏ ଦିନେ ଓଳିଏ ଭୋକରେ ଗଛମୂଳେ ଶୋଇ ଯିବ ଅନ୍ୟ ଉପାୟ ନପାଇଲେ ମୂଳ ଲାଗିବ ,
ଭିନ୍ନକ୍ଷମ ଥିଲେ ଭିକ୍ଷା ବୃତ୍ତି କରିବ।କିନ୍ତୁ ରହିବା ପାଇଁ ଚାରିକାନ୍ଥ ଆଉ ଗୋଟେ ଛାତଟିଏ ତ’ ଦରକାର।ଏଭଳି ପରିବାର ଆମ ଅଂଚଳରେ ଏବେବି ଅଛନ୍ତି ଭାବିଲେ ଲଜ୍ୟାରେ ମୁଣ୍ଡ ତଳୁକୁ ହୋଇ ଯିବ।ସ୍ବାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ସାଧାରଣ ନାଗରିକଟିଏ ତାର ସର୍ବନିମ୍ନ ଆବଶ୍ୟକତା ପାଇପାରୁନାହିଁ।ଏହାଠୁ ବଳି ବିଡମ୍ବନା ଆଉ କ’ଣ ଅଛି।ଏଣୁ ଏହି ତିନି ଭାଇଭଉଣୀଙ୍କ ପାଇଁ ଅଗ୍ରାଧିକାର ବ୍ୟବସ୍ଥାରେ ଖଣ୍ଡେ ଘରଢି଼ଅ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର,ସେମାନଙ୍କ ପରିଚୟ ପ୍ରମାଣ ପତ୍ରରେ ସେମାନଙ୍କ ପିତୃକୂଳ ଆଦିବାସୀକୁ ଆଧାର କରି ମୂଳ ଆଦିବାସୀ ପ୍ରମାଣପତ୍ର ଦେବାକୁ ସେମାନେ ବିନମ୍ର ଅନୁରିଧ କରିଛନ୍ତି।ଏଥିସହ ସେମାନଙ୍କୁ ରାସନକାର୍ଡ, ଭିନ୍ନକ୍ଷମ ରାଜାର ଚିକିତ୍ସା ଓ ମେଡ଼ିସିନ ଖର୍ଚ,ଏବଂ ଆଗକୁ ପାଠପଢିବା ପାଇଁ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ବ୍ଲକ ଓ ଜିଲା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।ବଡ଼ଦାଣ୍ଡରେ ହାତ ପାତି ସରକାରଙ୍କୁ ଗୁହାରି କରିବା ଛଡା ଆମ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ଅମ୍ବାଦଳାର ଏଇ ନିରାଶ୍ରୟ ଭାଇଭଉଣୀ ଜଗା,ବଳିଆ ଆଉ ସୁଭଦ୍ରିକା ଦୁଃଖର ସହ ପ୍ରତିକ୍ରିୟା ରଖିଛନ୍ତି।
ରିପୋର୍ଟ ସନାତନ ନାୟକ


