
ଆସିକା,୦୭/୦୫(ଜିଲ୍ଲା ଖବର) : ଡାକ ଜୀବନ ବୀମା (ପି. ଏଲ୍. ଆଇ.) ଓ ଗ୍ରାମୀଣ ଡାକ ଜୀବନ ବୀମା (ଆର୍. ପି. ଏଲ୍. ଆଇ.) ବ୍ୟବସାୟ କ୍ଷେତ୍ରରେ ଆସିକା ଡାକ ମଣ୍ଡଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ୫୧ କୋଟି ଟଙ୍କାର ପ୍ରିମିୟମ ପୂରଣ କରିବାକୁ ଯାଇ ୬୭ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରି ୧୩୧ ପ୍ରତିଶତ ସଫଳତା ପାଇଛି। ଏହା ଦ୍ବାରା ଆସିକା ଡାକ ମଣ୍ଡଳ ଓଡ଼ିଶାର ଅନ୍ୟ ୨୨ଟି ଡାକ ମଣ୍ଡଳକୁ ପଛରେ ପକେଇ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଈଁ ଆସିକା ଡାକ ମଣ୍ଡଳକୁ ଗତ ମଙ୍ଗଳବାର ଓ ବୁଧବାର ଦିନ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଡାକ ପ୍ରଶିକ୍ଷଣ କେନ୍ଦ୍ରଠାରେ ଆୟୋଜିତ ଦ୍ଵିଦିବସୀୟ ବାର୍ଷିକ ବ୍ୟବସାୟ ଯୋଜନା-୨୦୨୬ କର୍ମଶାଳାର ଅନ୍ତିମ ଦିବସରେ ପୁରସ୍କୃତ କରାଯାଇଛି। ଓଡ଼ିଶା ପୋଷ୍ଟାଲ ସର୍କଲର ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ ନିର୍ମଳଜିତ୍ ସିଂ, ବ୍ରହ୍ମପୁର ପୋଷ୍ଟାଲ୍ ରିଜନର ପୋଷ୍ଟ ମାଷ୍ଟର ଜେନେରାଲ କର୍ଣ୍ଣେଲ ବିନୋଦ କୁମାର, ଡାକ ସେବା ନିର୍ଦ୍ଦେଶକ (ମୁଖ୍ୟାଳୟ) ଏମ. କୋରାଗାପ୍ପା, ସମ୍ବଲପୁର ପୋଷ୍ଟାଲ୍ ରିଜନର ଡାକ ସେବା ନିର୍ଦ୍ଦେଶକ ଏସ. କେ. ଠାକରେ ଉପସ୍ଥିତ ରହି ଆସିକା ଡାକ ମଣ୍ଡଳର ଅଧିକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଦିଲ୍ଲୀପ କୁମାର ବେହେରାଙ୍କୁ ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନ କରିଛନ୍ତି। ଏହା ପରେ ଗୁରୁବାର ଦିନ ଆସିକା ଡାକ ମଣ୍ଡଳ କାର୍ଯ୍ୟାଳୟରେ ସହକାରୀ ଡାକ ଅଧିକ୍ଷକ ପରମାନନ୍ଦ କଣ୍ଠଙ୍କ ସମେତ ବିଭାଗୀୟ କର୍ମଚାରୀ ମାନେ ଡାକ ଅଧୀକ୍ଷକ ଲେଫ୍ଟନାଣ୍ଟ କର୍ଣ୍ଣେଲ ବେହେରାଙ୍କୁ ଅଭିନନ୍ଦନ ଜଣେଇବା ସହ ସମ୍ବର୍ଦ୍ଧିତ କରିଛନ୍ତି। ଆସିକା ଡାକ ମଣ୍ଡଳର ଏହି ଗୌରବମୟ ଅଧ୍ୟାୟ ପାଇଁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଛି।



