Tuesday, October 13, 2026
Home ଜାତୀୟ କୃଷି, ଭିତ୍ତିଭୂମି, ବୟନ ଓ ପ୍ରଯୁକ୍ତି ଭଳି ସମସ୍ତ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ପ୍ରତି...

କୃଷି, ଭିତ୍ତିଭୂମି, ବୟନ ଓ ପ୍ରଯୁକ୍ତି ଭଳି ସମସ୍ତ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ କ୍ଷେତ୍ର ପ୍ରତି ବଜେଟରେ ଗୁରୁତ୍ଵାରୋପ କରାଯାଇଛି – ପ୍ରଧାନମନ୍ତ୍ରୀ

14

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଦଶକର ପ୍ରଥମ ବଜେଟକୁ ସଂକଳ୍ପ ଓ ପଦକ୍ଷେପ ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି ।

ଲୋକସଭାରେ କେନ୍ଦ୍ର ବଜେଟ ଉପସ୍ଥାପନ ହେବା ପରେ ନିଜର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବଜେଟରେ ଯେଉଁ ନୂଆ ସୁଧାର ଘୋଷଣା କରାଯାଇଛି ତାହା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବା ସହ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ ।

ଏହି ବଜେଟ ନୂଆ ଦଶକରେ ଅର୍ଥବ୍ୟବସ୍ଥାର ମୂଳଦୁଆକୁ ଆହୁରି ମଜବୁତ କରିବ ବୋଲି ସେ କହିଛନ୍ତି ।

ରୋଜଗାର ସୃଷ୍ଟି ଉପରେ ଗୁରୁତ୍ଵ:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରୋଜଗାରର ପ୍ରମୁଖ କ୍ଷେତ୍ର – କୃଷି, ଭିତ୍ତିଭୂମି, ବୟନ ଓ ପ୍ରଯୁକ୍ତି ଉପରେ ଚଳିତ ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ଚାଷୀର ଆୟ ଦୁଇଗୁଣ କରିବା ଲାଗି ୧୬ଟି ଆକ୍ସନ ପଏଣ୍ଟ ପ୍ରସ୍ତୁତ ହୋଇଛି । ଯାହା ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବୃଦ୍ଧି କରିବ ବୋଲି ସେ କହିଛନ୍ତି ।

ବଜେଟରେ କୃଷି କ୍ଷେତ୍ର ପାଇଁ ସମନ୍ଵିତ ଆଭିମୁଖ୍ୟ ଆପଣା ଯାଇଛି, ଯାହାଦ୍ୱାରା ପରମ୍ପରାଗତ କୃଷି ପଦ୍ଧତି ସହିତ ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ଆଦିରେ ମୂଲ୍ୟ ସମ୍ବର୍ଦ୍ଧନ ହେବ ଓ ସେଥିରୁ ରୋଜଗାର ମଧ୍ୟ ବଢ଼ିବ । ବ୍ଲୁ ଇକୋନମି ଅନ୍ତର୍ଗତ ମତ୍ସ୍ୟ ଚାଷ ଓ ପଶୁପାଳନ କ୍ଷେତ୍ରରେ ନିଯୁକ୍ତି ବଢିବ ବୋଲି ସେ କହିଛନ୍ତି ।

ବୟନ କ୍ଷେତ୍ର:

