
ଆସିକା (ଜିଲ୍ଲା ଖବର) ୨୬/୨ : ଗତ ପଞ୍ଚାୟତ ନିର୍ବାଚନରେ ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ସନ୍ତୋଷ କୁମାର ଜେନା କିନ୍ତୁ ଉକ୍ତ ନିର୍ବାଚନରେ ଅନିୟମିତତା ଏବଂ ତିନିଗୋଟି ସନ୍ତାନ ଥିବା ଅଭିଯୋଗ କରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀ ମନୋଜ କୁମାର ନାହାକ ଆସିକା କନିଷ୍ଠ ଦେୱାନୀ ଅଦାଲତ ମୁନିସିଫଙ୍କ ନିକଟରେ ଏକ ମକଦ୍ଦମା ଦାୟର କରିଥିଲେ। ଏହାର ବିଚାର କରି ୨୦୧୯ ସେପ୍ଟେମ୍ବରରେ ବର୍ତ୍ତମାନ ସରପଞ୍ଚ ଭାବେ ଅବସ୍ଥାପିତ ଥିବା ଶ୍ରୀ ସନ୍ତୋଷ କୁମାର ଜେନାଙ୍କ ପଦକୁ ଅସିଦ୍ଧ ଘୋଷଣା କରିଥିଲେ ଏବଂ ପୁନର୍ବାର ନିର୍ବାଚନ ନିମନ୍ତେ ପରାମର୍ଶ ଦେଇଥିଲେ। ଏହାକୁ ବିରୋଧ କରି ସନ୍ତୋଷ କୁମାର ଜେନା ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀ ମନୋଜ କୁମାର ନାହାକ ଅପିଲ ଓ କ୍ରସ କୋର୍ଟ ନିକଟରେ ଅଭିଯୋଗ କରିଥିଲେ। ଫଳରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜଲକ୍ଷ୍ମୀ ପଟ୍ଟନାୟକ ଉଭୟ ପକ୍ଷଙ୍କ ଆବେଦନକୁ ବିଚରକୁ ନେଇ ନିର୍ବାଚନ ଆଇନ ଉଲଂଘନ ନିୟମ ଅନୁଯାୟୀ ଶ୍ରୀ ସନ୍ତୋଷ କୁମାର ଜେନାଙ୍କ ସରପଞ୍ଚ ପଦ ରଦ୍ଧ କରିବା ସହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀ ମନୋଜ କୁମାର ନାହାକଙ୍କୁ ସରପଞ୍ଚ ଭାବେ ଘୋଷଣା କଲେ। ଫଳରେ ଶ୍ରୀ ମନୋଜ କୁମାର ନାହାକ ଖୁସି ବ୍ୟକ୍ତ କରିବା ସହ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ନିମନ୍ତେ ଆଶା ବାନ୍ଧିଛନ୍ତି ବୋଲି ମତପ୍ରକାଶ କରିଛନ୍ତି। ଦୀର୍ଘ ଦିନ ଧରି ଚାଲିଥିବା ଉକ୍ତ ମକଦ୍ଦମାକୁ ଲଢିବା ସହିତ ଶେଷରେ ନ୍ୟାୟ ମିଳଥିବାରୁ ସେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି।ଏପଟେ ବର୍ତ୍ତମାନ ଥିବା ସରପଞ୍ଚ ଶ୍ରୀ ସନ୍ତୋଷ କୁମାର ଜେନା ହାଇକୋର୍ଟର ଦ୍ବାରସ୍ଥ ହେବେବୋଲି ସୂଚନା ଦେଇଛନ୍ତି।
ରିପୋର୍ଟ ରତ୍ନାକର ଶିଅ



