![]()

Published : July 10, 2025 ଫୁଲବାଣୀ/ଗଞ୍ଜାମ: ଏକାସାଙ୍ଗରେ 3 ସନ୍ତାନ ଜନ୍ମ ଦେଲେ ଜଣେ କୁଟିଆ ଜନଜାତିର ମହିଳା । ତା ପୁଣି କୌଣସି ବଡ ହସ୍ପିଟାଲରେ ନୁହେଁ ବରଂ ରାଜ୍ୟ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଗତ ରବିବାର ଓଡ଼ିଶାର କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ 3 ସନ୍ତାନ ଜନ୍ମ ନେଇଛନ୍ତି । ତେବେ ଜଣେ ଡାକ୍ତର ଏବଂ ତାଙ୍କୁ ସହଯୋଗ କରୁଥିବା ନର୍ସଙ୍କ ମିଳିତ ଉଦ୍ୟମରେ ସ୍ୱାଭାବିକ ଭାବରେ ତିନୋଟି ସନ୍ତାନକୁ ସୁରକ୍ଷିତ ଭାବରେ ପ୍ରସବ କରିଥିଲେ ମହିଳା । ଏନେଇ ଫୋନୋ ଯୋଗେ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ପୂରା ଟିମ୍ ।

ଏକାସାଙ୍ଗରେ 3 ସନ୍ତାନ ଜନ୍ମ ଦେଲେ ମହିଳା:
କନ୍ଧମାଳ ଭଳି ଆଦିବାସୀ ବହୁଳ ଜିଲ୍ଲାର ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକକାଳୀନ ତିନୋଟି ସନ୍ତାନ ପ୍ରସବ କରାଇଲେ ଜଣେ କୁଟିଆ ଜନଜାତିର ମହିଳା । ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ ଦେଉଗାଡ଼ା ଗ୍ରାମର କଂସ ମାଝୀଙ୍କ ପତ୍ନୀ ରଞ୍ଜିତା ମାଝୀ । ହେଲେ ପୂର୍ବରୁ ଅଲଟ୍ରାସାଉଣ୍ଡ କରିନଥିବାରୁ ମହିଳାଙ୍କ ପେଟ 3 ସନ୍ତାନ ବଢୁଥିବା ନେଇ କେହି ଅବଗତ ନଥିଲେ । ତେବେ ସେ ସୁରକ୍ଷିତ ଭାବେ 3 ସନ୍ତାନକୁ ଜନ୍ମ ଦେଇଛନ୍ତି । ସନ୍ତାନ ପ୍ରସବ ପରେ ଉଭୟ ମା’ ଓ 3 ଶିଶୁ ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି । ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପଠାଯାଇଥିବା ବେଳେ ସେଠାରେ ସ୍ୱତନ୍ତ୍ର ନବଜାତ ଶିଶୁ କେନ୍ଦ୍ରରେ ମା’ ଓ ତିନି ଶିଶୁଙ୍କୁ ରଖାଯାଇଛି।
ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହା ପ୍ରଥମ ଘଟଣା !
କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଦେଉଗାଡ଼ା ଗ୍ରାମର ୨୬ ବର୍ଷୀୟା ମହିଳା ରଞ୍ଜିତାଙ୍କ ପ୍ରସବ ବେଦନା ହେବାରୁ ତାଙ୍କ ସ୍ୱାମୀ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିତ୍ସା ଆରମ୍ଭ କରିବା ସହିତ ପ୍ରସବ କରାଇବାର ପ୍ରକ୍ରିୟା ଆରମ୍ଭ କରିଥିଲା । ମହିଳାଙ୍କର ଏହା ଚତୁର୍ଥ ପ୍ରସବ ହୋଇଥିବା ଜଣାପଡିଥିଲା । ହେଲେ ଏହି ଗର୍ଭବତୀ ମହିଳାଙ୍କ ଗର୍ଭରେ ତିନୋଟି ସନ୍ତାନ ରହିଥିବା ବିଷୟରେ ଡାକ୍ତର କିମ୍ୱା ନର୍ସ ଜାଣିନଥିଲେ । ପ୍ରଥମ ସନ୍ତାନ ପ୍ରସବ ପରେ ଦ୍ୱିତୀୟ ସନ୍ତାନ ରହିଥିବା ଜଣାପଡିଥିଲା । ହେଲେ ଶେଷରେ ତୃତୀୟ ସନ୍ତାନ ରହିଥିବା ପ୍ରସବ ସମୟରେ ଜଣାପଡିଥିଲା ବୋଲି ଉପସ୍ଥିତ ରହିଥିବା ଡାକ୍ତର କହିଛନ୍ତି । ପୂର୍ବରୁ ଦୁଇଟି ସନ୍ତାନ ଜନ୍ମ କରାଇବାର ଅନୁଭୂତି ରହିଥିଲା ହେଲେ ତିନୋଟି ସନ୍ତାନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ କରାଇବା ଘଟଣା ପ୍ରଥମ ବୋଲି କହିଛନ୍ତି । ଏପରିକି ମହିଳାଙ୍କର ପୂର୍ବରୁ ଜଣେ ୮ ବର୍ଷର ପୁଅ ଓ ୪ ବର୍ଷର ଝିଅ ରହିଥିଲେ ।

ଦୁଇ କିମ୍ୱା ତିନୋଟି ସନ୍ତାନ ପ୍ରସବ ସମୟରେ କିପରି ରହିଥାଏ ଡାକ୍ତରଙ୍କ ଭୂମିକା ?