ପ୍ରଧାନମନ୍ତ୍ରୀ କହିଛନ୍ତି ଟେକ୍ନିକାଲ ଟେକ୍ସଟାଇଲ ପାଇଁ ନୂଆ ମିଶନ ଘୋଷଣା ହୋଇଛି ।

ମାନବକୃତ ଫାଇବରକୁ ଭାରତରେ ଉତ୍ପାଦନ କରିବା ପାଇଁ କଞ୍ଚାମାଲର ଟିକସ ଢାଞ୍ଚାରେ ସୁଧାର ଅଣାଯାଇଛି । ଗତ ତିନି ଦଶକ ହେଲା ଏହି ସୁଧାରର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟ କ୍ଷେତ୍ର:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନା ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ କରିଛି । ଏହି କ୍ଷେତ୍ରରେ ମାନବ ସମ୍ବଳ – ଡାକ୍ତର, ନର୍ସ, ଅଟେଣ୍ଡାଣ୍ଟଙ୍କ ସହିତ ମେଡିକାଲ ଉପକରଣ ନିର୍ମାଣର ଅନେକ ସୁଯୋଗ ସୃଷ୍ଟି ହୋଇଛି । ଏହା ବଢାଇବା ପାଇଁ ସରକାରଙ୍କ ଦ୍ୱାରା ବହୁ ନୂଆ ନିଷ୍ପତ୍ତି ନିଆଯାଇଛି ।

ପ୍ରଯୁକ୍ତି କ୍ଷେତ୍ର:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରଯୁକ୍ତି କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ବିଶେଷ ପ୍ରୟାସ କରିଛୁ । ନୂଆ ସ୍ମାର୍ଟ ସିଟି, ଇଲେକ୍ଟ୍ରୋନିକ ମାନୁଫାକ୍ଚରିଂ, ଡାଟା ସେଣ୍ଟର ପାର୍କସ, ବାୟୋ ଟେକ୍ନୋଲଜି ଓ କ୍ୱାଣ୍ଟମ ଟେକ୍ନୋଲଜି ଭଳି କ୍ଷେତ୍ର ପାଇଁ ଆମେ ଅନେକ ନୀତିଗତ ନିଷ୍ପତ୍ତି ନେଇଛୁ । ଏହାଦ୍ୱାରା ଭାରତ, ବୈଶ୍ଵିକ ମୂଲ୍ୟ ଶ୍ରୁଙ୍ଖଳାର ଏକ ଅଭିନ୍ନ ଅଙ୍ଗ ପାଲଟିବ ।

ବଜେଟରେ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ପାଇଁ ନୂଆ ଓ ଅଭିନବ ଯୋଜନା ଘୋଷଣା କରାଯାଇଛି । ଯେପରିକି ଡିଗ୍ରୀ କୋର୍ସରେ ଆପ୍ରେଣ୍ଟିସସିପ, ସ୍ୱାୟତ୍ତ ସଂସ୍ଥାଗଡ଼ିକରେ ଇଣ୍ଟର୍ଣ୍ଣସିପ ଓ ଅନଲାଇନ ଡିଗ୍ରୀ କୋର୍ସର ବ୍ୟବସ୍ଥା କରାଯାଇ ବୋଲି ସେ କହିଥିଲେ ।

ରପ୍ତାନୀ ଓ ଏମଏସଏମଇ କ୍ଷେତ୍ର ରୋଜଗାର ଅବସର ବଢ଼ାଏ ବୋଲି କହି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ବଜେଟରେ ରପ୍ତାନୀ ବଢାଇବା ପାଇଁ ନୂଆ ଯୋଜନା ଘୋଷଣା ହୋଇଛି । ଛୋଟ ଉଦ୍ୟୋଗକୁ ପାଣ୍ଠି ଯୋଗାଣ ପାଇଁ ମଧ୍ୟ କିଛି ନୂଆ ଉଦ୍ୟମ ହୋଇଛି ।

ଭିତ୍ତିଭୂମି:

ଆଧୁନିକ ଭାରତ ପାଇଁ ଆଧୁନିକ ଭିତ୍ତିଭୂମିର ଅନେକ ମହତ୍ୱ ରହିଛି । ଭିତ୍ତିଭୂମି କ୍ଷେତ୍ର ମଧ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରେ ବୋଲି ସେ କହିଥିଲେ ।

