
ଆସିକା,୧୪/୭ : ଆସିକା ବ୍ଲକ ଅନ୍ତର୍ଗତ ନଳବଣ୍ଟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଫାଇଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଅନିତା କୁମାରୀ ସ୍ୱାଇଁ, ଏଏନଏମ ଏଲ. ଅମ୍ବିକା ରେଡ୍ଡୀ ଏବଂ ସ୍ବେଛାସେବୀ ସତ୍ୟନାରାୟଣ ମିଶ୍ର ପ୍ରମୁଖ ଫାଇଲେରିଆ ରୋଗ କାରଣ ଓ ନିରାକରଣ ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଇ କହିଥିଲେ.ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଭାରତ ବର୍ଷକୁ ଫାଇଲେରିଆ ମୁକ୍ତ କରିବା ଲକ୍ଷ୍ୟ ନେଇ ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସମସ୍ତେ ସାମିଲ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆ ଯାଇଥିଲା.ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିଲେ କାର୍ଯ୍ୟକ୍ରମ ସଫଳ ହେବ ବୋଲି ଉପସ୍ଥିତ ଅତିଥି କହିଥିଲେ.ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଏନଏସିରେ ଥିବା ସ୍କୁଲ ଓ କଲେଜରେ ସାମୁହିକ ଔଷଧ ପାଇଁ ସଚେତନ କରାଯାଉଛି. ଆସନ୍ତା ଅଗଷ୍ଟ 10 ରୁ 19 ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ.ଏଥିରୁ ଯେପରି ଜଣେ ମଧ୍ୟ ବିଚ୍ୟୁତ ନହୁଅନ୍ତି ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ମଧ୍ୟ ଜାରି କରାଯାଇଛି.ସେହିପରି ବାବନପୁର ସ୍ଥିତ ସରକାରୀ ଚିନିଶିଳ୍ପ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି.ଏଥିରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଭାସିନୀ ପ୍ରଧାନ,ପ୍ରଧାନଶିକ୍ଷକ ଗୌରୀ ଶଙ୍କର ଗୌଡ଼,ସୋସିଆଲ ମୋବିଲାଇଜର ସତ୍ୟନାରାୟଣ ମିଶ୍ର ପ୍ରମୁଖ ଫାଇଲେରିଆ ରୋଗ ସମ୍ପର୍କରେ ସଚେତନ କରିଥିଲେ |