ସାଧାରଣ କ୍ଷେତ୍ରରେ ଜଣେ ଗର୍ଭବତୀ ମହିଳା ପ୍ରସବ ସମୟର ପ୍ରଥମ ସନ୍ତାନ ପ୍ରସବ କରାଇବାର ଅଧ ଘଣ୍ଟା ମଧ୍ୟରେ ଦ୍ୱିତୀୟ ସନ୍ତାନ ଜନ୍ମ ହୋଇଯାଇଥାଏ । ହେଲେ କନ୍ଧମାଳ ଜିଲ୍ଲାର ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କ୍ଷେତ୍ରରେ ତାହା ହୋଇନଥିବା ଯୋଗୁଁ ଡାକ୍ତରଙ୍କ ମନରେ ସାମାନ୍ୟ ଭୟ ରହିଥିଲା । ସେହି ସମୟରେ ପରିବାର ବର୍ଗଙ୍କୁ କିଛି ମଧ୍ୟ ହୋଇପାରେ ବୋଲି ଉପସ୍ଥିତ ଡାକ୍ତର ବୁଝାଇବା ସହିତ ନିଜେ କିପରି ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବରେ ପ୍ରସବ କରାଇବେ ସେଥିପାଇଁ ଉଦ୍ୟମ ରଖିଥିଲେ ।
ସୁରକ୍ଷିତ ପ୍ରସବ ପାଇଁ କଣ କରିଥିଲେ ଉପସ୍ଥିତ ଡାକ୍ତର ଓ ନର୍ସ ?
ଡାକ୍ତରୀ ପାଠ ଅନୁଯାୟୀ ପ୍ରଥମ ସନ୍ତାନ ପ୍ରସବ ପରେ ଦ୍ୱିତୀୟ ସନ୍ତାନ ଜନ୍ମ କରିବାରେ ବିଳମ୍ୱ ହେବାରୁ ଉପସ୍ଥିତ ଡାକ୍ତର ଓ ନର୍ସ ଏହାକୁ ନେଇ ଲେବର ଇନଡ୍ୟୁସ୍ କରିଥିଲେ । ଯାହାକି ପ୍ରଥମ ସନ୍ତାନର ପ୍ରସବ ପରେ ଦ୍ୱିତୀୟ ସନ୍ତାନ ଜନ୍ମ କରାଇବା ସମୟ ପ୍ରାୟ ୪୫ ମିନିଟରୁ ଏକ ଘଣ୍ଟା ମଧ୍ୟରେ ହୋଇଥିଲା । ଏପରିକି ଦ୍ୱିତୀୟ ସନ୍ତାନ ଜନ୍ମ କରିବା ପରେ ଶିଶୁଟିଏ ସଙ୍ଗେ ସଙ୍ଗେ କାନ୍ଦି ନଥିଲା । ଯାହାକୁ ନେଇ ସେହି ସମୟରେ ଆହୁରି ଅଧିକ ଚିନ୍ତିତ ହୋଇପଡିଥିଲେ ଲେବର ରୁମରେ ରହିଥିବା ଡାକ୍ତର ଏବଂ ନର୍ସ ସମେତ ପୂରା ଟିମ୍ । ଯାହାକୁ ନେଇ ଡାକ୍ତରୀ ପାଠରେ ରହିଥିବା ରିସୋସିଟେଡ୍ କରିକି ୱାରମୋରେ ରଖିଥିଲେ । ହେଲେ ତୃତୀୟ ସନ୍ତାନ ପ୍ରସବ ସମୟରେ ପ୍ରାୟତଃ ଖୁବ୍ ସହଜରେ ହୋଇଯାଇଥିଲା ବୋଲି କହିଛନ୍ତି ଡାକ୍ତର ସୁନା । ଆଲୋଚନା ସମୟରେ କହିଛନ୍ତି ତୃତୀୟ ସନ୍ତାନ ଜନ୍ମ ହେବା ପରେ ମଧ୍ୟ ସେ ସଙ୍ଗେ ସଙ୍ଗେ କାନ୍ଦି ନଥିଲା । ଯାହାକି ସେହି ପଦ୍ଧତି ଆପଣେଇଥିଲେ ।

