
ଫୁଲନଖରା (ଜିଲ୍ଲା ଖବର) : କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ବର୍ଷ ଫେବ୍ରୁଆରୀ ପହିଲାରୁ ଗରିବ ସାଧାରଣବର୍ଗ ପାଇଁ ଲାଗୁ ହୋଇଥିବା ୧୦% ସଂରକ୍ଷଣ ଏ ପର୍ଯ୍ୟନ୍ତ ଓଡ଼ିଶାର ନିଯୁକ୍ତି କ୍ଷେତ୍ରରେ ଲାଗୁ ହୋଇନାହିଁ । ଏଥିପାଇଁ ଦୀର୍ଘଦିନ ଧରି ଦାବି କରିଆସୁଥିବା କ୍ରାନ୍ତିବୀର ଫାଉଣ୍ଡେସନ ଏବଂ ଓଡ଼ିଶା ଆର୍ଥିକ ଦୁର୍ବଳ ଶ୍ରେଣୀ ମଞ୍ଚ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି । ଓଡ଼ିଶାରେ ଏହି ଆର୍ଥିକ ଆଧାରିତ ୧୦% ଆରକ୍ଷଣକୁ ତୁରନ୍ତ ଲାଗୁ କରିବା ପାଇଁ ଆଗାମୀ ବିଧାନସଭା ସତ୍ର ସମୟରେ ଧାରଣା ପ୍ରଦର୍ଶନ କରିବାକୁ ପ୍ରସ୍ତାବ ଉଠିଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଏ ବିଷୟ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍ୱର ଉତ୍ତୋଳନ କଲାପରେ ବି ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ନିଜକୁ ଗରିବ ଲୋକଙ୍କ ପାଇଁ ଏକ ଉତ୍ସର୍ଗୀକୃତ ସରକାର ବୋଲି ଡିଣ୍ଡିମ ପିଟୁଥିବା ରାଜ୍ୟ ସରକାର କାହିଁକି ଏଭଳି କରୁଛନ୍ତି ମଧ୍ୟ ବୁଝାପଡ଼ୁନାହିଁ । ଗରିବ ସାଧାରଣ ବର୍ଗର ପିଲାମାନଙ୍କୁ କେନ୍ଦ୍ରୀୟ ସହାୟତା ପାଇଁ ଆବଶ୍ୟକୀୟ ପ୍ରମାଣପତ୍ର ଦେବାରେ ରାଜ୍ୟ ସରକାର କୁଣ୍ଠିତ ହେଉଥିବାରୁ ତହସିଲ କାର୍ଯ୍ୟାଳୟ ମଧ୍ୟ ଢିଲା ମାରୁଛନ୍ତି । ଅନ୍ୱେଷା ଭଳି ଅନେକ ଜାତିଭିତ୍ତିକ ଯୋଜନାଗୁଡ଼ିକୁ ରାଜ୍ୟ ସରକାର ଯେମିତି ଢୋଲ ପିଟି ପ୍ରଚାର ପ୍ରସାର କରୁଛନ୍ତି ଗରିବଭିତ୍ତିକ ଇ.ଡବ୍ଲ୍ୟୁ.ଏସ୍ ଯୋଜନା ପାଇଁ କୌଣସି ପକ୍ଷ ସେଭଳି ଆଗ୍ରହ ନଦେଖାଇବା ଯୋଗୁଁ ଏଭଳି ଏକ ଯୋଜନା ବିଷୟରେ ଗ୍ରାମାଞ୍ଚଳରେ ପିଲାମାନେ ଜାଣି ପାରିନାହାନ୍ତି । ତେବେ ଏ ସବୁ ସମସ୍ୟାର ସମାଧାନ ପାଇଁ ଆଗାମୀ ବିଧାନସଭା ସତ୍ର ସମୟରେ ଫେବ୍ରୁଆରୀ ୧୯ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଯୋଗ ଦେବାକୁ ଆଗ୍ରହୀ ବ୍ୟକ୍ତିମାନଙ୍କ ସୂଚନା ନିମନ୍ତେ ମୋବାଇଲ ନମ୍ବର 7978716879 ଜାରି କରାଯାଇଛି । ସ୍ଥାନୀୟ ଲକ୍ଷେଶ୍ୱର ମନ୍ଦିର ପରିସରରେ ଓଡ଼ିଶା ଆର୍ଥିକ ଦୁର୍ବଳ ଶ୍ରେଣୀ ମଞ୍ଚର ସଭାପତି କୁଳମଣି ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ଃ ଯୁଧିଷ୍ଠିର ଖଟୁଆ, ଉଦ୍ଧବ କର, ସୌମ୍ୟା ପରିଡ଼ା, ଇପ୍ସିତା ସ୍ୱାଇଁ, ମୋନିକା ପ୍ରିୟଦର୍ଶୀନୀ, ଏଲିନା ସ୍ବାଇଁ, ଗଣେଶପ୍ରସାଦ ସ୍ବାଇଁ, ଅଭୟ କୁମାର ଜେନା, ଦୀନବନ୍ଧୁ ଷଡ଼ଙ୍ଗୀ, ସୋମନାଥ ମହାପାତ୍ର, କେଦାରନାଥ ଜେନା, ଅମରେନ୍ଦ୍ର ମହାନ୍ତି, ସୁଚିତ୍ର ଲେଙ୍କା, କିଶୋର ବରାଳ ପ୍ରମୁଖ ଯୋଗ ଦେଇଥିଲେ ।




