
ଭୁବନେଶ୍ୱର, ୧୭/୦୩(ଜିଲ୍ଲା ଖବର) : ‘କରୋନା’ ମହାମାରୀକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି ହୋଇଛି । ଦେଶ ତଥା ରାଜ୍ୟର ଅନେକ ସ୍ଥାନରେ ୧୪୪ ଧାରା ଜାରି ହେବା ସହ ସବୁଆଡ଼େ ଏକ ଅଜଣା ଆତଙ୍କର କୋକୁଆ ଭୟ । ସମସ୍ତ ପ୍ରକାର ସଭା ସମିତି ଉପରେ କଟକଣା ଲାଗିଛି । ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ଜନ ସମାଗମ ପାଇଁ ବାରଣ କରାଯାଇଛି । ଏଭଳି ଆତଙ୍କିତ ବାତାବରଣ ଭିତରେ କରୋନା ଭାଇରସ୍ ନେଇ ଝିଅମାନଙ୍କ ଉପରେ ଖରାପ ଟିପ୍ପଣୀ କଲାଭଳି ଗୀତ ପରିବେଷଣ କରିବା ଏବଂ ଏହାକୁ ବଜାରରେ ଛାଡ଼ିବା ଅତ୍ୟନ୍ତ ଅଶୋଭନୀୟ ଏବଂ ମର୍ମନ୍ତୁଦ ବୋଲି କହିଛନ୍ତି ଓଡ଼ିଶା ମହିଳା ଅଧିକାର ମଞ୍ଚ ଅଧ୍ୟକ୍ଷା ବନଜାବାସିନୀ ତ୍ରିପାଠୀ । ଭଲ ପାଇବାକୁ ନେଇ କଲିଜା ଚିରିଦେବା , ନଜରରେ ହାଣିଦେବା ଭଳି ଆଳଙ୍କାରିକ ଶବ୍ଦର ବ୍ୟବହାର ରହିଥିଲେ ମଧ୍ୟ ଝିଅର ଭଲ ପାଇବାକୁ କରୋନା ଭାଇରସ୍ ଭଳି ପ୍ରାଣଘାତୀ ବେମାରୀ ସହିତ ତୁଳନା କରିବା ସମାଜରେ ଚାଲୁଥିବା ଝିଅମାନଙ୍କ ପ୍ରତି ଏକ ଅପମାନ ଏବଂ ସମାଜର ଏଭଳି ଦୁର୍ଦ୍ଦିନ ସମୟରେ ଅତ୍ୟନ୍ତ ନିମ୍ନମାନର ମନୋରଞ୍ଜନ ବୋଲି ସେ କହିଛନ୍ତି । ଆମ ସଂସ୍କୃତି ପ୍ରତି ଏଭଳି ଗୀତ ସଙ୍ଗୀତ ପରିବେଷଣ କରିବା ଅସଭ୍ୟତା ଏବଂ ଅପସଂସ୍କୃତି । ଏ ଗୀତର ଗୀତିକାର, ସଙ୍ଗୀତକାର, ଗାୟକ ଏବଂ ପ୍ରଯୋଜକ ସଂସ୍ଥା ସମାଜକୁ ଏଭଳି ଖରାପ ସନ୍ଦେଶ ଦେଲାଭଳି ଗୀତ ସଙ୍ଗୀତ ଉପରେ ଆତ୍ମଚିନ୍ତନ କରନ୍ତୁ ଏବଂ ଆଗକୁ ଏମିତି ଗୀତ ପରିବେଷଣ ନକରିବା ପାଇଁ ଅନୁରୋଧ କରିଛନ୍ତି ଓଡ଼ିଶା ମହିଳା ଅଧିକାର ମଞ୍ଚ (ୱମେନ୍ ରାଇଟ୍ସ ଫୋରମ)ର ସଦସ୍ୟମାନେ ।