ନର୍ସ ସିନ୍ଧୁଲତା ନର୍ସ ସିନ୍ଧୁଲତାଙ୍କ ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ:
ଲେବର ରୁମରେ ନର୍ସ ସିନ୍ଧୁଲତାଙ୍କ କାର୍ଯ୍ୟକୁ ନେଇ ପ୍ରଶଂସା କରାଯାଇଛି । ସଂପୂର୍ଣ୍ଣ କାର୍ଯ୍ୟକୁ ଡାକ୍ତର ଯାହା ଗାଇଡ୍ କରିଥିଲେ ତାହାକୁ ସେ କାର୍ଯ୍ୟକାରୀ କରିଥିଲେ ବୋଲି କହିବା ସହିତ ସେ ବହୁତ ଭଲ କାର୍ଯ୍ୟ କରିଥିବା ଯୋଗୁଁ ଏହା ସଫଳତାର ସହିତ ହୋଇପାରିଥିବା କହିଛନ୍ତି ଡାକ୍ତର ସୁନା । ମୁଖ୍ୟତଃ ପ୍ରସବ ସମୟରେ ପ୍ରଥମ ଶିଶୁଙ୍କ ଭାଇଟାଲ୍ ସବୁ ଠିକ୍ ରହିଥିଲା ଏବଂ ପ୍ରସବ ପରେ ପ୍ରାୟତଃ ଦ୍ୱିତୀୟ ଶିଶୁ ବାହାରି ଆସିଥିଲା । ହେଲେ ଡାକ୍ତରୀ ପାଠର ସର୍ଭିକାଲ ଡାଇଲେସନ୍ ଅନୁଯାୟୀ ହୋଇଯାଇଥିଲା । ତେଣୁ ସେହି ସମୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଇବା ମା’ ଏବଂ ଶିଶୁ ପାଇଁ ବିପଦ ରହିଥିବା ଯୋଗୁଁ ତାହାକୁ ପଠାଇବାକୁ ଆଉ ଚିନ୍ତା କରାଯାଇନଥିଲା । ବରଂ ସେଠାରେ ହିଁ ପ୍ରସବ କରାଇବା ପାଇଁ ଡାକ୍ତର ଓ ନର୍ସ ସ୍ଥିର କରିଥିବା ବେଳେ ଘଟଣାରେ ତୃତୀୟ ଶିଶୁ ଜନ୍ମ ନେବା ସମସ୍ତଙ୍କ ପାଇଁ ଏକ ବିସ୍ମିତ ସୃଷ୍ଟି କରିଥିଲା ।
ଉଚ୍ଚ କର୍ତ୍ତୃପକ୍ଷଙ୍କୁ କରାଯାଇଥିଲା ଅବଗତ:
ଏକ ଦୁର୍ଗମ ଅଞ୍ଚଳରେ ଡାକ୍ତର ଏବଂ ତାଙ୍କ ଟିମର ଉଦ୍ୟମରେ ତିନୋଟି ସନ୍ତାନ ସୁରକ୍ଷିତ ଭାବରେ ପ୍ରସବ କରାଇବା ପରେ ଏସମ୍ପର୍କରେ ତଥ୍ୟ ଦିଆଯାଇଥିଲେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ । ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ଘଟଣା ନେଇ ଅବଗତ କରାଯାଇଥିଲା । ଏପରିକି ଶିଶୁ ମାନଙ୍କ ଜନ୍ମ ସମୟରେ ପ୍ରଥମ ଓ ଦ୍ୱିତୀୟଙ୍କର ବହୁତ କମ୍ ଓଜନ ଏବଂ ତୃତୀୟ ଶିଶୁର ସାମାନ୍ୟ କମ୍ ଓଜନ ରହିଥିବା ଯୋଗୁଁ ତାଙ୍କୁ ବାଲିଗୁଡା ପଠାଇବାକୁ ସ୍ଥିର କରିଥିଲେ ଡାକ୍ତର ।
ଶିଶୁଙ୍କ ଓଜନ କେତେ ରହିଛି ?
