
ବେଲଗୁଣ୍ଠା (ଜିଲ୍ଲା ଖବର) : ଶୁକ୍ରବାର ସକାଳ ୮ ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଦିଗି ଗ୍ରାମର ପୁରୁଷୋତ୍ତମ ଗୌଡଙ୍କ ଝିଅ ଜ୍ୟୋତୀ ଗୌଡ(୧୭) ସାଇକଲ ଯୋଗେ ପାଇଲିପଡା ଗ୍ରାମକୁ ଟିଉସନ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ବୋଲେରୋ ଧକ୍କା ଦେଇଥିଲା ।ଜ୍ୟୋତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି କାନରୁ ରକ୍ତଶ୍ରାବ ହୋଇଥିଲା ।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ଗୋବରା,ଭଞ୍ଜନଗର ଓ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।ସେଠାରୁ ଅବସ୍ଥା ଗୁରୁତର ହେବାରୁ ରାତ୍ର ୮ ଘଣ୍ଟା ସମୟରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ଆଜି ସକାଳ ୯.୩୦ମି ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଜ୍ୟୋତୀଙ୍କ ମୃତ୍ୟୁ ଘଟିଥିଲା ।ଜ୍ୟୋତୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ନିଜ ଗ୍ରାମ ଦିଗି ଓ ସହପାଠୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।କଟକରେ ଶବ ବ୍ୟବଛେଦ ପରେ ଶବ ନିଜ ଗ୍ରାମକୁ ଅଣାଯାଉଥିବା ଜଣାପଡିଛି ।ପୋଲିସ ଦୁର୍ଘଟଣା ଘଟାଇ ଥିବା ବୋଲେରୋକୁ ଜବତ କରିବା ସହ ତାର ଡ୍ରାଇଭରକୁ ଅଟକ ରଖିଛି ।ପ୍ରକାଶ ଥାଉକି ଜ୍ୟୋତୀ ଗୋବରା ପ୍ରଫୁଲ କୁମାରୀ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର କଳାଛାତ୍ରୀ ଥିଲେ ।ତାଙ୍କ ଆତ୍ମାର ସଦ୍ଗତି ପାଇଁ ଗୋବରା ମହାବିଦ୍ୟାଳୟରେ ଦୁଇ ମିନଟ ନୀରବ ପ୍ରାର୍ଥନା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।



