
ଆସିକା, କବିସୂର୍ଯ୍ୟ ନଗର ସମେତ ଗଞ୍ଜାମର ବିଭିନ୍ନ ଅଞ୍ଚଳରେ ସମାଜର ସମସ୍ୟା ଗୁଡିକୁ ନେଇ ଭିନ୍ନ ରୂପରେ ଜନସଚେତନତା ସୃଷ୍ଟି କରିବା ନିମନ୍ତେ ବହୁ ସମ୍ମାନର ଅଧିକାରୀ ଶ୍ରୀ ଏ ଵ୍ରହ୍ମାନନ୍ଦ ଆଚାରୀ ଗାଁ ଗାଁ ବୁଲି ଘର ଚଟିଆର ବିଲୁପ୍ତ ପ୍ରାୟ ଅବସ୍ଥାରେ କିପରି ପୁଣି ଘର ଚଟିଆ ପୂର୍ବଭଳି ଦେଖାଦେବେ ଏ ନେଇ ସଚେତନତା ବାର୍ତ୍ତା ପ୍ରଚାର ଓ ପ୍ରସାରରେ ଲାଗିପଡିଛନ୍ତି। ୧୯୯୯ ମହାବାତ୍ୟା କଥା ପଡ଼ିଲେ ମନରେ ଆସିଯାଏ କୋକୁଆ ଭୟ। ବହୁ ଧନ ସମ୍ପତ୍ତି ନଷ୍ଟ ହେବା ସହ ଅନେକ ଜୀବଜନ୍ତୁ ବିଲୁପ୍ତ ହୋଇଯାଇଛନ୍ତି। ସେଥି ମଧ୍ୟରୁ ଘର ଚଟିଆ ଅନ୍ୟତମ।ନୁଆଣିଆ ଚାଳଘରେ କିଚିରି ମିଚିରି ଶବ୍ଦ ସହିତ ମନରେ ଭରୁଥିଲା ଅପୂର୍ବ ଆନନ୍ଦ। କିନ୍ତୁ କାଳର କରାଳ ଗତିରେ ଆଜି ହଜିଯାଇଛି ଘରଚଟିଆର କିଚିରି ମିଚିରି ଶବ୍ଦ। ଆଜିର ଶିଶୁ ମାନେ କେବଳ ଫୋଟଚିତ୍ର କିମ୍ବା ଗଳ୍ପ କାହାଣୀ ମାଧ୍ୟମରେ ଶୁଣିଥାନ୍ତି।କିନ୍ତୁ ସାଇକେଲରେ ଆସିକା ସହରର ଘରଘର ବୁଲି ଅଭିନବ ଉପାୟରେ ସଚେତନତା ସୃଷ୍ଟି କରିବା ବାସ୍ତବରେ ଏକ ମହତ କାର୍ଯ୍ୟ। ଏନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏ ବ୍ରହ୍ମାନନ୍ଦ ଆଚାରୀଙ୍କୁ ସମଷ୍ଟି ନାମକ ଏକ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ କରିବା ସହ ସମ୍ମାନିତ କରାଯାଇଥିବା ଜଣାପଡିଛି। ଗଞ୍ଜାମ ଜ୍ୟୋତି ସମ୍ମାନରେ ମଧ୍ୟ ସମ୍ମାନୀତ ହୋଇଛନ୍ତି ବ୍ରହ୍ମାନନ୍ଦ। ଆସନ୍ତା ମାର୍ଚ୍ଚ ୨୦ ତାରିଖ ପଖାଳ ଦିବସ ସହ ବିଶ୍ଵ ଘରଚଟିଆ ଦିବସ ଥିବାରୁ ବର୍ତ୍ତମାନ ଠାରୁ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରଖିବେ ବୋଲି କହିଛନ୍ତି ସମାଜସେବୀ ଏ ବ୍ରହ୍ମାନନ୍ଦ ଆଚାରୀ।
ରତ୍ନାକର ଶୀୟ, ଜିଲ୍ଲା ଖବର।




