
ବ୍ରହ୍ମପୁର,୨୧/୭ (ଜିଲ୍ଲା ଖବର): ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ଥିବା ସରକାରୀ ସେବା(ନର୍ସିଂ) ମହାବିଦ୍ୟାଳୟର ଛାତ୍ରଙ୍କୁ ଛାତ୍ରାବାସ ପ୍ରଦାନ କରାଯିବାକୁ ଦାବି ହୋଇଛି । ଏନେଇ ଛାତ୍ରମାନେ ବୁଧବାର ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ୨୦୦୯ରୁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ପୁରୁଷ ନର୍ସିଂ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଙ୍କ ପାଇଁ ଛାତ୍ରାବାସ ନିର୍ମାଣ ହୋଇଛି । ଗତ ସପ୍ତାହରେ ଏହାର ଉଦ୍ଘାଟନ ମଧ୍ୟ ସରିଛି କିନ୍ତୁ ଏଯାଏ ଛାତ୍ରାବାସରେ ରହିବାକୁ ଅନୁମତି ପ୍ରଦାନ କରାଯାଉ ନାହିଁ । ଆନ୍ଦୋଳନରତ ଛାତ୍ରମାନେ ଅଭିଯୋଗ କରିଛନ୍ତି । ସୂଚନା ପ୍ରକାରେ, ୨୦୦୯ରୁ ମହାବିଦ୍ୟାଳୟରେ ପୁରୁଷ ସେବା ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି । ବର୍ତ୍ତମାନ ଏହି ମହାବିଦ୍ୟାଳୟର ପୁରୁଷ ବେସିକ୍ ନର୍ସିଂରେ ୧୬, ପୋଷ୍ଟ ବେସିକ ନର୍ସିଂରେ ୮୭ ଏବଂ ଏମ୍ଏସ୍ସି ନର୍ସିଂ ପାଠ୍ୟକ୍ରମରେ ଜଣେ ଛାତ୍ର ଅଧ୍ୟୟନ କରୁଛନ୍ତି । ଏମାନଙ୍କ ରହିବାକୁ ଛାତ୍ରାବାସ ନିର୍ମାଣ ପାଇଁ ବହୁବାର ଦାବି ହୋଇଥିଲା । ଏହାପରେ ମହାବିଦ୍ୟାଳୟ ପରିସରରେ ଛାତ୍ରାବାସ ନିର୍ମାଣ ପାଇଁ ୨୦୧୭ ଫେବୃୟାରୀରେ ରାଜ୍ୟ ସରକାରଙ୍କ ସେବା ନିର୍ଦ୍ଦେଶାଳୟ ପକ୍ଷରୁ ଅନୁମତି ମିଳିଥିଲା । ଏବେ ୨୬୨.୨୭ ଲକ୍ଷ ଟଙ୍କା ବ୍ୟୟରେ ମହାବିଦ୍ୟାଳୟ ପରିସରରେ ୧୧ କୋଠରି ବିଶିଷ୍ଟ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ମଧ୍ୟ ସରିିଛି । ଗତ ସପ୍ତାହରେ ଏହି ଛାତ୍ରାବାସର ଉଦ୍ଘାଟନ ମଧ୍ୟ ହୋଇଛି । ତଥାପି ଏଯାଏ ରହିବାକୁ ଅନୁମତି ପ୍ରଦାନ କରାଯାଇ ନ ଥିବା ଛାତ୍ରମାନେ କହିଛନ୍ତି l



