Home ଆଞ୍ଚଳିକ ମୁନିଗୁଡ଼ାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତବନ୍ୟଜନ୍ତୁ ସୁରକ୍ଷା ସହ ମଣିଷ-ବନ୍ୟଜନ୍ତୁ ବିବାଦ ରୋକିବା ଉପରେ ଗୁରୁତ୍ୱ

ମୁନିଗୁଡ଼ାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତବନ୍ୟଜନ୍ତୁ ସୁରକ୍ଷା ସହ ମଣିଷ-ବନ୍ୟଜନ୍ତୁ ବିବାଦ ରୋକିବା ଉପରେ ଗୁରୁତ୍ୱ

1

ମୁନିଗୁଡ଼ା, ୧ା୧୦ : ରାୟଗଡ଼ା ବନଖଣ୍ଡ ଅନ୍ତର୍ଗତ ମୁନିଗୁଡ଼ା ବନାଞ୍ଚଳ ପକ୍ଷରୁ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମ ଆରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
ସଭାରେ ରାୟଗଡ଼ା ବନଖଣ୍ଡର ଏସିଏଫ୍ ସତୀଶ କୁମାର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ମୁନିଗୁଡ଼ା ରେଞ୍ଜ,ଦୁର୍ଗୀ ବନପାଳ ଶୁଭସ୍ମିତା ନାୟକ ଅଧିକାରୀ ପ୍ରବୀଣ ଦାଶ ସଭାପତିତ୍ୱ କରିଥିଲେ। ବନ୍ୟପ୍ରାଣୀ ଗବେଷକ ଆକାଶ ପ୍ରଧାନ ମୁଖ୍ୟ ବକ୍ତା ଏବଂ ବନ୍ୟପ୍ରାଣୀ ଗବେଷିକା ଆୟୁଷୀ ବନ୍ଦୋପାଧ୍ୟାୟ,ଗୌରାଙ୍ଗ ଚରଣ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଅମ୍ବାଦଳା ବନପାଳ ମାଝୀ ମହାପାତ୍ର,ଵିଷମକଟକ ବନପାଳ ଦୀନବନ୍ଧୁ ଶବର,ଦୁର୍ଗୀ ବନପାଳ ଶୁଭସ୍ମିତା ନାୟକ, ଅମ୍ବାଦଳା ଫରେଷ୍ଟ ଗାର୍ଡ ରବୀନ୍ଦ୍ର କୁମାର ଆଚାରି,ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ପିତାମ୍ବର ଗୌଡ଼,ସୁବାସ ପାତ୍ର ରାଜେନ୍ଦ୍ର,ହିକାବାଡ଼ି,ପ୍ରସାଦ ହିକାବାଡ଼ି,ଗୌର ପାତ୍ର ଓ ବନ ସଂରକ୍ଷଣ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।


ସଭାରେ ବନ୍ୟପ୍ରାଣୀ ଓ ଉଦ୍ଭିଦ ଜଗତ ପରିବେଶର ଭାରସାମ୍ୟ ରକ୍ଷାରେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି, ସେନେଇ ଆଲୋଚନା କରାଯାଇଥିଲା। ବିଶେଷକରି ବିପଦସଙ୍କୁଳ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସେମାନଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଥିବା ନକାରାତ୍ମକ ମନୋଭାବ ଦୂର କରିବା ଏବଂ ବନ୍ୟଜୀବ ସଂରକ୍ଷଣକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ବଢ଼ୁଥିବା ସଂଘାତକୁ କିଭଳି ହ୍ରାସ କରାଯାଇପାରିବ, ସେନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ବନ୍ୟଜନ୍ତୁଙ୍କ ଆବାସସ୍ଥଳୀ ସୁରକ୍ଷା, ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକଙ୍କୁ ସଚେତନ କରିବା ଏବଂ ବନ୍ୟପ୍ରାଣୀ ଗ୍ରାମାଞ୍ଚଳକୁ ପ୍ରବେଶ କଲେ ଭୟଭୀତ ନହୋଇ ବନ ବିଭାଗକୁ ସୂଚନା ଦେବା ଭଳି ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା।
ବନ୍ୟପ୍ରାଣୀ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ଏଥିପାଇଁ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଯୋଗ ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ବନ୍ୟଜୀବ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଶେଷରେ ବନ୍ୟପ୍ରାଣୀ ସୁରକ୍ଷା ସହ ପରିବେଶର ସୁରକ୍ଷା ଏବଂ ମଣିଷ-ବନ୍ୟଜନ୍ତୁ ସହାବସ୍ଥାନ ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ଆହ୍ବାନ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଡାଙ୍ଗସରୋଡା ଫରେଷ୍ଟ ଗାର୍ଡ ବିଶ୍ୱଜିତ ମହାରଣା ପରିଚାଳନା କରିଥିବା ବେଳେ ଚନ୍ଦ୍ରପୁର ବନ ପାଳ ରାକେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।