ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ଡ଼ାକ୍ତରୀ ପରୀକ୍ଷଣ ଓ ସହାୟକ ଉପକରଣ ଚିହ୍ନଟ କାର୍ଯ୍ୟକ୍ରମ

17

ଚିକିଟୀ,୬/୮(ଜିଲ୍ଲା ଖବର) : ଜାତୀୟ ଶିକ୍ଷା ନୀତି ୨୦୨୦ ର ପଞ୍ଚମ ବାର୍ଷିକ ପୂର୍ତ୍ତି ଅବସରରେ ସମଗ୍ର ଭାରତରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ହେଉଅଛି। ଏହି ଅବସରରେ ସମଗ୍ର ଶିକ୍ଷା ଗଞ୍ଜାମ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କ ପାଇଁ ଆୟୋଜନ କରିଛି ଓ ଡାକ୍ତରି ପରୀକ୍ଷା ଓ ସହାୟକ ଉପକରଣ ଚିହ୍ନଟ କାର୍ଯ୍ୟକ୍ରମ, ଯାହା ଚିକିଟୀ ବ୍ଲକ୍ ଅନ୍ତର୍ଗତ ଚିକିଟୀ ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହୋଇ ଯାଇଛି।

ବ୍ଲକ୍ ର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ମସ୍ତିଷ୍କ ପକ୍ଷାଘାତ, ଚଳନ ବାଧିତ, ଶ୍ରବଣ ବାଧିତ, ସମ୍ପୂର୍ଣ୍ଣ ଦୃଷ୍ଟି ବାଧିତ, ସ୍ୱଳ୍ପ ଦୃଷ୍ଟି ବାଧିତ ଓ ବୌଦ୍ଧିକ ବାଧିତ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ମୋଟ ୭୩ ଜଣ ଶିକ୍ଷାର୍ଥୀ ସେମାନଙ୍କର ପିତାମାତା/ ଅଭିଭାବକ ମାନଙ୍କ ସହିତ ଯୋଗ ଦେଇଥିଲେ। ଭାରତ ସରକାରଙ୍କ ଦ୍ଵାରା ପରିଚାଳିତ କୃତ୍ରିମ ଅଙ୍ଗ ପ୍ରସ୍ତୁତକାରୀ ସଂସ୍ଥା, ଭୁବନେଶ୍ୱରରୁ ଆସିଥିବା ସ୍ଵତନ୍ତ୍ର ଡାକ୍ତର ଶ୍ରୀ ମନୋରଞ୍ଜନ ଓଝା, ଶ୍ରୀ ବେଦ ପ୍ରକାଶ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଶ୍ରୀ ଶୁଭମ୍ ପାଣିଗ୍ରାହୀ ତଥା ସାଇଟ୍ ସେଭର୍ସ ଇଣ୍ଡିଆର ଟେକ୍ନିସିଆନ୍ ଶ୍ରୀ ଜନ୍ମେଜୟ ମାଝୀ ପରୀକ୍ଷଣ କାର୍ଯ୍ୟ ନିର୍ବାହ କରିଥିଲେ। ବିଭିନ୍ନ ଆବଶ୍ୟକ ଉପକରଣ ଯଥା- ତିନି ଚକିଆ ସାଇକେଲ, ହ୍ୱିଲ ଚେୟାର, ଆଶାବାଡ଼ି, ରୋଲେଟର, ଶ୍ରବଣ ଯନ୍ତ୍ର, ବ୍ରେଲ କିଟ୍, ସ୍ୱଳ୍ପ ଦୃଷ୍ଟି ବାଧିତ ଉପକରଣ ଆଦି ନିଃଶୁଳ୍କ ପ୍ରଦାନ କରାଯିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରାଯାଇଥିଲା। ସେମାନଙ୍କ ଠାରୁ ଆବଶ୍ୟକ କାଗଜ ପତ୍ର ଗ୍ରହଣ କରାଯାଇ ଯାଞ୍ଚ କରାଯିବା ପରେ ଉପକରଣ ପ୍ରଦାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତଥା ବି.ଆର୍.ସି.ସି ଶ୍ରୀ ତ୍ରିନାଥ ମଲ୍ଲିକ, ଗଞ୍ଜାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀ ତପନ କୁମାର ସାହୁ, ଚିକିଟୀ ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିବେଦିତା ପାଣିଗ୍ରାହୀ ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ।

ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁସାରେ ବିଭିନ୍ନ ଉପକରଣ ଯୋଗାଇ ପାରିଲେ ସେମାନେ ନିୟମିତ ବିଦ୍ୟାଳୟ ଆସି ଗୁଣାତ୍ମକ ଶିକ୍ଷା ଗ୍ରହଣ କରି ପାରିବେ ବୋଲି ବି.ଆର୍.ସି.ସି ଶ୍ରୀ ମଲ୍ଲିକ ମତ ପ୍ରଦାନ କରିବା ସହିତ ଗଞ୍ଜାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ବିଭାଗ ତରଫରୁ ଆୟୋଜିତ ଏଭଳି କାର୍ଯ୍ୟକ୍ରମକୁ ଦୃଢ଼ ପ୍ରଶଂସା କରିଥିଲେ। କୁକୁଡ଼ା ଖଣ୍ଡି ବ୍ଲକ୍ ସମ୍ବଳ ଶିକ୍ଷକ ଏମ. ଡମ୍ବୁରୁ ଦୋରା, ପୁରୁଷୋତ୍ତମ ପୁର ବ୍ଲକ୍ ସମ୍ବଳ ଶିକ୍ଷକ ଅଜୟ କୁମାର ସାହୁ, ଚିକିଟୀ ବ୍ଲକ୍ ର ସମସ୍ତ ସି.ଆର୍.ସି.ସି, ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା, ଅନ୍ତର୍ନିବେଶୀ ଶିକ୍ଷା ସ୍ବେଚ୍ଛାସେବୀ, ବି.ଆର୍.ଟି ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।