
ଆମାଜନ୍,୨୪/୮(ଜିଲ୍ଳାଖବର) : ଆମାଜନ୍ ବଣର ବିସ୍ତୃତ ଅଞ୍ଚଳରେ ଲାଗିଥିବା ନିଆଁ ଲିଭାଇବାକୁ ସେନାବାହିନୀ ପଠାଉଛନ୍ତି ବୋଲି ବ୍ରାଜିଲ୍ର ରାଷ୍ଟ୍ରପତି ଜୈର୍ ବୋଲ୍ସୋନାରୋ କହିଛନ୍ତି। ଏହି ଦୁର୍ବିପାକ ବିରୋଧରେ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଲଢ଼ିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ୍ କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଟୁଇଟ୍ କରି ଟ୍ରମ୍ପ୍ କହିଛନ୍ତି ଯେ ସେ ବୋଲ୍ସୋନାରୋଙ୍କ ସହ ବନାଗ୍ନି ଏବଂ ଦୁଇ ଦେଶର ବାଣିଜ୍ୟ ସମ୍ପର୍କରେ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି: ଆମ ଆଗୁଆ ଦିନମାନଙ୍କର ବାଣିଜ୍ୟ ଆଶା ଅତି ଚମକପ୍ରଦ ଏବଂ ଆମର ସମ୍ପର୍କ ଦୃଢ଼, ବୋଧହୁଏ ପୂର୍ବାପେକ୍ଷା ଦୃଢ଼ତର ହେବ । ଆମାଜନ୍ କ୍ରାନ୍ତିମଣ୍ଡଳୀୟ ବନାଗ୍ନି ଲିଭାଇବାରେ ଯଦି ଯୁକ୍ତରାଷ୍ଟ୍ର ଆମେରିକାର ସହାୟତା ଦରକାର , ସହାୟତା କରିବାକୁ ଆମେ ପ୍ରସ୍ତୁତ । ତେଣେ ବ୍ରାଜିଲ୍ର ଆଦିମ ମୁରା ଜନଜାତି ସମ୍ପ୍ରଦାୟ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କ ଶରୀରରେ ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ବନାଗ୍ନିର ମୁକାବିଲା କରିବେ। ଅର୍ଥାତ୍ ସେମାନଙ୍କ ଘର ଆମାଜନ୍ କ୍ରାନ୍ତୀୟ ବଣରେ ନିଆଁ ଲଗାଉଥିବା ବ୍ୟକ୍ତିଙ୍କ ବିରୋଧରେ ସଂଗ୍ରାମ କରିବେ। ସେମାନେ ସେମାନଙ୍କ ଶରୀରରେ ପିଙ୍ଗଳ-ଲୋହିତ ରଙ୍ଗ ଲଗାଇ ଓ ଲମ୍ବା ଲମ୍ବା ଧନୁ ଓ ଠେଙ୍ଗା ଧରି ଏ ସପ୍ତାହରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛନ୍ତି । ଆମାଜନ୍ ରାଜ୍ୟରେ ୧୮, ୦୦୦ରୁ ଅଧିକ ମୁରା ବସବାସ କରନ୍ତି ।