୧୦୦ ଲକ୍ଷ କୋଟି ଟଙ୍କା ବିନିମୟରେ ୬୫ ଶହ ପ୍ରକଳ୍ପ ନିର୍ମାଣ ଯୋଗୁଁ ରୋଜଗାର ସୁଯୋଗ ବେଶ ବଢ଼ିବ । ନ୍ୟାସନାଲ ଲଜିଷ୍ଟିକ୍ସ ପଲିସି ଯୋଗୁଁ ବାଣିଜ୍ୟ, କାରବାର ଓ ରୋଜଗାର, ତିନିଟି କ୍ଷେତ୍ର ଲାଭାନ୍ୱିତ ହେବ ବୋଲି ସେ କହିଥିଲେ ।

ଦେଶରେ ୧୦୦ ବିମାନ ବନ୍ଦର ବିକଶିତ କରିବା ଲକ୍ଷ୍ୟ ଭାରତର ପର୍ୟ୍ୟଟନ କ୍ଷେତ୍ରକୁ ନୂତନ ଗତି ପ୍ରଦାନ କରିବ ଏବଂ ନିଯୁକ୍ତି ସୁଯୋଗର ସମ୍ଭାବନା ସୃଷ୍ଟି କରିବ ବୋଲି ସେ କହିଥିଲେ ।

ନିବେଶ:

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିବେଶକୁ ପ୍ରୋତ୍ସାହନ ଲାଗି ଅନେକ ଐତିହାସିକ ପଦକ୍ଷେପ ନିଆଯାଇଛି ଯାହା ନିଯୁକ୍ତିର ପ୍ରମୁଖ ବାହାକ ସାଜିବ ।

ବଣ୍ଡ ମାର୍କେଟକୁ ମଜବୁତ କରିବା ପାଇଁ ଓ ଭିତ୍ତିଭୂମିକୁ ଦୀର୍ଘମିଆଦି ପୁଞ୍ଜି ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି । ଡିଭିଡେଣ୍ଡ ଡିଷ୍ଟ୍ରିବ୍ୟୁସନ ଟିକସ ହଟାଇବା ଯୋଗୁଁ, କମ୍ପାନୀଗୁଡ଼ିକ ପାଖକୁ ଅଧିକ ନିବେଶ ପାଇଁ ପାଖାପାଖି ୨୫ ହଜାର କୋଟି ଟଙ୍କା ଆସିବ ।

ବିଦେଶୀ ନିବେଶ ଭାରତକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଟିକସ ରିହାତି ଦିଆଯାଇଛି ବୋଲି ସେ କହିଥିଲେ ।

ସେହିପରି ଷ୍ଟାର୍ଟ ଅପ୍ ଓ ରିୟଲ ଇଷ୍ଟେଟ ପାଇଁ ମଧ୍ୟ ଟିକସ ସୁବିଧା ଦିଆଯାଇଛି ବୋଲି ସେ କହିଥିଲେ ।

ଟିକସ ବ୍ୟବସ୍ଥା ପ୍ରତି ବିଶ୍ଵାସ ଉପରେ ଗୁରୁତ୍ଵ:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏବେ ଆମେ ଆୟକର ବ୍ୟବସ୍ଥାରେ ବିବାଦକୁ ପଛରେ ପକାଇ ବିଶ୍ୱାସର ପରିବେଶ ସୃଷ୍ଟି କରିବା ପାଇଁ ପ୍ରୟାସ କରୁଛୁ ।

