
କୁକୁଡାଖଣ୍ଡି , ୨୪/୮ (ଇ. ରଞ୍ଜନ) : କୁକୁଡାଖଣ୍ଡି ସମନ୍ବିତ ଶିଶୁ ବିକାଶ ଯୋଜନାରେ ବ୍ୟାପକ ଅନିୟମିତତା ହେବା ସହ ଶିଶୁ ମାନଙ୍କର କୌଣସି ବିକାଶ ହେଉନଥିବା ଏବଂ ସିଡିପିଓ ବ୍ଲକ ଅଫିସରେ ସଂଖ୍ୟାଧିକ ଦିନ ଅନୁପସ୍ଥିତ ରହୁଥିବା ଅଭିଯୋଗ ହେଉଛି । ସମଗ୍ର ବ୍ଲକରେ 191ଟି ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଥିବା କାଗଜପତ୍ରରେ ରହିଥିଲେ ମଧ୍ୟ ପ୍ରକୃତରେ ସେଥିମଧ୍ୟରୁ କେବଳ 91 ଟି କେନ୍ଦ୍ରର ନିଜସ୍ୱ ସରକାରୀ ଗୃହ ରହିଛି । ଅନ୍ୟ କେନ୍ଦ୍ର ଗୁଡିକ ଘର ନଥିବା ବେଳେ ଭଡା କିମ୍ବା ଅନ୍ୟ କୌଣସି ସ୍ଥାନରେ କେନ୍ଦ୍ର ଚାଲୁଥିବା କୁହାଯାଉଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାପନ ସଂଖ୍ୟାରେ ତାରତମ୍ୟ ପରିଲିକ୍ଷିତ ହେଉଛି । କେଉଁଠି ନାମକୁ ମାତ୍ର କେନ୍ଦ୍ର ଥିବା ବେଳେ ସେଠାରେ ବ୍ୟାପକ ହରିଲୁଟ ହେଉଥିବା କୁହାଯାଉଛି । ଅଧିକାରୀମାନଙ୍କ ସହ ସଲାସୁତରାରେ କେନ୍ଦ୍ର ଗୁଡିକ ଚାଲୁଥିବା ବେଳେ ଜାଲ ସାର୍ଟିଫିକେଟରେ ଅଙ୍ଗନବାଡି ଦିଦି ନିଯୁକ୍ତ କରାଯାଇଥିବା ଅଭିଯୋଗ ହେଊଛି । ଏଥିରେ ବିଭାଗୀୟ ସ୍ୱଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସିଡ଼ି.ପି.ଓ ଙ୍କ ମନମୁଖୀ କାରବାର ଏବଂ ପ୍ରିୟାପ୍ରୀତୀ ପୋଷଣରେ ଅନେକ କେନ୍ଦ୍ର ଏବଂ ଅଙ୍ଗନବାଡି ଦିଦି ମାନଙ୍କୁ ଅଯଥା ହଇରାଣ କରାଯାଉଛି । ଏହା ଛଡା କେତେକ କେନ୍ଦ୍ର ଘର ନିର୍ମାଣ ହୋଇଥିଲେ ମଧ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନଥିବା ଯୋଗୁଁ ତାହା ଅଦ୍ୟବଧି କାର୍ଯ୍ୟକ୍ଷମ ହୋଇପାରୁନଥିବା କୁହାଯାଉଛି । ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।ସାମ୍ବାଦିକମାନଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ କେନ୍ଦ୍ର ଗୁଡିକୁ ପରିଦର୍ଶନରେ ଯାଇ ଅଭିଯୋଗର ସତ୍ୟାସତ୍ୟ ଅନୁସନ୍ଧାନ ବୋଲି କହିଛନ୍ତି ।



