Thursday, October 15, 2026
Home ଆଞ୍ଚଳିକ ଭୁବନେଶ୍ଵରଠାରେ କୋଭିଡ-୧୯ ହସ୍ପିଟାଲ ପାଇଁ ଅର୍ଥ ପ୍ରଦାନ କରିବ ଏମସିଏଲ

ଭୁବନେଶ୍ଵରଠାରେ କୋଭିଡ-୧୯ ହସ୍ପିଟାଲ ପାଇଁ ଅର୍ଥ ପ୍ରଦାନ କରିବ ଏମସିଏଲ

19
PC: Dslrnews

ନୂଆଦିଲ୍ଲୀ, ୭/୪ (ଡିଏଚ) : ଭୁବନେଶ୍ଵରରେ ଦେଶରେ ତୃତୀୟ ବୃହତ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ପାଇଁ ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ) ସମସ୍ତ ଅର୍ଥ ଯୋଗାଇଦେବ । ଏଥିରେ ରୋଗୀମାନଙ୍କର ଚିକିତ୍ସା ବାବଦ ଅର୍ଥ ମଧ୍ୟ ଅନ୍ତର୍ଭୁକ୍ତ । ଏଥିଲାଗି ଏମସିଏଲ ୭.୩୧ କୋଟି ଟଙ୍କା ଅଗ୍ରୀମ ପ୍ରଦାନ କରିଛି ।

ଓଡିଶା ରାଜ୍ୟ ପାଇଁ ଏହି ହସ୍ପିଟାଲ ଅମୂଲ୍ୟ ବରଦାନ ବୋଲି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଭିଡିଓ କନଫରେନ୍ସ ଜରିଆରେ ହସ୍ପିଟାଲର ଉଦ୍ଘାଟନୀ ଅବସରରେ ଏହା କହିଛନ୍ତି । ଏମସିଏଲ ୨୫ଟି ଆଇସିୟୁ ସମେତ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ସମସ୍ତ ଖର୍ଚ୍ଚ ବହନ କରିଛି । ଭୁବନେଶ୍ଵରଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି ହସ୍ପିଟାଲର ଉଦ୍ଘାଟନୀ କାର୍ୟ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେଇଥିଲେ ।

ଶ୍ରୀ ଯୋଶୀ କହିଛନ୍ତି ଯେ, କୋଭିଡ-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ଶତକଡା ୩୦ ଭାଗ ପର୍ୟ୍ୟନ୍ତ ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ କରିପାରିବେ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ନିୟମାବଳୀ ଜାରି କରିଛନ୍ତି । କୋଭିଡ-୧୯ର ମୁକାବିଲା ନିମନ୍ତେ କୋଇଲା ଓ ଖଣି ଉଦ୍ୟୋଗଗୁଡିକୁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ବ୍ୟକ୍ତିଗତ ଭାବେ ନିର୍ଦ୍ଦେଶ ଦେଇଥିବା ଶ୍ରୀ ଯୋଶୀ ପ୍ରକାଶ କରିଥିଲେ ।

କୋଲ ଇଣ୍ଡିଆର ଆନୁସଙ୍ଗିକ ସଂସ୍ଥାଗୁଡ଼ିକ ୮ଟି ରାଜ୍ୟରେ ୧୫୦୦ରୁ ଊର୍ଦ୍ଧ୍ଵ କ୍ଵାରେଣ୍ଟାଇନ ବା ଏକାନ୍ତବାସ ଶଯ୍ୟାର ବ୍ୟବସ୍ଥା କରିଛନ୍ତି । ଭୁବନେଶ୍ଵରସ୍ଥିତ ନାଲକୋ ମୁଖ୍ୟାଳୟର କର୍ମଚାରୀମାନେ ସେମାନଙ୍କର ଗୋଟିଏ ଦିନର ଦରମା ପ୍ରାୟ ୨.୫ କୋଟି ଟଙ୍କା ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହାଛଡା ଓଡିଶା ସରକାର କୋରାପୁଟ ଜିଲ୍ଲାରେ ନିର୍ମାଣ କରିବାକୁ ଥିବା ଏକ କୋଭିଡ-୧୯ ହସ୍ପିଟାଲ ପାଇଁ ନାଲକୋ ଅର୍ଥ ଯୋଗାଇ ଦେବାକୁ ସମ୍ମତି ପ୍ରକାଶ କରିଛି ।