
• ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାରେ ଓଡ଼ିଶାରୁ ୫୨ ହଜାର ଚାଷୀ ପଞ୍ଜିକୃତ
• ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୩୦ ଲକ୍ଷ ଚାଷୀଙ୍କୁ ମିଳୁଛି ବାର୍ଷିକ ୬ ହଜାର ଟଙ୍କା ସହାୟତା
• ୨୦୨୨ ସୁଦ୍ଧା ସରକାରୀ ସହାୟତାରେ ଚାଲୁଥିବା ନଡିଆ ଉଦ୍ୟୋଗ ସଂଖ୍ୟାକୁ ଦ୍ୱିଗୁଣିତ କରିବା ସରକାରଙ୍କ ଲକ୍ଷ୍ୟ
ନୂଆଦିଲ୍ଲୀ : ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବେ । ଫନିରେ ରାଜ୍ୟର ନଡ଼ିଆ ଚାଷ କ୍ଷତିଗ୍ରସ୍ତ ଅଞ୍ଚଳ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ଓଡ଼ିଶାରେ ନଡିଆ ଚାଷର ବିକାଶ ପାଇଁ ନାରିକେଳ ବିକାଶ ବୋର୍ଡ ୨୯.୬୫୯ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ଏତଦବ୍ୟତୀତ କେନ୍ଦ୍ର ସରକାର ଓଡ଼ିଶାକୁ ସିଆରଏଫ ସହାୟତା ରାଶି ମଧ୍ୟ ପ୍ରଦାନ କରିବେ । ଓଡ଼ିଶାରେ ପ୍ରାୟ ୫୧ ହଜାର ହେକ୍ଟର ଜମିରେ ନଡ଼ିଆ ଚାଷ ହେଉଛି ଏବଂ ରାଜ୍ୟରେ କୃଷି କ୍ଷେତ୍ରର ବିକାଶରେ ନଡିଆ ଚାଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ତୋମାର କହିଛନ୍ତି ।
ଆଜି ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ବିଶ୍ୱ ନାରିକେଳ ଦିବସ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶ୍ରୀ ତୋମାର କହିଛନ୍ତି, ଓଡ଼ିଶାରୁ ୩୦ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ବାର୍ଷିକ ୬ ହଜାର ଟଙ୍କା ସହାୟତା ପାଉଛନ୍ତି । ବଳକା ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କୁ ପଠାଇବାକୁ ସେ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଆଗାମୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ କରିବେ । ଏହି ଅବସରରେ ପ୍ରାୟ ୧୦ ଲକ୍ଷ କୃଷକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ । ଏହି ଯୋଜନା ଅନ୍ତର୍ଗତ ଓଡ଼ିଶାରୁ ବର୍ତ୍ତମାନ ସୁଦ୍ଧା ୫୨ ହଜାର ଚାଷୀ ପଞ୍ଜିକରଣ କରିଛନ୍ତି । ଯୋଜନା ଅନ୍ତର୍ଗତ ୧୮ ରୁ ୪୦ ବର୍ଷ ପର୍ୟ୍ୟନ୍ତ ଚାଷୀ ୫୫ ରୁ ୨୦୦ ଟଙ୍କା ପର୍ୟ୍ୟନ୍ତ ଜମା ରାଶି ରଖିବେ । ଭାରତ ସରକାର ସମାନ ରାଶି ଉକ୍ତ ଚାଷୀଙ୍କ ଖାତାରେ ଯୋଡିବେ । ଚାଷୀଙ୍କୁ ୬୦ ବର୍ଷ ହେଲା ପରେ ମାସକୁ ସର୍ବାଧିକ ୩୦୦୦ ଟଙ୍କା ପର୍ୟ୍ୟନ୍ତ ପେନସନ ମିଳିବ । ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ବିଭିନ୍ନ ଶସ୍ୟଜାତୀୟ ଉତ୍ପାଦ ଉପରେ ଏମଏସପି ଦେଢଗୁଣା ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ।
ମନ୍ତ୍ରୀ ଶ୍ରୀ ତୋମାର କହିଥିଲେ ଆମ ଦେଶରେ ୧ କୋଟି ନଡିଆ ଚାଷୀ ରହିଛନ୍ତି ଓ ଭାରତ ବିଶ୍ୱର ଅଗ୍ରଣୀ ନଡିଆ ଉତ୍ପାଦନକାରୀ ରାଷ୍ଟ୍ର । ସମସ୍ତ କୃଷି ଉତ୍ପାଦନ ମଧ୍ୟରୁ ନାରିକେଳରେ ସର୍ବାଧିକ ମୂଲ୍ୟ ସମ୍ବର୍ଦ୍ଧନ ହୋଇପାରିବ । ତେଣୁ ନଡିଆ ଚାଷକୁ ସରକାର ଅଗ୍ରାଧିକାର ପ୍ରଦାନ କରୁଛନ୍ତି । ବିଶ୍ୱ ବଜାରରେ ଭାରତର ନଡିଆ ଓ ଆନୁସଙ୍ଗିକ ପଦାର୍ଥର ଚାହିଦା ବୃଦ୍ଧି ଲାଗି ଆଗାମୀ ଦିନରେ ଦେଶବ୍ୟାପୀ ୧୦ ହଜାର ଏଫପିଓ ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ଏହି ଏଫପିଓ କେନ୍ଦ୍ର ଦ୍ୱାରା ଚାଷୀମାନଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ସହାୟତା ପ୍ରଦାନ କରାଯିବ । ଏହି କେନ୍ଦ୍ରଗୁଡ଼ିକ ନଡ଼ିଆ ଚାଷୀଙ୍କ ଦକ୍ଷତା ବିକାଶରେ ମଧ୍ୟ ସହାୟକ ହେବ । ବର୍ତ୍ତମାନ ଦେଶରେ ସରକାରୀ ସହାୟତାରେ ୪୮୪ଟି ନଡିଆ ଉଦ୍ୟୋଗ ଚାଲୁଅଛି । ୨୦୨୨ ସୁଦ୍ଧା ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ନଡିଆ ଚାଷୀମାନଙ୍କୁ ଷ୍ଟାର୍ଟଅପ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ପୋତ୍ସାହିତ କରିବେ ।
ଏହି ସମାରୋହରେ ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ, ଭାରତ ସରକାରଙ୍କ କୃଷି ମନ୍ତ୍ରଣାଳୟ ସଚିବ ସଞ୍ଜୟ ଅଗ୍ରୱାଲ, ଓଡିଶା ସରକାରଙ୍କ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ, ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ଓ ନାରିକେଳ ବୋର୍ଡ ଅଧ୍ୟକ୍ଷା ଶ୍ରୀମତୀ ଭି.ଉଷାରାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନାରିକେଳ ବିକାଶ ବୋର୍ଡ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୁସ୍ତିକା ଓ ପତ୍ରିକାର ଉନ୍ମୋଚନ ହୋଇଥିଲା । ସମାରୋହରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, ତେଲଙ୍ଗାନା, ଆସାମ ଆଦିରୁ ୫୦୦ରୁ ଊର୍ଦ୍ଧ୍ଵ ନଡିଆ ଚାଷୀ ଯୋଗଦେଇଥିଲେ । ନଡିଆ ଚାଷ ପ୍ରଣାଳୀ ଓ ବିଭିନ୍ନ ଉତ୍ପାଦକକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା ।
(ସ୍ରୋତ-ପିଆବି)



