
ନୂଆଦିଲ୍ଲୀ, ୦୮-୦୫: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଚାର୍ଲ୍ସ ମିସେଲଙ୍କ ସହିତ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।
ଦୁଇ ନେତା ଭାରତ ଏବଂ ୟୁରୋପୀୟ ସଂଘରେ ଉପୁଜିଥିବା କୋଭିଡ-୧୯ ମହାମାରୀର ପରିସ୍ଥିତି ଏବଂ ପ୍ରତିକ୍ରିୟା ଉପରେ ଆଲୋଚନା କରିଥିଲେ । ମହାମାରୀକୁ ସାମନା କରିବା ଲାଗି ଅତ୍ୟାବଶ୍ୟକ ଫାର୍ମାସ୍ୟୁଟିକାଲ ଦ୍ରବ୍ୟର ଯୋଗାଣ ନିଶ୍ଚିତ କରିବା ନେଇ ପାରସ୍ପରିକ ସହଯୋଗକୁ ସେମାନେ ପ୍ରଶଂସା କରିଥିଲେ ।
ନେତାଦ୍ୱୟ କୋଭିଡ-୧୯ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଇଥିବା ଜଟିଳ ପରିସ୍ଥିତିକୁ ପ୍ରଭାବଶାଳୀ ଢଙ୍ଗରେ ସମାଧାନ କରିବା ପାଇଁ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମନ୍ୱୟର ଗୁରୁତ୍ୱକୁ ଜରୁରି ମନେକରିଥିଲେ ।
ଭାରତ-ୟୁରୋପୀୟ ସଂଘ ମଧ୍ୟରେ ରଣନୈତିକ ଭାଗିଦାରୀକୁ ମଜବୁତ କରିବାକୁ ଉଭୟେ ସେମାନଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିଥିଲେ । ପରବର୍ତ୍ତୀ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ବୈଠକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ପ୍ରସ୍ତୁତ କରିବାକୁ ଉଭୟ ଦେଶର ଅଧିକାରୀମାନେ ମିଳିତ ଭାବେ କାର୍ୟ୍ୟ କରିବେ ବୋଲି ସହମତି ପ୍ରକାଶ କରିଥିଲେ ।
କୋଭିଡ-୧୯ ସଙ୍କଟର ମୁକାବିଲା ଲାଗି ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ ।



