Sunday, October 11, 2026
Home ଜାତୀୟ ଭାରତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନ ଆଇନ ସଂଶୋଧନ ବିଲ, ୨୦୨୦କୁ କ୍ୟାବିନେଟ ମଞ୍ଜୁରି

ଭାରତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନ ଆଇନ ସଂଶୋଧନ ବିଲ, ୨୦୨୦କୁ କ୍ୟାବିନେଟ ମଞ୍ଜୁରି

17

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି ।

୧. ଭାରତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନ ଆଇନ ସଂଶୋଧନ ବିଲ, ୨୦୨୦ ଉପସ୍ଥାପନ କରିବା ।

୨. ୨୦ଟି ଆଇଆଇଆଇଟି (ପିପିପି)ରେ ଜଣେ ଲେଖାଏଁ ଏବଂ ଆଇଆଇଆଇଡିଏମ କୁର୍ଣ୍ଣୁଲ (ଆଇଆଇଆଇଟି-ସିଏଫଟିଆଇ)ରେ ଗୋଟିଏ ପଦବୀ ସହିତ ୨୧ଟି ନିର୍ଦ୍ଦେଶକ ପଦବୀ ସୃଷ୍ଟିକୁ ପିଛିଲା ଭାବେ ମଞ୍ଜୁରି ।

୩. ୨୦ଟି ଆଇଆଇଆଇଟି (ପିପିପି)ରେ ଜଣେ ଲେଖାଏଁ ଏବଂ ଆଇଆଇଆଇଡିଏମ କୁର୍ଣ୍ଣୁଲ (ଆଇଆଇଆଇଟି-ସିଏଫଟିଆଇ) ଗୋଟିଏ ପଦବୀ ସହିତ ୨୧ଟି କୁଳସଚିବ ପଦବୀ ସୃଷ୍ଟିକୁ ପିଛିଲା ଭାବେ ମଞ୍ଜୁରି ।

ପ୍ରଭାବ :

ଏହି ବିଲ ଆସିବା ଫଳରେ ଅବଶିଷ୍ଟ ୫ଟି ଆଇଆଇଆଇଟି-ପିପିପି ସହିତ ରାଷ୍ଟ୍ରାୟତ୍ତ ଓ ଘରୋଇ ଭାଗିଦାରୀ (ପିପିପି) ରେ ପ୍ରତିଷ୍ଠା ହୋଇଥିବା ୧୫ଟି ବର୍ତ୍ତମାନର ଭାରତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନଗୁଡ଼ିକୁ ଡିଗ୍ରୀ ପ୍ରଦାନ କରିବାର କ୍ଷମତା ପ୍ରଦାନ କରାଯିବା ସମ୍ଭବ ହୋଇପାରିବ । ଏହାସହିତ ଏଗୁଡ଼ିକୁ ରାଷ୍ଟ୍ରୀୟ ମହତ୍ୱ ସମ୍ପନ୍ନ ସଂସ୍ଥାନ ଭାବେ ଘୋଷଣା କରାଯାଇପାରିବ । ଏହାଦ୍ୱାରା ଏହି ସଂସ୍ଥାନଗୁଡ଼ିକ ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ରାଷ୍ଟ୍ରୀୟ ମହତ୍ୱ ସମ୍ପନ୍ନ ଶିକ୍ଷାନୁଷ୍ଠାନ ଭଳି ପ୍ରଯୁକ୍ତି ସ୍ନାତକ (ବି.ଟେକ), ପ୍ରଯୁକ୍ତି ସ୍ନାତ୍ତୋକୋତର (ଏମ.ଟେକ) ଏବଂ ପି.ଏଚଡି ଡିଗ୍ରୀ ପ୍ରଦାନ କରିବା ଲାଗି ସମର୍ଥ ହୋଇପାରିବେ । ଫଳରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ଏକ ସଶକ୍ତ ଗବେଷଣା ସୁବିଧା ବିକଶିତ କରିବା ଲାଗି ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇପାରିବେ ।

ବିବରଣୀ :

