
ଗୁରୁମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ବାନ କଲେ – ଅତିଥିବୃନ୍ଦ
ଆସିକା, ୩୦/୧(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ବଳିଷ୍ଠ ଦୂରଦୃଷ୍ଟି ଏବଂ ସାଂଗଠନିକ ଦକ୍ଷତାରେ ବାର୍ଷିକ ଉତ୍ସବ ତାହାର ଗରିମା ବଜାୟ ରଖିପାରିଛି। ଉକ୍ତ ଅବସରରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାନ ସଭା ନିର୍ବାଚ଼ନ ମଣ୍ଡଳିର ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ପାଢ଼ୀ ଏବଂ ମୁଖ୍ୟବକ୍ତା ରୂପେ ଭାରତୀୟ ଆକାଶବାଣୀ ବ୍ରହ୍ମପୁରର ଅବସର ପ୍ରାପ୍ତ ନିର୍ଦ୍ଦେଶକ ଡ. ହୃଷିକେଶ ପାଣିଗ୍ରାହୀ ଏବଂ ସମ୍ମାନିତ ଅତିଥିରୂପେ ପ୍ରମାତ୍ରା (Quantum) ପ୍ରଯୁକ୍ତି କେନ୍ଦ୍ର, କିଟ୍ ଭୁବନେଶ୍ବରର ଅବସରପ୍ରାପ୍ତ ବୈଜ୍ଞାନିକ ଓ ନିର୍ଦ୍ଦେଶକ ପ୍ରଫେସର ଅରୁଣ କୁମାର ପତି ମଞ୍ଚାସୀନ ଥିଲେ।

ଏନସିସି ଅଧିକାରୀ ଅଧ୍ୟାପକ ଚିତ୍ରସେନ ବେହେରାଙ୍କ ତତ୍ତ୍ବାବଧାନରେ ଏନସିସି କେଡେଟଙ୍କ ତରଫରୁ ମୁଖ୍ୟଅତିଥି ଆସିକା ବିଧାୟକଙ୍କୁ ଗାର୍ଡ ଅଫ୍ ଅନର ଦ୍ବାରା ପାଛୋଟି ନିଆଯାଇଥିଲା। ଛାତ୍ର ଆଶିଷ କୁମାର ଏବଂ ଗ୍ରୁପ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ମୁଖ୍ୟ ଅତିଥି ଆସିକା ବିଧାୟକଙ୍କ ଆସିକା ବିଜ୍ଞାନ ମହାବିଦ୍ୟାଳୟ ପ୍ରତି ଅନେକ ଭଲପାଇବାର ନିଦର୍ଶନ ତାଙ୍କରି ଓଜୋଶ୍ବୀନି ସଂଭାଷଣରୁ ଜଣା ପଡିଥିଲା। ମହାବିଦ୍ୟାଳୟର ଅନେକ ଆନୁଷଙ୍ଗିକ କର୍ମ ସହିତ ଅଟିକି ଥିବା କ୍ରୀଡାଙ୍ଗନାର ପାଚ଼େରୀ, ୫୦ ଶଯ୍ୟା ବିଶିଷ୍ଟ ବାଳକ ଏବଂ ୫୦ ଶଯ୍ୟା ବିଶିଷ୍ଟ ବାଳିକା ଛାତ୍ରାବାସ ନିର୍ମାଣର ଅନୁଦାନ ପ୍ରଦାନ ବିଷୟରେ ନିଜ ମତ ପ୍ରକାଶ କରିଥିଲେ ଏବଂ ଯେ କୌଣସି ପରିସ୍ଥିତିରେ ମଧ୍ୟ ମହାବିଦ୍ୟାଳୟ ପ୍ରତି ସାହାଯ୍ୟ ଏବଂ ସୌହାର୍ଦ୍ଦ୍ୟର ହାତ ବଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସଙ୍ଗୀତ ମୁର୍ତ୍ସନାର ତାଳେ ତାଳେ ମୁଖ୍ୟବକ୍ତା ଡ. ପାଣିଗ୍ରାହୀ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଜୀବନର ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କ ଶୈକ୍ଷିକ ଏବଂ ନୈତିକତାର ବାର୍ତ୍ତା ଉପସ୍ଥାପନା କରିଥିଲେ। ଆସିକା ଅଞ୍ଚଳର ଗୌରବମୟ ଇତିହାସ, ଆସିକା ଅଞ୍ଚଳର ଅନେକ ମହାନୁଭବ, ମହାପୁରୁଷଙ୍କ ବିଷୟରେ ପ୍ରାଞ୍ଜଳ ବକ୍ତବ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାର ବାର୍ତ୍ତା ରଖିଥିଲେ।

ସମ୍ମାନିତ ଅତିଥି ପ୍ରଫେସର ପତି ଗୁରୁମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ବାନ କରିଥିଲେ। ଆସିକା ବିଜ୍ଞାନ ମହାବିଦ୍ୟାଳୟର ସମସ୍ତ ଅଧିକାରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ୫୮ତମ ବାର୍ଷିକ ମହୋତ୍ସବ ଅବସରରେ ସର୍ବଶ୍ରେଷ୍ଠ ପ୍ରାକ୍ତନ ଛାତ୍ରମାନଙ୍କୁ ମୁଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ରୂପେ ପାଇ ନିଜକୁ ଧନ୍ୟମନେ କରିଛନ୍ତି ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଗାମୀ ଭବିଷ୍ୟତର ଉଦାହରଣ ସୃଷ୍ଟି କରିପାରିଛନ୍ତି। ପ୍ରଶାସନିକ ଅଧିକାରୀ ପ୍ରଫେସର ବିଭୁତି ଭୂଷଣ ବେବର୍ତ୍ତା ଏବଂ ଅଧ୍ୟାପକ ସରୋଜ କୁମାର ପଣ୍ଡା ଅତିଥିମାନଙ୍କ ପରିଚ଼ୟ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ବାରା ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ଧ୍ବନୀରେ ଚତୁର୍ଦ୍ଧା ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା। ଶୈକ୍ଷିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ସଭା ପରିଚାଳନାର ସାମୁହିକ ଦାୟିତ୍ବ ନିର୍ବାହ କରିଥିଲେ। ମାନବିକତା, ବାଣିଜ୍ୟ ଏବଂ ବିଜ୍ଞାନ ସମାଜର ସମନ୍ବୟକାରୀ ଅଧ୍ୟାପକ ସାଲକୁମାର ସ୍ବାମୀ, ସାରଥୀ ଗୋମାଙ୍ଗ ଏବଂ ଲକ୍ଷ୍ମୀକାନ୍ତ ଷଢ଼ଙ୍ଗି ମଞ୍ଚାସୀନ ଥିବାର ନଜିର ରହିଥିଲା। ଅଧ୍ୟାପକ ଡ. ଅଜିତ କୁମାର ମୁନୀ ସଭାକାର୍ଯ୍ୟର ଉଦ୍ଘୋଷକ ରୂପେ କାର୍ଯ୍ୟ ସଂପାଦନା କରିଥିଲେ। ବରିଷ୍ଠ ପ୍ରଧ୍ୟାପିକା ଡ. ନନ୍ଦିତା ଦାଶ ଅତିଥିମାନଙ୍କ ଆତିଥ୍ୟତାର ଦାଇତ୍ବ ବହନ କରିଥିଲେ।ଡ. ଶୁଭେନ୍ଦୁ କୁମାର ରଥ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ।ମଞ୍ଚ ସାଜସଜ୍ଜା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ଜିନିତ ସବା, ପଦ୍ମାବତୀ ମଲ୍ଲିକ, ମିନତି ବେହେରା, ରଶ୍ମୀପ୍ରିୟା କାଲୋ, ରେଶମାରାଣୀ ପାତ୍ର, ଅଧ୍ୟାପକ ଡ.ଗଣେଶ୍ବର ପ୍ରଧାନ, ସନାତମ ପାଢ଼ୀ, ରାଜେଶ କୁମାର ସାହୁ, ପବିତ୍ର ଧାଙ୍ଗଡାମାଝୀ, ପ୍ରଭାକର ସେଠୀ, ଗୌତମ ମାଝୀ, ଓମ ପ୍ରକାଶ ସରାଫ, ପେରଭାକର ସେଠୀ, ପ୍ରିୟବ୍ରତ ପ୍ରଧାନ, ଅଶୋକ କୁମାର ସାହୁ, ଇତ୍ୟାଦି ସମସ୍ତ କର୍ମଚାରୀ ବାର୍ଷିକ ଉତ୍ସବର ସମସ୍ତ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିଥିଲେ। ସମସ୍ତ ମଞ୍ଚାସୀନ ଅତିଥି, ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ଦ୍ବାରା ବାର୍ଷିକ ଉତ୍ସବ ପ୍ରତି ଆୟୋଜିତ ହୋଇଥିବା ସାହିତ୍ୟିକ ଓ ସାଂସ୍କୃତିକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବଶ୍ରେଷ୍ଠ ଛାତ୍ର ସାହିତ୍ୟିକ ହିମାଂଶୁ ରୟଜିତ ଜେନା ଏବଂ ସର୍ବଶ୍ରେଷ୍ଠ ସାସ୍କୃତିକ ଛାତ୍ରରୂପେ ଓମକାର ପ୍ରିୟଦର୍ଶୀ ଦାଶକୁ ଟ୍ରଫି ପ୍ରଦାନ କରାଯାଇଥିଲା। ତତ୍ପାଶ୍ଚାତ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ଆକର୍ଷଣନୀୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଅଚ଼ିରେ ବିମୋହିତ କରିପାରିଥିଲା। କାର୍ଯ୍ୟବରିଷ୍ଟ ଛାତ୍ର ସଂଗଠକ ରାଜେନ୍ଦ୍ର କୁମାର ଗୌଡ଼, ଏବଂ କନିଷ୍ଠ ଛାତ୍ର ସଂଗଠକ ସାଇପ୍ରସାଦ ଗୌଡ଼ ମଧ୍ୟ ସମସ୍ତ ଦାଇତ୍ବ ନିର୍ବାହ କରିଥିଲେ। ପରିଶେଷରେ ଅଧ୍ୟାପକ ଡ. ଅଜିତ କୁମାର ମୁନୀ ସମସ୍ତଙ୍କୁ ଆନିଷ୍ଠାନିକ ରୂପେ ଧନ୍ୟବାଦ ଅର୍ପଣ କରିଥିଲେ।



