
ନୂଆଦିଲ୍ଲୀ,୨୪/୮(ରବି ଦାସ) : ପୂର୍ବତନ ଅର୍ଥମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍ଲୀଙ୍କର ୬୬ ବର୍ଷ ବୟସରେ ଦେହାନ୍ତ ହେବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (ଏମ୍ସ୍)ରେ ଚିକିତ୍ସିତ ହେଉଥିବା ଜେଟଲୀଙ୍କର ମଧ୍ୟାହ୍ଣ ୧୨.୦୭ ମିନିଟରେ ପରଲୋକ ହୋଇଥିବା ଏମସ୍ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କର ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ସବୁ ରାଜନୈତିକ ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।
ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ସ୍ବର୍ଗତଃ ଜେଟଲୀଙ୍କ ପତ୍ନୀ ଓ ପରିବାର ସହ କଥା ହୋଇ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ରାଜନୀତିରେ ଅରୁଣ ଜଣେ ଶୀର୍ଷସ୍ତରର ନେତା ହେବାସହ ବିଜ୍ଞ ଓ ବିଶିଷ୍ଟ ଆଇନଜ୍ଞ ମଧ୍ୟ ଥିଲେ । ବିଭିନ୍ନ କ୍ଷେତ୍ରରେ ଦେଶ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଥିଲା । ଅରୁଣଙ୍କ ଦେହାନ୍ତ ମୋ ପାଇଁ ବ୍ୟକ୍ତିଗତ ଭାବେ ବଡ କ୍ଷତି । ଦେଶ ପାଇଁ ଏହା ଅପୂରଣୀୟ କ୍ଷତି । ସେ ଜଣେ ବିଜ୍ଞ ବ୍ୟକ୍ତି ହେବା ସହ ଜଣେ ଭଲ ରାଜନେତା ଥିଲେ । ତାଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ବୋଲି କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ମତବ୍ୟକ୍ତ କରିଛନ୍ତି । ଅରୁଣଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହା ମୋ ପାଇଁ ଅପୂରଣୀୟ କ୍ଷତି । କେବଳ ଦଳ ଜଣେ ବରିଷ୍ଠ ନେତାଙ୍କୁ ହରାଇନାହିଁ ବରଂ ମୁଁ ଜଣେ ପରିବାରର ସଦସ୍ୟଙ୍କୁ ହରାଇଛି । ସେ ପ୍ରତ୍ୟେକ କ୍ଷେତ୍ରରେ ମୋର ମାର୍ଗଦର୍ଶକ ଥିଲେ । ଜେଟଲୀ ଗତ ୨ ବର୍ଷ ଧରି ପ୍ରାୟତଃ ଅସୁସ୍ଥ ରହୁଥିଲେ । ଏହି କାରଣରୁ ସେ ଏନଡିଏ-୨ ସରକାରରେ କୌଣସି ମନ୍ତ୍ରୀପଦ ଗ୍ରହଣ କରି ନ ଥିଲେ। ଗତ ବର୍ଷ ଜେଟଲୀଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଏହି ଅପରେସନ ପରେ ସେ ମୁଖ୍ୟତଃ ଘରେ ରହୁଥିଲେ । ଗତ ଫେବ୍ରୁଆରୀ ମାସରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ । ତାଙ୍କ ଅନୁପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ କାମଚଳା ବଜେଟ ଉପସ୍ଥାପନ କରିଥିଲେ ।



