Tuesday, September 29, 2026
Home ଆଞ୍ଚଳିକ ଉପାନ୍ତ ଅଞ୍ଚଳର ପଟାଶାଳରେ ଝାଡ଼ାବାନ୍ତି: ୭ ଆକ୍ରାନ୍ତ, ଜଣେ ମୃତ

ଉପାନ୍ତ ଅଞ୍ଚଳର ପଟାଶାଳରେ ଝାଡ଼ାବାନ୍ତି: ୭ ଆକ୍ରାନ୍ତ, ଜଣେ ମୃତ

1

ଧରାକୋଟ , ୨୯/୦୯(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତର ପଟାଶାଳ ମାଲିକ ସାହିରେ ଝାଡ଼ାବାନ୍ତି ଘଟଣାକୁ ନେଇ ଆତଙ୍କ ଦେଖାଦେଇଛି। ଏଠାରେ ୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁଶାନ୍ତ ମାଲିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଧରାକୋଟ ଡାକ୍ତରୀ ଦଳ ଏବଂ ମାଣିକ୍ୟପୁର ଉପ-ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତମାନଙ୍କ ଚିକିତ୍ସା କରିଥିଲେ।ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଧରାକୋଟ ବିଡିଓ ତୃପ୍ତିମୟୀ ଜେନା, ଆରଡବ୍ଲ୍ୟୁଏସ୍ଏସ୍‌ ବିଭାଗର ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତଙ୍କ ସମେତ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲେ। ଗ୍ରାମର ବିଭିନ୍ନ ସ୍ଥାନରେ ବ୍ଲିଚିଂ ପକାଯିବା ସହ ପାଣିର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଲାବରେଟୋରୀକୁ ପଠାଯାଇଛି।ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ଆକ୍ରାନ୍ତ ବ୍ୟକ୍ତିମାନେ ଏକ ଭୋଜିରେ ଯୋଗଦେବା ପାଇଁ ପୋଡ଼ାମାରି ଯାଇଥିଲେ।

ସେଠାରୁ ଫେରିବା ପରେ ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।ଘଟଣାସ୍ଥଳରେ ପହଞ୍ଚିଥିବା ଡାକ୍ତରୀ ଦଳ ପ୍ରାଥମିକ ଭାବେ ଏହା ଖାଦ୍ୟ ବିଷକ୍ରିୟାଜନିତ ଘଟଣା ହୋଇପାରେ ବୋଲି ସନ୍ଦେହ ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ ପାଣି ଓ ଅନ୍ୟାନ୍ୟ ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ହିଁ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ।ଏହି ଘଟଣା ସମ୍ପର୍କରେ ଜାଣି ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଆକ୍ରାନ୍ତମାନଙ୍କ ଅବସ୍ଥା ପଚାରି ବୁଝିବା ସହ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।