
ନୂଆଦିଲ୍ଲୀ,୨୪/୮(ରବି ଦାସ) : ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କର ଦେହାନ୍ତଙ୍କୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଦେଶର ଏହି ଦିବଂଗତ ନେତାଙ୍କ ବିୟୋଗରେ ବଲିଉଡ୍ ତାରକାମାନେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଅଛନ୍ତି । ବଲିଉଡ୍ ତାରକା ଅଜୟ ଦେବଗନ୍ଙ୍କଠାରୁ ଆରମ୍ଭ କରି ଅନିଲ୍ କପୁର, କରଣ ଜୋହର, ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମେତ ଅନେକ ବଲିଉଡ୍ ତାରକା ଜେଟ୍ଲୀଙ୍କୁ ମନେପକାଇଛନ୍ତି। ଅଭିନେତା ଅଜୟ ଦେଦବଗନ୍ ଜେଟ୍ଲୀଙ୍କ ଦେହାନ୍ତରେ ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିଛି ବୋଲି ନିଜର ଟ୍ଵିଟ୍ର ପେଜ୍ରେ ଲେଖିଛନ୍ତି। ଏଥିସହିତ ଦେଶପାଇଁ ଜେଟ୍ଲୀଙ୍କ ସକ୍ରିୟ ଦୃଷ୍ଟିଭଙ୍ଗୀ ଅତ୍ୟନ୍ତ ଜରୁରୀ ଥିଲା ବୋଲି ଅଜୟ କହିବା ସହିତ ଜେଟ୍ଲୀଙ୍କ ଭଳି ନେତାଙ୍କ ସହିତ କଥା ହେଲା ପରେ ତାଙ୍କୁ ଅତ୍ୟନ୍ତ ଖୁସି ମିଳୁଥିଲା ବୋଲି ସେ କହିିଛନ୍ତି। ଏହାସହିତ ଅଭିନେତା ଅଜୟ ଦେବଗନ୍ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଜେଟ୍ଲୀଙ୍କ ପରିବାର ସହିତ ତାଙ୍କର ସହାନୁଭୂତି ରହିଛି ବୋଲି ଜଣାଇଛନ୍ତି। ବଲିଉଡ୍ ତାରକା ସିଦ୍ଧାର୍ଥ ମାଲହୋତ୍ରା ଭଗବାନ୍ ତାଙ୍କର ଅମର ଆତ୍ମାଙ୍କୁ ସଦ୍ଗତି ଦିଅନ୍ତୁ ବୋଲି କାମନା କରିବା ସହିତ ଜେଟ୍ଲୀଙ୍କର ମୃତ୍ୟୁ ପରେ ସମଗ୍ର ଦେଶ ଖାଲି ଖାଲି ଲାଗୁଛି ବୋଲି ସେ ତାଙ୍କ ଟ୍ଵିଟ୍ ରେ ଲେଖିଛନ୍ତି। ତେବେ ଏଭଳି ସ୍ଥିତିରେ ସିଦ୍ଧାର୍ଥଙ୍କ ସଂବେଦନା ଏବଂ ଭଲପାଇବା ତାଙ୍କ ପରିବାର ସହିତ ରହିଛି ବୋଲି କହିଛନ୍ତି। ସେହିଭଳି ଅଭିନେତା ଅନୀଲ କପୁର ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଦେହାନ୍ତ ପରେ ତାଙ୍କୁ ମନେପକାଇ ତାଙ୍କ ପାଇଁ ଏକ ବ୍ଲଗ୍ ଲେଖିଛନ୍ତି,‘୨୦ ବର୍ଷ ପୂର୍ବରୁ ମୁଁ ଯେତେବେଳେ ଜେଟ୍ଲୀଙ୍କୁ ପ୍ରଥମ ଥର ଭେଟିଥିଲି, ସେବେଠାରୁ ମୁଁ ତାଙ୍କର ଜଣେ ବଡ଼ ପ୍ରଶଂସକ ହୋଇଯାଇଛି। ଅରୁଣ୍ଙ୍କ ଦେହାନ୍ତ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ ତାଙ୍କ ବ୍ଲଗ୍ରେ ଲେଖିଛନ୍ତି। ଏତଦ୍ବ୍ୟତୀତ ଅନ୍ୟାନ୍ୟ ବଲିଉଡ୍ କଳାକାର ଯଥା କରଣ ଜୋହର୍,ରିତେଶ୍ ଦେଶ୍ମୁଖ,ଶ୍ରୀୟା ଘୋଷାଲଙ୍କ ଭଳି ବଡ଼ ବଡ଼ ବଲିଉଡ୍ ସେଲିବ୍ରିଟି ଜେଟ୍ଲୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।



