Friday, November 13, 2026
Home ଆଞ୍ଚଳିକ କରୋନା ଓ ମଦ

କରୋନା ଓ ମଦ

59
           

କରୋନା ଆସିଲା ହଇରାଣ କଲା
ମଦ ଟୋପାଏ ମିଳୁନି
କେମିତି ବଞ୍ଚିବି ମଦବିନା ମୁହିଁ
ବୁଦ୍ଧିବାଟ ଆଉ ଦିଶୁନି |

ଖାଇବା ନହେଲେ ଚଳି ହୋଇଯାଏ
ମଦ ନ ହେଲେ ଚଳେନି
ସାଙ୍ଗମାନେ କେତେ ଚେଷ୍ଟା କରୁଛନ୍ତି
କେଉଁଠି ଲୁଚାରେ ମିଳୁନି |

ସରକାର ସବୁ ବ୍ୟବସ୍ଥା କରିଲେ
ମଦୁଆ ଦୁଃଖ ନ ବୁଝିଲେ
ମରିଯିବୁ ଆମେ ହୋଇ କଲବଲ
ଆଉ କିଛି ଦିନ ଚାଲିଲେ |

ସରକାର ଦିନେ ଦେଲେ ଅନୁମତି
ମଦ ଦୋକାନ ଖୋଲିବ
ଆନନ୍ଦେ ନାଚିଲୁ ମଦୁଆ ସମସ୍ତେ
ମଦ ଟୋପେ ଆଜି ମିଳିବ |

ଗଲି ଦୋକାନକୁ ଦାନ୍ତକୁ ନ ଘଷି
ଲମ୍ବା ଲାଇନି ଲାଗିଛି
ଦି’ ପହର ହେଲା ନମ୍ବର ଆସିଲା
ମନ ଆନନ୍ଦରେ ନାଚୁଛି |

ପିଇଦେଲି ପେଟେ ନାକାଯାଏଁ କିଣି
ସବୁ ଦୁଃଖ ଗଲା ଉଭେଇ
କରୋନାର ଭୟ ଛାଡି ଚାଲିଗଲା
ନିଶା ବଢିଗଲା ଘନେଇ |

ଘରକୁ ଫେରିଲି ଘରଣୀ ଦେଖିଲି
ଝାଡ଼ୁ ମୁଠା ଧରି ହାତରେ
ଦୁର୍ଗାରୂପେ ଠିଆ ସତେକି ମହିଷା
ବଦ୍ଧିବ କ୍ଷଣକ ମଧ୍ୟରେ |

ମାଡ ବର୍ଷା ହେଲା ନିଶା ଛାଡିଗଲା
ଦେଖିଲି ଝିଅ ପୁଅଙ୍କୁ
ଘୃଣାରେ ଚାହାଁନ୍ତି ମୁହଁକୁ ନିରେଖି
ଆସିଲେନି ମୋ ପାଖକୁ |

ଝିଅ ମୋ କହିଲା କଠୋର ଗଳାରେ
ମୁହଁଝାଡ଼ିଦେଇ ତାହାର
ଟଙ୍କା ନେଇଗଲ ମଦ ପିଇ ଦେଲ
ସଞ୍ଚି ରଖିଥିଲା, ବୋଉର |

ଦୁଇଦିନ ହେଲା ଘରେ କିଛିନାହିଁ
କିଣିବାକୁ ନାହିଁ ପଇସା
ବୋଉ କାନ୍ଦୁଥିଲା କରୋନା ପାଇଁକି
ବୁଡି ଯାଇଅଛି ବେଉସା |

ପତ୍ନୀ ମୋର କେତେ ବିକଳ ହୋଇକି
କାନ୍ଦୁଥିଲା ପିଲା ସଙ୍ଗରେ
ସ୍ତ୍ରୀ ‘କୁ କହିଲି ଆଉ ପିଇବିନି
ଶପଥ କରୁଚି ଆଗରେ |

କରୋନା ହେଲେବି ମନେରଗା କାମ
ସରକାରୀଭାବେ ହେଉଛି
ମୁହେଁ ତୁଣ୍ଡି ବାନ୍ଧି କାମକରି ଯିବି
ସତକଥା ଆଜି କହୁଛି |

ଶରତ ଚନ୍ଦ୍ର ପଣ୍ଡା, ଶିକ୍ଷକ, ଡେଂଗାଡ଼ି, ଗଂଜାମ |
ଫୋନ ନଂ 9938693319