ବ୍ଲକ୍ ସ୍ତରୀୟ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ

275

ଚିକିଟି,୧୪/୩(ଜିଲ୍ଲା ଖବର) : ସମଗ୍ର ଶିକ୍ଷା, ଗଞ୍ଜାମ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଚିକିଟୀ ଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜକବି ରାଧାମୋହନ ବିଦ୍ୟାପୀଠରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ସଂପର୍କିତ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ତା୧୩.୦୩.୨୦୨୫ ରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ୍ ର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ୧ମ ଓ ୧୦ମ ଶ୍ରେଣୀ ଯାଏଁ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ପ୍ରତି ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକ/ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ମନୁଷ୍ୟ ଶରୀରର ସମସ୍ତ ଇନ୍ଦ୍ରିୟ ମଧ୍ୟରେ ଅତି ଗୁରୁତ୍ୱପୂର୍ଣ୍ଣ ଇନ୍ଦ୍ରିୟ ଚକ୍ଷୁର ଉପଯୁକ୍ତ ଯତ୍ନ ନେବା ଓ ବିଭିନ୍ନ ଚକ୍ଷୁ ଜନିତ ସମସ୍ୟା ଉପରେ ସମସ୍ତଙ୍କୁ ତାଲିମ ଦିଆ ଯାଇଥିଲା। ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ଦୃଷ୍ଟିଗତ ସମସ୍ୟାକୁ ଚିହ୍ନଟ କରିବା ଓ ଆବଶ୍ୟକ ପ୍ରତିକାର ମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଶଦ ଆଲୋଚନା କରା ଯାଇଥିଲା। ସ୍ନେଲେନ୍ ଚାର୍ଟ, ଇ-ଚାର୍ଟ ମାଧ୍ୟମରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ଦୃଷ୍ଟି କ୍ଷମତାକୁ କିପରି ଚିହ୍ନଟ କରାଯିବ ଓ ଆବଶ୍ୟକ ଫର୍ମ କିପରି ପୂରଣ କରାଯିବ, ସେ ବିଷୟ ମଧ୍ୟ ଦୃଷ୍ଟାନ୍ତ ମୂଳକ ଭାବରେ ବୁଝାଇ କୁହା ଯାଇଥିଲା। ଏହା ସହିତ ଚଳିତ ମାସ ୨୫ ତାରିଖରୁ ୨୯ ତାରିଖ ଯାଏଁ ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମକୁ ଦୃଷ୍ଟି ସମସ୍ୟା ଥିବା ଶିକ୍ଷାର୍ଥୀଙ୍କୁ ଆଣିବା ବିଷୟରେ ସୂଚନା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ୯୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ୧୨ ଜଣ ସି.ଆର୍.ସି, ୨ ଜଣ ବି.ଆର୍.ଟି ତାଲିମ ଗ୍ରହଣ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର୍.ସି ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଚକ୍ଷୁର ଉପଯୁକ୍ତ ଯତ୍ନ ନେବା ଉପରେ ଆଲୋକପାତ କରିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍ ର କେଲୁଆପଲ୍ଲୀ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ପରୀକ୍ଷକ ବୃନ୍ଦାବନ ଦଳାଇ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ତାରା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ତର୍ନିବେଶି ଶିକ୍ଷା ସ୍ବେଚ୍ଛାସେବୀ ମନୋଜ କୁମାର ମହାରଣା, ତ୍ରିନାଥ ସାହୁ, ପ୍ରଦୀପ କୁମାର ପ୍ରଧାନ, ନବୀନ ବେହେରା ଓ ରୁପଙ୍ଗ ବେହେରା ପୂର୍ଣ୍ଣ ସହଯୋଗ କରିଥିଲେ।