ଆମ କମ୍ପାନୀ ଆଇନରେ ଯାହା ଅପରାଧିକ ଭୁଲ ଭାବେ ଧରାଯାଏ, ସେସବୁକୁ ଏବେ ଦେୱାନୀ ମାମଲାରେ ପରିଣତ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଟିକସଦାତା ଚାର୍ଟର ଦ୍ୱାରା ଟିକସଦାତାଙ୍କ ଅଧିକାର ସ୍ପଷ୍ଟ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ଵାସ ବୃଦ୍ଧି କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଏମଏସଏମଇ ସହ ଜଡିତ ଛୋଟ ଉଦ୍ୟୋଗୀଙ୍କ ପାଇଁ ୫ କୋଟି ଟଙ୍କା ପର୍ୟ୍ୟନ୍ତ କାରବାରର ଅଡିଟ ଆବଶ୍ୟକତା ଏବେ ବାଧ୍ୟତାମୂଳକ ହେବ ନାହିଁ । ପୂର୍ବରୁ ଏହି ସୀମା ୧ କୋଟି ଟଙ୍କା ଥିଲା କିନ୍ତୁ ଏହାକୁ ଏବେ ବୃଦ୍ଧି କରାଯାଇ ୫ କୋଟି ଟଙ୍କା କରି ଦିଆଯାଇଛି ।

ସରକାରୀ ଚାକିରି ପାଇଁ ଏକକ ପରୀକ୍ଷା:

ଏବେ ସରକାରୀ ଚାକିରି ପାଇଁ ଯୁବବର୍ଗଙ୍କୁ ବିଭିନ୍ନ ପ୍ରକାର ଅଲଗା ଅଲଗା ପରୀକ୍ଷା ଦେବାକୁ ପଡୁଛି । ଏହି ବ୍ୟବସ୍ଥାକୁ ବଦଳାଇ ଏବେ ବ୍ୟାଙ୍କ, ରେଳବାଇ ଓ ଅନ୍ୟ ଯେକୌଣସି ସରକାରୀ ଚାକିରୀ ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି ଦ୍ୱାରା ଆରମ୍ଭ ହୋଇଥିବା ଅନଲାଇନ କମନ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ:

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନର ଲକ୍ଷ୍ୟକୁ ସାକାର କରିବା ଲାଗି ଫେସଲେସ ଅପିଲର ବ୍ୟବସ୍ଥା, ପ୍ରତ୍ୟକ୍ଷ ଟିକସର ସରଳ ବ୍ୟବସ୍ଥା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାରକୁ ଗୁରୁତ୍ଵ, ସ୍ୱୟଂ ପଞ୍ଜିକରଣ ଆଦି ପଦକ୍ଷେପ ନିଆଯାଇଛି ।

ସହଜ କାର୍ୟ୍ୟ ଓ ସହଜ ଜୀବନ:

ଆହୁରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏକ ଲକ୍ଷ ଗ୍ରାମ ପଞ୍ଚାୟତରେ ଅଙ୍ଗନୱାଡି, ସ୍କୁଲ, କଲ୍ୟାଣ କେନ୍ଦ୍ର ଏବଂ ଥାନାକୁ ବ୍ରଡବ୍ୟାଣ୍ଡରେ ଯୋଡ଼ିବାର ଐତିହାସିକ ପଦକ୍ଷେପ ବଜେଟରେ ଘୋଷଣା କରାଯାଇଛି ।

ଏହା ସହଜ କାର୍ୟ୍ୟ ଓ ସହଜ ଜୀବନକୁ ସୁନିଶ୍ଚିତ କରିବା ବୋଲି ସେ କହିଛନ୍ତି ।

ଏହା ବହୁ ଉପାନ୍ତ ଗ୍ରାମକୁ ମଧ୍ୟ ବ୍ରଡବ୍ୟାଣ୍ଡ ଜରିଆରେ ଯୋଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶେଷରେ କହିଥିଲେ ଯେ, କେନ୍ଦ୍ର ବଜେଟ ୨୦୨୦ ଦେଶରେ ଆୟ ଓ ନିବେଶ, ଚାହିଦା ଓ ଉପଯୋଗକୁ ସୁଦୃଢ କରିବା ସହିତ ଆର୍ଥିକ ବ୍ୟବସ୍ଥା ଓ ପୁଞ୍ଜି ପ୍ରବାହକୁ ତ୍ଵରାନ୍ଵିତ କରିବ ।