
ବ୍ରହ୍ମପୁର,୨୪/୮(ରାଜେଶ ରଣା ) : ସହରତଳି ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କରାଜ ସୃଷ୍ଟି କରିବା ସହିତ ଲୋକଙ୍କୁ ହଇରାଣ ହରକତ କରୁଥିବା ଏକ ଗ୍ୟାଙ୍ଗ୍କୁ କାବୁ କରିଛି ପୁଲିସ। ଗ୍ୟାଙ୍ଗ୍ ମୁଖିଆ ଶିବରାମ ସେଠୀ ଓରଫ୍ ଶିବ ସମେତ ୮ଜଣଙ୍କୁ ପୁଲିସ୍ ଧରିଛି। ସେମାନଙ୍କଠାରୁ ପିସ୍ତଲ, ବୋମା, ଖଣ୍ଡା ପ୍ରଭୃତି ଜବତ କରାଯାଇଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ, ଦୁର୍ଦ୍ଦାନ୍ତ ଶିବ ନାଁରେ ଗୋଟିଏ ହତ୍ୟା ସହିତ ମୋଟ ୮ଟି ସଙ୍ଗିନ୍ ମାମଲା ରହିଛି। ଗୋପାଳପୁର ଥାନା ବଡ଼କୁଶସ୍ଥଳୀ ଗ୍ରାମର ଶିବ କିଛି ଯୁବକଙ୍କୁ ନେଇ ଏକ ଗ୍ୟାଙ୍ଗ୍ ଗଠନ କରିଥିଲା। ସେ ଗୋପାଳପୁର ଏବଂ ଚମମାଖଣ୍ଡି ଥାନା ଇଲାକାରେ ଆତଙ୍କରାଜ ଜାରି ରଖିଥିଲା। ବ୍ୟବସାୟୀଙ୍କୁ ଧମକ୍ଚମକ୍ ଦେଇ ଦାଦାବଟି ମାଗିବା ସହିତ ଲୋକଙ୍କୁ ହଇରାଣ ହରକତ କରୁଥିଲା।



