Monday, October 12, 2026
Home ଆଞ୍ଚଳିକ ସମସ୍ୟା ଘେରରେ ଆସିକା ସମବାୟ ଚିନି ଶିଳ୍ପ ।

ସମସ୍ୟା ଘେରରେ ଆସିକା ସମବାୟ ଚିନି ଶିଳ୍ପ ।

22

ଆସିକା(ଜିଲ୍ଲା ଖବର): ସମସ୍ୟାଘେରରେ ରହିଛି ଗଞ୍ଜାମ ଜିଲ୍ଲାରେ ଥିବା ଆସିକା ସମବାୟ ଚିନି ଶିଳ୍ପ। ଗୋଟିଏ ପଟେ ଋଣଭାରରେ ବୁଡିରହିଥିବାବେଳେ ଅନ୍ୟ ପଟେ ଯାନ୍ତ୍ରିକ ସମସ୍ୟାକୁ ନେଇ ଯୁଝି ହେଉଛି ଏହି କାରଖାନା। ଫଳରେ ଆର୍ଥିକ ଅଭାବ ସହ ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ହେଉଛି। ଏସବୁ ଅବ୍ୟବସ୍ଥାକୁ ନେଇ ଚଳିତ ଆଖୁପେଡା ଋତୁରେ ଉତ୍ପାଦନ ଲକ୍ଷ୍ୟ ହାସଲ ଓ କାରଖାନାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଗତବର୍ଷ କାରଖାନାର ମରାମତି ପାଇଁ ସରକାରଙ୍କ ପକ୍ଷରୁ ୮ କୋଟି ଟଙ୍କାର ସହାୟତା ମିଳିଥିଲେ ମଧ୍ୟ ଦୂରଦୃଷ୍ଟିର ଅଭାବ ଯୋଗୁଁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିଲା। ତେଣୁ ପୁଣି ସମବାୟ ବିଭାଗର ରେଜିଷ୍ଟର ବିଭାଗୀୟ ସଚିବଙ୍କ ନିକଟକୁ ଆଉ ୪ କୋଟି ଆର୍ଥିକ ଅନୁଦାନ ପାଇଁ ଚିଠି ଲେଖିଛନ୍ତି। ସୂଚନା ଅନୁଯାୟୀ, ଦୈନିକ ୩ ହଜାର ଟନ ଆଖୁ ପେଡିବାର କ୍ଷମତା ଥିବା ଏହି କାରଖାନାରେ ଏବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଦୈନିକ ୧୨ଶହରୁ ୧୫ଶହ ଟନ ଆଖୁ ପେଡାଯାଇପାରୁଛି। ଗତବର୍ଷ ଫେବୃଆରୀରୁ ଆଖୁପେଡା ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ମାତ୍ର ୧୩ହଜାର ଟନ ଆଖୁ ପେଡା ହୋଇପାରିଛି। ବିଦ୍ୟୁତ ଓ ଯନ୍ତ୍ରପତି ସମସ୍ୟା ସହ ଗୋଟିଏ ମାତ୍ର ବଏଲର ଟାଙ୍କି କାର୍ଯ୍ୟକ୍ଷମ ଥିବାରୁ ଦୈନିକ ୨୪ ଘଣ୍ଟାକୁ ୩ଟି ପାଳି ବିଭକ୍ତି ହୋଇଛି l ଗୋଟିଏ ପାଳି ୮ଘଣ୍ଟା ହୋଇଥିବା ବେଳେ ମାତ୍ର ୨ରୁ ୪ ଘଣ୍ଟା ଆଖୁପେଡା ହେଉଛି। ବାକି ସମୟରେ କାରଖାନା ବନ୍ଦ ପଡୁଛି। ଅପରପକ୍ଷରେ ୨୦ରୁ ୩୦ଟି ଆଖୁବୁହା ଗାଡ଼ି ସହ ଚାଷୀମାନଙ୍କ ଶଗଡ଼କୁ ନିୟୋଜିତ କରାଯାଇଥିଲେ ମଧ୍ୟ ସଠିକ ସମୟରେ ଚାଷୀଙ୍କଠୁ ଆଖୁ ସଂଗ୍ରହ କରାଯାଇ ପାରୁନି। କାରଖାନାରେ ସମସ୍ୟା ଲାଗିରହିଥିବାରୁ ଏହା ପରିସରରେ ମଧ୍ୟ ଆଖୁ ପଡିରହି ଶୁଖୁଛି। ଫଳରେ ଚାଷୀ ଓ କାରଖାନା ଉଭୟେ କ୍ଷତି ସହୁଛନ୍ତି। ଏଭଳି ନାନା ସମସ୍ୟା ପାଇଁ କାରଖାନା ବର୍ଷ ତମାମ କାର୍ଯ୍ୟକ୍ଷମ ନହେଲେ ମଧ୍ୟ ଏହି ୨ମାସ ଚାଲିବାରେ ସମସ୍ୟା ଦେଖାଦେଇଛି। ଏହି ଯାନ୍ତ୍ରିକ ତୃଟିକୁ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଉନାହାନ୍ତି ଏବଂ ନିୟୋଜିତ କର୍ମଚାରୀମାନେ କାମ ପାଉନାହାନ୍ତି। ଚାଷୀମାନେ ମଧ୍ୟ ଆଖୁଚାଷରୁ ମୁହଁ ଫେରେଇଲେଣି ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।

ରିପୋର୍ଟର ସନାତନ ବେହେରା