Wednesday, October 14, 2026
Home ଆଞ୍ଚଳିକ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳନ, ଅବସରପ୍ରାପ୍ତ ଶିକ୍ଷକଙ୍କୁ କଲେ ସମ୍ବର୍ଦ୍ଧନା

ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳନ, ଅବସରପ୍ରାପ୍ତ ଶିକ୍ଷକଙ୍କୁ କଲେ ସମ୍ବର୍ଦ୍ଧନା

53


ବୈପାରିଗୁଡା,୦୫/୦୯( ସରୋଜ କୁମାର ଲେଙ୍କା) :  କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ କାର୍ଯ୍ୟାଳୟ ପରିସରରେ ଥିବା ମିଶନଶକ୍ତି ସଭାଗୃହ ଠାରେ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ ସ୍ତରୀୟ ଗୁରୁ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ବୈପାରିଗୁଡା ବ୍ଳକରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ୧୨ଜଣ ଶିକ୍ଷକଙ୍କୁ ବ୍ଳକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଥମେ ଉପସ୍ଥିତ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶରତ ଚନ୍ଦ୍ର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସରୋଜିନୀ କାଣ୍ଡିକି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା, ବିଡ଼ିଓ ରଜନୀକାନ୍ତ ଦାସ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କନକ ମଞ୍ଜରୀ ଭତ୍ରା ଯୋଗ ଦାନ କରିଥିଲେ ।

ସେହିପରି ମୁଖ୍ୟବକ୍ତା ଭାବେ ବୈପାରିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧିର କୁମାର ରଥ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଶିକ୍ଷକ ନିଃସ୍ୱାର୍ଥପର ଭାବରେ ଗୁଣାତ୍ମକ ଶିକ୍ଷା ଦାନ କରିପାରିଲେ ସୁନ୍ଦର ଦେଶ ଗଠନ ହୋଇପାରିବ ବୋଲି ବକ୍ତାମାନେ ବକ୍ତବ୍ୟ ରଖିଥିଲେ ।ସମସ୍ତ ଶିକ୍ଷକଙ୍କ ଅବଶିଷ୍ଟ ଜୀବନ ସୁଖ ଶାନ୍ତିରେ କାଟିବା ସହ ଦୀର୍ଘାୟୁ କାମନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ମହେଶ୍ୱର ଡ଼ାକୁଆ,ପ୍ରଭାତୀ ପ୍ରଧାନ,ତ୍ରିନାଥ ପୂଜାରୀ,ଜଗନ୍ନାଥ ଦାସ,ସ୍ବର୍ଗତ ବେଣୁଧର ବିଶ୍ବାଳ,କୃଷ୍ଣଚନ୍ଦ୍ର ପାତ୍ର,ବଂଶୀଧର ରାଉତ,ପ୍ରଫୁଲ୍ଲ କୁମାର ସ୍ବାଇଁ,ଲକ୍ଷ୍ମୀଧର ଦାସ, ଅକ୍ଷୟ କୁମାର ପତି,ଲାଲମୋହନ ମିଶ୍ର,ମକରଧ୍ଵଜ ହରିଜନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଶତାଧିକ ପ୍ରାଥମିକ ଶିକ୍ଷକ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ସୁରେଶ ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ ।ସଂଘ ର ସମ୍ପାଦକ ପତି କାଣ୍ଡିକି,କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ରଙ୍କ ସହ ପ୍ରମୂଖ ସହଯୋଗ କରିଥିଲେ ।