Thursday, November 12, 2026
Home ଆଞ୍ଚଳିକ ଭାବ ମହକରେ

ଭାବ ମହକରେ

37

ପୁଳକିତ ଶୀତ ମେଘୁଆ ପ୍ରଭାତ
ଆସିଛି ଅତିଥି ହୋଇ
ଅଳସ ନୟନ ଭାଙ୍ଗି ଆନମନ
ମଳୟେ କରିଛି ବାଇ ।
ଉଷୁମ କାୟା ଯେ ଭାରି ଆତଙ୍କିତ
ଶୀତଳ ନୀର କୁ ଦେଖି
ମନ ମୁତାବକ ଉଷୁମ ପାଇଁ କି
ଚାଦରେ ରହିଛି ଲାଖି ।
ବର୍ଷା ସାଆନ୍ତାଣୀ ଗୋଟି ଗୋଟି କରି
ପଡୁଛି ଗଗନୁ ଝରି
ଦିନମଣି ସତ୍ତା ପ୍ରଭାତ ନ ପାଇ
ବିଳାପ କରୁଛି ଝୁରି ।
ବନେ ତରୁ ଲତା ଦିଶଇ ଶ୍ୟାମଳ
ଶୁଭେ ସିକ୍ତ ପକ୍ଷୀ କଥା
ବିହଙ୍ଗ ଶାବକ କ୍ଷୁଧାର ଚିତ୍କାର
କରଇ ଉଠାଇ ମଥା ।
ସାଗର ଜୁଆର ହର୍ଷ କ୍ରୀଡାମୟେ
ଉଠି ପଡଇ ଉଲ୍ଲାସେ
ପାଶ ଝାଉଁ ବନ ବର୍ଷା ବିନ୍ଦୁ ଭରି
ସ୍ୱର୍ଗ ରାଜ୍ୟ ପରି ଦିଶେ ।
ଉଷୁମ ମନରେ ଶୀତଳ ସମର
ସତେ ଲାଗେ ଭାରି ମଜା
କବି ପ୍ରାଣ ସତେ ପୁଳକିତ ହୁଏ
ଉଡଇ ଭାବନା ଧ୍ୱଜା ‌।
ୟୁ. ଚନ୍ଦ୍ରଶେଖର, ସାନ ଆର୍ଯ୍ୟପଲ୍ଲୀ, ଗଞ୍ଜାମ