
ଭୁବନେଶ୍ୱର (ଜିଲ୍ଲା ଖବର)୧/୩ : ଭୁବନେଶ୍ୱର ମହାନଗର ନିଗମ ଆନୁକୂଲ୍ୟରେ ଆୟୋଜିତ ପଞ୍ଚମ ପାର୍କ ଉତ୍ସବ ଅବସରରେ ହେଲ୍ପମେଟ୍ ସଙ୍ଗଠନ ପକ୍ଷରୁ ଆଜି ଇନ୍ଦିରା ଗାନ୍ଧୀ ପାର୍କରେ ସାମାଜିକ ବୈଷମ୍ୟ ଦୂର କରିବା ପାଇଁ ଜନ ସଚେତନତା ଅଭିଯାନ କରାଯାଇଥିଲା । ଏହା ସହିତ ଜଳ ସଂରକ୍ଷଣ, ସୁସ୍ଥ ପରିବେଶ ସହ ପ୍ରଦୂଷଣ ରୋକିବା ପାଇଁ ବୃକ୍ଷ ରୋପଣ ଏବଂ କନ୍ୟାଭୃଣ ହତ୍ୟା ରୋକିବା ନିମନ୍ତେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ବିଶ୍ୱ ନାଗରିକ ସୁରକ୍ଷା ଦିବସ ଅବସରରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ହେଲ୍ପମେଟ୍ ସାଧାରଣ ସମ୍ପାଦିକା ଶ୍ରୀମତୀ ନିବେଦିତା ଭଞ୍ଜ ବିଶ୍ୱ ବକ୍ଷରେ ସମାଜର ସ୍ଥାୟୀତ୍ୱ ପାଇଁ ବୃକ୍ଷର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଅଧିକ ସଂଖ୍ୟକ ବୃକ୍ଷ ରୋପଣ କଲେ ମାଟିରେ ଜଳସ୍ତର ଉପରେ ରହିବା ସହ ଆମର ପରିବେଶ ଶୁଦ୍ଧ ରହିବ ବୋଲି ସେ କହିଥିଲେ। ଅନ୍ୟତମ ସଭ୍ୟା ଲିନା ମିଶ୍ର, ଦୀପ୍ତି ପଟ୍ଟନାୟକ ପ୍ରମୁଖ ଏକ ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ମଣିଷଙ୍କର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ସମସ୍ତେ ନିୟମିତ ଯୋଗାଭ୍ୟାସ କରିବା ଉପରେ ଗୁରୁତ୍ୱ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ଭେଟେରାନ୍ ସୈନିକ ଦୀନବନ୍ଧୁ ଷଡ଼ଙ୍ଗୀ କହିଲେ ଯେ ସମାଜରେ ଆର୍ଥିକ ଓ ସାମାଜିକ ବୈଷମ୍ୟ ମନୋଭାବ ଆମର ସାମାଜିକ ସୁରକ୍ଷା ଏବଂ ଏକତା ପାଇଁ ଏକ ଆହ୍ୱାନ । ଧନୀ ଗରିବ ମଧ୍ୟରେ ଦିନକୁ ଦିନ ବଢ଼ିଚାଲିଥିବା ପାର୍ଥକ୍ୟ ଅତ୍ୟନ୍ତ ଦୁଃଖଦ ଏବଂ ଚିନ୍ତାଜନକ । ଏହାଦ୍ବାରା ଆମର ରାଷ୍ଟ୍ରୀୟ ସଂହତି ବାଧାପ୍ରାପ୍ତ ହେଉଛି ଏବଂ ସମାଜରେ ଶ୍ରେଣୀ ବିଭାଜନ ଆହୁରି ତୀବ୍ର ହେଉଛି ଯାହା ସ୍ପୃହଣୀୟ ନୁହେଁ । ଆମ ସମ୍ବିଧାନର ମୁଖବନ୍ଧରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ ପଢ଼ାଯାଉଥିଲାବେଳେ ବାସ୍ତବ କ୍ଷେତ୍ରରେ ତାହା ପ୍ରତିଫଳିତ ହେଉନାହିଁ ବୋଲି ସେ କହିଥିଲେ । ପ୍ରତ୍ୟେକ ଆବେଦନ ପତ୍ରରେ ସମସ୍ତଙ୍କୁ ନିଜ ନିଜର ଧର୍ମ ସମ୍ପ୍ରଦାୟର ଉଲ୍ଲେଖ କରିବା ସହ ଜାତି ଆଧାରିତ ବର୍ଗର ଉଲ୍ଲେଖ କରିବା ବାଧ୍ୟତାମୂଳକ କରାଯାଇଛି । ଏହା ସମ୍ବିଧାନର ମୌଳିକ ଆତ୍ମା ଉପରେ ଆଘାତ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ଅଧିକରୁ ଅଧିକ ବ୍ୟକ୍ତି ତଥା ସଙ୍ଗଠନ ପକ୍ଷରୁ ସ୍ୱର ଉତ୍ତୋଳନ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଦିଲ୍ଲୀରେ ଘଟିଯାଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ କ୍ଷତିଗ୍ରସ୍ତ ଲୋକଙ୍କ ପ୍ରତି ନିଜର ସମବେଦନା ଜଣାଇ ହେଲ୍ପମେଟ୍ ଉପସଭାପତି ନିହାରିକା ପଟ୍ଟନାୟକ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଏକ ସୁନ୍ଦର ଭାରତ ନିର୍ମାଣ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଦିଲ୍ଲୀ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ସମସ୍ତ ନାଗରିକଙ୍କ ଉଦ୍ଦେଶ୍ୟରେ ହେଲ୍ପମେଟ୍ ପକ୍ଷରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବସୈନିକ ପ୍ରଦୀପ କୁମାର ସ୍ବାଇଁ, ଦୀପକ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।





