
ନୂଆଦିଲ୍ଲୀ : ମୁଁ ସେପ୍ଟେମ୍ବର ୪-୫, ୨୦୧୯ରେ ରୁଷର ଭ୍ଲାଡିଭୋଷ୍ଟକ ଗସ୍ତ କରିବି । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ରୁଷର ସୁଦୂର ପୂର୍ବାଂଚଳକୁ ମୋର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ବିବିଧ ଏବଂ ସୁଦୃଢ଼ କରିବା ନେଇ ଉଭୟ ପକ୍ଷଙ୍କ ଆଗ୍ରହକୁ ଦର୍ଶାଉଛି । ମୋର ଏହି ଗସ୍ତର ଉଦ୍ଦେଶ୍ୟ ଦ୍ୱିବିଧ-ରୁଷ ରାଷ୍ଟ୍ରପତି ମି. ଭ୍ଲାଦିମିର ପୁଟିନଙ୍କ ନିମନ୍ତ୍ରଣ କ୍ରମେ ପଞ୍ଚମ ଇଷ୍ଟର୍ଣ୍ଣ ଇନୋମିକ ଫୋରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଏବଂ ତାଙ୍କ ସହିତ ୨୦ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବା । ରୁଷର ସୁଦୂର ପୂର୍ବାଂଚଳରେ ବ୍ୟବସାୟ ଏବଂ ନିବେଶ ସୁଯୋଗର ବିକାଶ ନେଇ ଏହି ମଂଚ ଧ୍ୟାନ ଦେବ ଏବଂ ଏହି ଅଂଚଳରେ ଭାରତ ଓ ରୁଷ ମଧ୍ୟରେ ପାରସ୍ପରିକ ଲାଭପ୍ରଦ ସହଯୋଗ ବୃଦ୍ଧି କରିବା ପାଇଁ ପ୍ରଚୁର ସମ୍ଭାବନା ସୃଷ୍ଟି କରିବ । ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀତା ଆଧାରରେ ଆମ ଦୁଇ ଦେଶଙ୍କ ମଧ୍ୟରେ ଚମତ୍କାର ସମ୍ପର୍କ ରହିଛି । ପ୍ରତିରକ୍ଷା, ପରମାଣୁ ଶକ୍ତି ଓ ମହାକାଶ ଆଦି କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ବ୍ୟାପକ ଭାବେ ସହଯୋଗ କରନ୍ତି ।
ଏକ ବହୁମୁଖୀ ବିଶ୍ୱ ଗଠନ କରିବା ଦିଗରେ ଦୁଇ ଦେଶ ପ୍ରତିଶୃତିବଦ୍ଧ ଏବଂ ଆଂଚଳିକ ତଥା ବହୁପାକ୍ଷିକ ମଂଚରେ ଏହି ଉଦ୍ଦେଶ୍ୟକୁ ହାସଲ କରିବା ଦିଗରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରନ୍ତି । ଆମ ଦ୍ୱିପାକ୍ଷିକ ସମ୍ପର୍କର ସାମଗ୍ରୀକ ବିସ୍ତାର ଉପରେ ଏବଂ ପାରସ୍ପରିକ ଲାଭ ଥିବା ଆଂଚଳିକ ଓ ଆନ୍ତର୍ଜାତିକ ବିଷୟ ଉପରେ ମୁଁ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା କରିବା ପାଇଁ ଆଗ୍ରହୀ । ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେଉଥିବା ବୈଶ୍ୱିକ ନେତାଙ୍କୁ ଭେଟିବା ତଥା ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ଶିଳ୍ପଦ୍ୟୋଗ ଏବଂ ବ୍ୟବସାୟିକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିବା ପାଇଁ ମୁଁ ମଧ୍ୟ ଆଗ୍ରହୀ ।
(ସ୍ରୋତ-ପିଆବି)