୨୦୧୪ ଓ ୨୦୧୭ ବର୍ଷର ମୂଳ ଆଇନରେ ସଂଶୋଧନ କରିବା ଲାଗି ଭାରତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନ ଆଇନ ସଂଶୋଧନ ବିଲ, ୨୦୨୦ ଉପସ୍ଥାପନ କରାଯିବ ।

ସୁରତ, ଭୋପାଳ, ଭାଗଲପୁର, ଅଗରତାଲା ଓ ରାୟଚୁରରେ ସରକାରୀ ଓ ଘରୋଇ ଭାଗିଦାରୀ (ପିପିପି) ଆଧାରରେ ୫ଟି ଭାରତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯିବ । ଏଗୁଡ଼ିକୁ ଭାରତୀୟ ସୂଚନା ପ୍ରଯୁକ୍ତି ସଂସ୍ଥାନ (ପିପିପି) ଆଇନ ୨୦୧୭ ଅନ୍ତର୍ଗତ ବର୍ତ୍ତମାନର ୧୫ଟି ଆଇଆଇଆଇଟି ସହିତ ରାଷ୍ଟ୍ରୀୟ ମହତ୍ୱ ସମ୍ପନ୍ନ ଶିକ୍ଷାନୁଷ୍ଠାନ ଭାବେ ଘୋଷଣା କରାଯିବ ।

ସୁରତ, ଭୋପାଳ, ଭାଗଲପୁର, ଅଗରତାଲା ଓ ରାୟପୁର ଆଇଆଇଆଇଟିର ଔପଚାରିକରଣ ଏହି ମଞ୍ଜୁରିର ମୁଖ୍ୟ ଉଦ୍ଦେଶ୍ୟ । ବର୍ତ୍ତମାନ ଏହି ଆଇଆଇଆଇଟିଗୁଡ଼ିକ ସଂସ୍ଥା ପଞ୍ଜିକରଣ ଆଇନ, ୧୮୬୦ ଅଧୀନରେ କାର୍ୟ୍ୟ କରୁଛନ୍ତି । ଏଗୁଡ଼ିକ ଏବେ ଅନ୍ୟ ୧୫ଟି ଆଇଆଇଆଇଟି (ପିପିପି) ଭଳି ଆଇଆଇଆଇଟି(ପିପିପି) ଆଇନ, ୨୦୧୭ ଅନ୍ତର୍ଗତ କାର୍ୟ୍ୟ କରିପାରିବେ । ଏହାବ୍ୟତୀତ, ଆଇଆଇଆଇଟିଡିଏମ କୁର୍ଣ୍ଣୁଲ ଆଇଆଇଆଇଟି ଆଇନ, ୨୦୧୪ ଅଧୀନରେ ପ୍ରତିଷ୍ଠା କରାଯାଇଥିଲା । ଏହା ବର୍ତ୍ତମାନ ଆଇଆଇଆଇଟି ଆହ୍ଲାବାଦ, ଆଇଆଇଆଇଟିଏମ ଗ୍ୱାଲିୟର, ଆଇଆଇଆଇଟିଡିଏମ ଜବଲପୁର, ଆଇଆଇଆଇଟିଡିଏମ କାଂଚିପୁରମ ସହିତ କାର୍ୟ୍ୟ କରୁଛି । ଏହି ସବୁ ଆଇଆଇଆଇଟିରେ ନିର୍ଦ୍ଦେଶକ ଓ ରେଜିଷ୍ଟ୍ରାର ପଦବୀ ପୂର୍ବରୁ ରହିଛି । ତେଣୁ ବର୍ତ୍ତମାନର ପ୍ରସ୍ତାବ ଫଳରେ କୌଣସି ଅତିରିକ୍ତ ବ୍ୟୟ କରାନଯାଇ ଏହି ପଦବୀଗୁଡ଼ିକୁ କେବଳ ଔପଚାରିକ ରୂପ ପ୍ରଦାନ କରାଯାଇପାରିବ ।

ସ୍ରୋତ-ପିଆବି