
ବାଲିଗୁଡା/ତୁମୁଡିବନ୍ଧ,(ବାଳକୃଷ୍ଣ ପାଢ଼ୀ): ଗଣେଷ ପୂଜା ପାଇଁ ଚାରିଆଡେ ଚାଲିଛି ବ୍ୟାପକ ପ୍ରସ୍ତୁତି । ଧୁମଧାମରେ ପାଳନ କରିବାକୁ ସମସ୍ତଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ହେଲେ ଜବରଦସ୍ତ ଚାନ୍ଦା ଆଦାୟ ଗାଡି ଚାଳକଙ୍କୁ ଅସୁବିଧାରେ ପକାଉଛି I ୫୯ ନମ୍ବର ଜାତୀୟ ରାଜପଥ ଉପରେ ଆଦାୟ କରାଯାଉଛି I
ଗଣେଷ ପୂଜା ଚାନ୍ଦା । ଚାନ୍ଦା ନଦେବାରୁ ରବିବାର ଦିନ ୨ଟା ବେଳେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ଠାରେ ୫୯ ନମ୍ବର ଜାତୀୟ ରାଜପଥ ଉପରେ ଯାଉଥିବା ଏକ ୧୮ ଚକିଆ ଟ୍ରକ OD-14-B-4117 କୁ ଅଞ୍ଚଳର କୌଣସି ଏକ ପୂଜା ଅନୁଷ୍ଠାନର କିଛି ଖଳ ପ୍ରକୃତିର ବ୍ୟକ୍ତି ପଥର ମାଡ଼ କରିଥିବା ଜଣାପଡିଛି।

ପଥର ମାଡ଼ ହେବାରୁ ଗାଡିଟିର ସମ୍ମୁଖ କାଚଟି ଭାଙ୍ଗି ଯାଇଥିଲା । ଫଳରେ ଗାଡି ଚାଳକ କିଛି ସମୟ ପାଇଁ ଅସନ୍ତୋଷ ବ୍ୟକ୍ତ କରି ଗାଡିକୁ ରାସ୍ତା ଉପରେ ଅବରୋଧ କରି ରଖିଥିଲେ । ସଙ୍ଗେ ସଙ୍ଗେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଭିଡ଼ ଜମିଥିଲା । ଏ ନେଇ ପ୍ରଶାସନ ପକ୍ଷରୁ କେହି ମଧ୍ୟ ଘଟଣା ସ୍ଥଳରେ ନ ପହଞ୍ଚିବାରୁ ବାଧ୍ୟ ହୋଇ ଟ୍ରକ ଚାଳକ ଗାଡିନେଇ ପଳାଇଥିଲେ।
ବେଆଇନ ଭାବେ ଜବରଦସ୍ତ ଚାନ୍ଦା ମାଗିବା ଏକ ଦଣ୍ଡନିୟ ଅପରାଧ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି I



