
*ସେବା ମାଧ୍ୟମରେ ନିଜର ବ୍ୟକ୍ତିତ୍ବ ବିକାଶ କରିବା ପାଇଁ ଆହ୍ବାନ କଲେ – ଅଧ୍ୟକ୍ଷ।*
*ସାପ୍ତାହିକ ଶିବିର ଭବିଷ୍ୟତର ନେତୃତ୍ବ ଏବଂ ସାହାସିକତାର ପ୍ରତୀକ – ସମ୍ମାନିତ ଅତିଥି**
ଆସିକା ତା ୩/୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ବେବର୍ତାଙ୍କ ସଭାପତିତ୍ବରେ ଖାରିଆ ଗ୍ରାମର ସରକାରୀ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ସାପ୍ତାହିକ ସ୍ବତନ୍ତ୍ର ଶୀତକାଳିନ ଶିବିର ସମ୍ପର୍ଣ୍ଣ ହୋଇଯାଇଛି। ଉକ୍ତ ଅବସରରେ ମୁଖ୍ୟ ଅତିଥିରୂପେ ସେହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାରଙ୍ଗଧର ଦାଶ, ସମ୍ମାନିତ ଅତିଥି ରୂପେ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଗୋବିନ୍ଦ ଚ଼ନ୍ଦ୍ର ବଣ, ସ୍ବ ମହାବିଦ୍ୟାଳୟର ଭାରତ ସ୍କାଉଟ୍ ଗାଇଡ୍ସର ଅଧିକାରୀ ଆଇ.ଟି ଅଧ୍ୟାପକ ଶ୍ରୀ ସରୋଜ କୁମାର ପଣ୍ଡା, ଯୁବରେଡକ୍ରସର ଉପଦେଷ୍ଟା ହିନ୍ଦୀ ଅଧ୍ୟାପକ ଶ୍ରୀ ରାଜେଶ୍ କୁମାର ସାହୁ ଉପସ୍ଥିତ ଥିଲେ। ଯୁକ୍ତ ତିନି ଜାତୀୟ ସେବା ଯୋଜନାର ଅଧିକାରୀ ଶ୍ରୀ ଚିତ୍ରସେନ ବେହେରା ସଭା ସଂଚାଳନ କରିଥିଲେ। ପ୍ରଫେସର ବେବର୍ତ୍ତା ନିଜର ସଭାପତିତ୍ବ ଭାଷଣରେ ସମସ୍ତ ସ୍ବେଚ୍ଛାସେବୀମାନଙ୍କୁ ସେବା ମାଧ୍ୟମରେ ନିଜର ବ୍ୟକ୍ତିତ୍ବ ବିକାଶ କରିବା ପାଇଁ ଆହ୍ବାନ କରିଥିଲେ।

ମୁଖ୍ୟ ଅତିଥି ଶ୍ରୀ ଦାଶ ନବ ବର୍ଷରେ ସମସ୍ତଙ୍କ ମଙ୍ଗଳ କାମନା କରି କହିଥିଲେ ସମସ୍ତ କାର୍ଯ୍ୟରେ ନିଜର ସମୟାନୁବର୍ତ୍ତିତା, ନିୟମିତତା, ଦାଇତ୍ବବୋଧ, ଧୌର୍ଯ୍ୟ ଆପଣାଇ ସମସ୍ତ ସଚ଼େତନତା କାର୍ଯ୍ୟକ୍ରମ ପରିସମାପ୍ତି କରିଥିବାରୁ ସମସ୍ତ ଛାତ୍ରଛାତ୍ରୀ ସ୍ବେଚ୍ଛାସେବକମାନଙ୍କୁ ପ୍ରଶଂସା କରିଥିଲେ। ସ୍କାଉଟ୍ ଅଧିକାରୀ ଅଧ୍ୟାପକ ପଣ୍ଡା ମଞ୍ଚାସୀନ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ରେଡକ୍ରସ ଉପଦେଷ୍ଟା ଅଧ୍ୟାପକ ସାହୁ ପ୍ରତ୍ୟେକ ସଚ଼େତନତା କାର୍ଯ୍ୟକ୍ରମରୁ ମହତ୍ ଶିକ୍ଷା ଗ୍ରହଣ କରି ନିଜ ଭବିଷ୍ୟତ ଜୀବନରେ ଉପଯୋଗ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ଏବଂ ଏହି ସାପ୍ତାହିକ ଶିବିର ଭବିଷ୍ୟତର ନେତୃତ୍ବ ଏବଂ ସାହାସିକତାର ପ୍ରତୀକ ବୋଲି କହିଥିଲେ। ସଭା ସଂଚାଳକ ଓ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ବେହେରା ଜୀବନରେ ସ୍ବାର୍ଥାନ୍ଧ ନହୋଇ ମାନବ ସେବା ପ୍ରତି ଆକୃଷ୍ଟ ହେବା ପାଇଁ ଆହ୍ବାନ କରିଥିଲେ। ପୂର୍ବତନ ଜାତୀୟ ସେବା ଯୋଜନା ଅଧିକାରୀ ଚ଼ନ୍ଦନ ମାରାଣ୍ଡି ପ୍ଳାଷ୍ଟିକମୁକ୍ତ ଭାରତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ। ମହାବିଦ୍ୟାଳୟର ମହିଳା ଶାଖା ସ୍କାଉଟ୍ ରୋଭର୍ସ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋ ଏବଂ ଯୁବ ରେଡ୍ ରିବନ କ୍ଳବର ଉପଦେଷ୍ଟା ଡ. ମାଧୁରୀ ହେମ୍ବ୍ରମ ମଧ୍ୟ ଉପସ୍ଥିତ ଥିଲେ। ଗ୍ରାମର ସ୍ବଚ୍ଛ ପରିବେଶ, ଆର୍ଥିକ ସ୍ବଚ୍ଛଳ ନଥିବା ଯୋଗୁଁ ଅଧପାନ୍ତରିଆ ପାଠ ପଢ଼ାରୁ ବଞ୍ଚିତ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁନଶ୍ଚ ଶିକ୍ଷାର ନୂଆଁ ଦିଗ୍ଦର୍ଶନ ଦେବା ପାଇଁ ସ୍ବେଛାସେବୀ ଛାତ୍ରଛାତ୍ରୀ ଦୁଇଟି ଗ୍ରାମ ଖାରିଆ ଏବଂ ଘଟକୁରୀକୁ ପୋଷ୍ୟଗ୍ରାମରୂପେ ଚିହ୍ନଟ କରିଥିଲେ। ବାଲ୍ୟ ବିବାହରୁ ବିମୁକ୍ତ ରହିବା, ବୃକ୍ଷରୋପଣ, ଗ୍ରାମ ପରିବେଶକୁ ସ୍ବଚ୍ଛତା ରଖିବା, ପ୍ରୌଢ଼ ଶିକ୍ଷା ସଚ଼େତନତାର ଅଭିଜ୍ଞତାତୁ ସମସ୍ତ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ବଖାଣି ଥିଲେ।
ଶିବିରର ସମସ୍ତ ସ୍ବେଚ୍ଛାସେବୀ ଶିବିରାର୍ଥିମାନଙ୍କୁ ମଞ୍ଚାସୀନ ଅତିଥିଙ୍କ କରକମଳରେ ଜାତୀୟ ସେବା ଯୋଜନା ଏବଂ ଜାତୀୟ କ୍ରୀଡା ମନ୍ତ୍ରାଳୟ ତରଫରୁ ପ୍ରମାଣପତ୍ର ଅର୍ପଣ କରାଯାଇଥିଲା। ପରିଶେଷରେ ଯୁକ୍ତ ତିନି ଜାତୀୟ ସେବା ଯୋଜନା ମହିଳା ଶାଖାର ଯୋଜନା ଅଧିକାରୀ ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ଯୋଗେଶ୍ବରୀ ଧାରୁଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



