
ବିଷମକଟକ ୨୮-୮(ଜିଲ୍ଲା ଖବର) : ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଥିଲେ ସବୁ ପ୍ରତିବନ୍ଧକକୁ ପଛରେ ପକାଇ ଆଗକୁ ବଢ଼ିହୁଏ, ତାହା ପ୍ରମାଣ କରି ଦେଖାଇଛନ୍ତି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ପ୍ରତିଭାବାନ ଛାତ୍ରୀ କବିତା ହିକକା। ନିଜ ପରିବାରର ଚରମ ଆର୍ଥିକ ଅଭାବ ଅନଟନ ସତ୍ତ୍ୱେ ସେ କଠିନ ଅଧ୍ୟବସାୟ ବଳରେ ଜାତୀୟ ପ୍ରବେଶିକା ପରୀକ୍ଷା (NEET) ରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। କବିତାଙ୍କର ଏହି ସଫଳତା ସମଗ୍ର ବିଷମକଟକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଡାକ୍ତର ହୋଇ ଅସହାୟ ଲୋକଙ୍କ ସେବା କରିବାର ସ୍ୱପ୍ନ ସାକାର କରିବା ପାଇଁ ଆର୍ଥିକ ସଙ୍କଟ ଏକ ମୁଖ୍ୟ ପ୍ରତିବନ୍ଧକ ସାଯିଥିବା ଖବର ବିଭନ୍ନ ଖବର କାଗଜ ରେ ପ୍ରସାରିତ ହେବା ପରେ ସହଯୋଗର ହାତ ବଢାଇଛନ୍ତି ସୁଧିର ଦାସ। ପାଠପଢ଼ା ଖର୍ଚ୍ଚ କିପରି ତୁଲାଇବେ ସେନେଇ ପରିବାର ଲୋକେ ଗଭୀର ଚିନ୍ତାରେ ପଡ଼ିଥିଲେ। ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର ଦାସ ତୁରନ୍ତ ସହାୟତାର ହାତ ବଢ଼ାଇଛନ୍ତି। ସେ କୌଣସି ବିଳମ୍ବ ନକରି ସିଧାସଳଖ ସାହାଡ଼ା ଗ୍ରାମରେ ପହଞ୍ଚି କବିତାଙ୍କୁ ଭେଟିବା ସହ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଲୋଚନା ବେଳେ ଶ୍ରୀ ଦାସ ଛାତ୍ରୀ କବିତାଙ୍କ ସଂଘର୍ଷମୟ ଜୀବନ ଓ ପରିଶ୍ରମ ବିଷୟରେ ପଚାରି ବୁଝିଥିଲେ। ଜଣେ ଗରିବ ଆଦିବାସୀ ଝିଅ ଅର୍ଥ ଅଭାବରୁ ଯେପରି ଡାକ୍ତରୀ ପାଠରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସେ ନିଜ ତରଫରୁ ଏକ ବଡ଼ ଘୋଷଣା କରିଥିଲେ। କବିତାଙ୍କ କଲେଜ ପଢ଼ା ସରିବା ପର୍ଯ୍ୟନ୍ତ ପ୍ରତିବର୍ଷ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ଶ୍ରୀ ଦାସ ପ୍ରତିଶ୍ରୁତି ଦେଇଛନ୍ତି।
ସୁଧୀର ଦାସଙ୍କର ଏଭଳି ସହୃଦୟତା ଓ ମହତ ପଦକ୍ଷେପକୁ ସାହାଡ଼ା ଗ୍ରାମବାସୀଙ୍କ ସମେତ ବିଷମକଟକ ତଥା ସମଗ୍ର ରାୟଗଡ଼ା ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ନାଗରିକମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଗରିବ ଓ ଅସହାୟଙ୍କ ପାଇଁ ସେ ଦେବଦୂତ ସାଯିଥିବାରୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କବିତା ଙ୍କ ବାସଭବନରେ ସୁଧିର କୁମାର ଦାସ ଙ୍କ ସହିତ ବିଜେଡ଼ି ବ୍ଲକ ସଭାପତି ଦେବୀ ପଟ୍ଟନାୟକ,ନାନୁ ପଣ୍ଡା,ଶିବା ଜେସିଟି ସହ ଆଉ କିଛି ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିଲେ।