ଡାକ୍ତର ପ୍ରସନ୍ନ କୁମାର ସୁନା କହିଛନ୍ତି, ‘ପ୍ରଥମ ଓ ଦ୍ୱିତୀୟ ଶିଶୁ ୧୪ ଶହ ଗ୍ରାମ ଲେଖାଏଁ ରହିଥିବା ବେଳେ ତୃତୀୟ ଶିଶୁଟି ଓଜନ ୧୬ ଶହ ଗ୍ରାମ ରହିଛି । ଘଟଣା ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଅବଗତ କରାଯାଇ ତୁରନ୍ତ ତିନି ଶିଶୁ ସହିତ ମା’ଙ୍କୁ ଯେପରି ବାଲିଗୁଡାକୁ ପଠାଇ ଦିଆଯିବ ତାହାକୁ ନେଇ ମେଡିକାଲର ଇନଚାର୍ଜଙ୍କ ସହିତ ଯୋଗାଯୋଗ କରାଯାଇ ପଠାଯିବାର ବ୍ୟବସ୍ଥା କରାଯାଇଥିଲା । ସେହି ସମୟରେ ଆମ୍ୱୁଲାନ୍ସ ମିଳୁନଥିବା ଯୋଗୁଁ ପୁରା ଟିମ୍ କିପରି ରୋଗୀଙ୍କୁ ସ୍ଥାନାନ୍ତର କରିବେ ସେ ନେଇ ଚିନ୍ତିତ ହୋଇପଡିଥିଲେ । ହେଲେ ଉଚ୍ଚ କର୍ତ୍ତୃପକ୍ଷ ଏ ନେଇ ସହଯୋଗ କରିଥିବା ଯୋଗୁଁ ସେମାନଙ୍କୁ ବୁଝାଯାଇ ପଠାଯାଇଥିଲା ।’
ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଆଶା:
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଦିବାସୀ ମହିଳାଙ୍କର ତିନୋଟି ସନ୍ତାନ ପ୍ରସବ କରାଇବା ଘଟଣାରେ ବେଲଘର ଅଞ୍ଚଳରେ ଏକ ଆନନ୍ଦମୟ ପରିବେଶ ସୃଷ୍ଟି କରିଛି । ହେଲେ ସେହି ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଆଶାକର୍ମୀ । ଯାହାକି ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି ।
କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିଲା ଏଭଳି ସହଯୋଗ:
ଏଭଳି ଘଟଣାର ବିଷୟ କୌଣସି ଚଳଚିତ୍ର କାହାଣୀ ଠାରୁ କମ୍ ନଥିବା ବେଳେ ସେହି ସମୟରେ କଣ ସହାୟତା ଆବଶ୍ୟକ କି ବୋଲି ସ୍ୱାସ୍ଥ୍ୟ ବିଭାଗର କର୍ତ୍ତୃପକ୍ଷ ପଚାରିଥିଲେ ଡାକ୍ତର ଦିବ୍ୟଜ୍ୟୋତି କର ସମସ୍ତ ପ୍ରକାର ସହଯୋଗ କରିଥିଲେ । ହେଲେ ଶିଶୁ ମାନେ ସୁରକ୍ଷିତ ଭାବରେ ପ୍ରସବ ହୋଇଥିବା ଏବଂ ମାତୃତ୍ୱର ପ୍ରସବ ପରବର୍ତ୍ତୀ ସ୍ଥତି ସଠିକ୍ ରହିଥିବା ନେଇ ଅବଗତ କରାଯାଇଥିଲା । ମା’ ମଧ୍ୟ ଡାକ୍ତରଙ୍କ ଧାର୍ଯ୍ୟ ମୁତାବକ ସମୟରେ ହଁ ସନ୍ତାନ ପ୍ରସବ କରାଇଥିବା ବେଳେ ଅନ୍ୟ ଗର୍ଭବତୀଙ୍କ ଠାରୁ ପ୍ରସବ କାଳୀନ ଯନ୍ତ୍ରଣା ମଧ୍ୟ କମ୍ ରହିଥିଲା ବୋଲି ପ୍ରସବ ସମୟରେ ରହିଥିବା ଡାକ୍ତର କହିଛନ୍ତି । ମହିଳାଙ୍କର ପୂର୍ବରୁ ରକ୍ତ ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା କରାଯାଇଥିବା ବେଳେ କୌଣସି କାରଣବଶତଃ ଗର୍ଭରେ ତିନୋଟି ସନ୍ତାନ ରହିଥିବା କଥା ସେ ଜାଣିପାରିନଥିଲେ । ଯାହାକି ତାଙ୍କର ପୂର୍ବରୁ ଅଲଟ୍ରାସାଉଣ୍ଡ ହୋଇନଥିଲା ବୋଲି କୁହାଯାଇଛି ।



