Monday, October 12, 2026
Home ଜାତୀୟ ନୋଭେଲ କୋରୋନା ଭୂତାଣୁ : ତିନି ନୂଆ ସଂକ୍ରମିତ ଚିହ୍ନଟ

ନୋଭେଲ କୋରୋନା ଭୂତାଣୁ : ତିନି ନୂଆ ସଂକ୍ରମିତ ଚିହ୍ନଟ

13
Image: MyLondon

ନୂଆଦିଲ୍ଲୀ : ଦେଶରେ ନୋଭେଲ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ଆଉ ତିନି ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ଇରାନ ଯାତ୍ରାରୁ ଫେରିଥିବା ଦୁଇ ଜଣ ଲଦାଖବାସୀ ଏବଂ ଓମାନରୁ ଫେରିଥିବା ଜଣେ ତାମିଲନାଡ଼ୁ ନାଗରିକ । ଏମାନଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪ରେ ପହଁଚିଛି । ବର୍ତ୍ତମାନ ଡାକ୍ତରଖାନାରେ ୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ଅନ୍ୟପକ୍ଷରେ ପ୍ରଥମେ ସଂକ୍ରମିତ ହୋଇଥିବା କେରଳର ତିନି ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଯାଇଛନ୍ତି ।

ଭୂଟାନରେ ଜଣେ ଆମେରିକୀୟ ନାଗରିକ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାଯାଇଛି । ୧୫୦ ଜଣଙ୍କୁ ବର୍ତ୍ତମାନ ଆଇଡିଏସପି ନିରୀକ୍ଷଣ ବ୍ୟବସ୍ଥା ମଧ୍ୟରେ ରଖାଯାଇଛି ।

ଏହାବ୍ୟତୀତ ୧୦୮ଟି ନମୁନା ଆଜି ସକାଳେ ଭାରତରେ ଆସି ପହଁଚିଛି । ଏହି ନମୁନାଗୁଡ଼ିକୁ ଏମ୍ସ ପରୀକ୍ଷାଗାରରେ ପରୀକ୍ଷା କରାଯାଉଛି । ଭାରତୀୟ ମେଡିକାଲ ଗବେଷଣା ପରିଷଦ (ଆଇସିଏମଆର)ର ୬ ଜଣ ବୈଜ୍ଞାନିକଙ୍କୁ ଇରାନରେ ରଖାଯାଇଛି । ସେଠାରେ ପରୀକ୍ଷାଗାର ସ୍ଥାପନ କରିବା ଲାଗି ପାଖାପାଖି ୧୦ କୋଟି ଟଙ୍କାର ସରଞ୍ଜାମ ଏବଂ ରାସାୟନିକ ସେମାନଙ୍କ ନିକଟକୁ ପଠାଯାଇଛି ।

ବର୍ତ୍ତମାନ ସୁଦ୍ଧା ମୋଟ ୭,୧୦୮ଟି ବିମାନରେ ଆସିଥିବା ୭,୨୬,୧୨୨ ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି । ଗତକାଲି ଠାରୁ ଆଜି ସକାଳ ପର୍ୟ୍ୟନ୍ତ ସମସ୍ତ ବିମାନ ବନ୍ଦରରେ ୫୭୩ଟି ବିମାନରେ ଆସିଥିବା ୭୩,୭୬୬ ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଛି ।

ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ଜନିତ ରକ୍ତନମୁନା ପରୀକ୍ଷା ଲାଗି ବର୍ତ୍ତମାନ ସୁଦ୍ଧା ୫୨ଟି ପରୀକ୍ଷାଗାର କାର୍ୟ୍ୟକ୍ଷମ ହୋଇସାରିଲାଣି । ଏହା ବ୍ୟତୀତ ୫୭ଟି ପରୀକ୍ଷାଗାରରେ ସ୍ୱାବ ନମୁନା ସଂଗ୍ରହ ଲାଗି ଭାଇରାଲ ଟ୍ରାନ୍ସପୋର୍ଟ ମାଧ୍ୟମ ବ୍ୟବସ୍ଥା କରାଯାଇଛି ।

ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର କୋରୋନା ଭୂତାଣୁ ମୋବାଇଲ ଫୋନ କଲର ଟ୍ୟୁନକୁ ସମସ୍ତ ଟେଲିକମ ଅପରେଟର କାର୍ୟ୍ୟକ୍ଷମ କରିଛନ୍ତି । କଲ କରିବା କ୍ଷଣି ଏଥିରେ ସଂକ୍ରମଣ ନିରାକରଣ ଲାଗି ପ୍ରାଥମିକ ସଚେତନତା ବାର୍ତ୍ତା ଦିଆଯାଉଛି । ବିଏସଏନଏଲ, ଏମଟିଏନଏଲ, ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ-ଆଇଡିଆର ୧୧୭.୨ କୋଟି ଉପଭୋକ୍ତାଙ୍କୁ ଏସଏମଏସ ଓ ଫୋନ କଲ ଜରିଆରେ ସଚେତନ କରାଯାଇଛି ।

(ପିଆଇବି)