
ଧରାକୋଟ,୪/୩((ଜିଲ୍ଲା ଖବର) : ଧରାକୋଟ ବ୍ଲକ ଅନ୍ତର୍ଗତ ବରଡାବାଲି ପଞ୍ଚାୟତ ର କୁସଗୁମା ଗାଁର ବନିତା ସ୍ୱାଇଁ ଓ ବାଳକୃଷ୍ଣ ସ୍ୱାଇଁଙ୍କ ତିନି ଝିଅଙ୍କ ମଧ୍ୟରୁ ବଡ ଝିଅ ଅର୍ଚ୍ଚିତା । ଦ୍ଵିତୀୟ ଝିଅ ଜସ୍ମିନୀ ଓ ସାନ ଝିଅ ପଦ୍ମିନୀ ଙ୍କୁ ନେଇ ବାଳକୃଷ୍ଣ ଙ୍କ ପରିବାର ।ପିଲାଦିନରୁ ସବୁକିଛି ଠିକ ଠାକ ଚାଲି ଥିବା ଯୋଗୁଁ ଅର୍ଚ୍ଚିତା ଗାଁ ସ୍କୁଲ ରୁ ଯାଇ ବର୍ତ୍ତମାନ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୁଣ୍ଡମରାଇ ରେ ଯୁକ୍ତ ଦୁଇ ବିଜ୍ଞାନ ର ଦ୍ଵିତୀୟ ବର୍ଷର ଛାତ୍ରୀ । ଗତ ସାତ ମାସ ତଳେ ପାଟିରେ ଯନ୍ତ୍ରଣା ହେବାରୁ ବାପା ମାଆ ତାକୁନେଇ ବ୍ରହ୍ମପୁର ଏମ କେ ସି ଜି ରେ ଚିକିତ୍ସା କରିବା ବେଳେ ଅର୍ଚ୍ଚିତା ମୁଖ କର୍କଟ ରୋଗ ରେ ପୀଡ଼ିତ ଥିବା ଜଣା ପଡିଥିଲା । ବାପା ମା ଏଥିରେ ଭାଙ୍ଗି ନଯାଇ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ତାକୁ ଏସ ସି ବି କଟକରେ ଚିକିତ୍ସା କରାଇଥିଲେ । ସେଠାରୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ। ଏହା ମଧ୍ୟରେ ପାଖ ପାଖି ତିନିଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାରୁ ପରିବାର ଲୋକେ ଅଧିକ ଅର୍ଥ କେଉଁଠୁ ଯୋଗାଡ କରିବା ସେଥିପାଇଁ ମାନସିକ ଚାପ ଗ୍ରସ୍ତ ହୋଇପଡ଼ିଥିଲେ । ଗତ ଦୁଇ ମାସ ପୂର୍ବେ ଧରାକୋଟ ବ୍ଲକ କାର୍ଯ୍ୟାଳୟ ରେ ହୋଇଥିବା ମିଳିତ ଜନ ଶୁଣାଣି ଶିବିର ରେ ଅର୍ଚ୍ଚିତା ର କର୍କଟ ରୋଗ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିବା ବେଳେ ତୁରନ୍ତ ରେଡ କ୍ରସ ପାଣ୍ଠିରୁ କୋଡ଼ିଏ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଅର୍ଚ୍ଚିତା ଙ୍କ ର ଏହି ଅସହାୟତାକୁ ଉପଲବ୍ଧ କରି ଏହା ମଧ୍ୟରେ ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ରାସନ କାର୍ଡ ଖଣ୍ଡିଏ ଯୋଗାଇ ଦିଆଯାଇଛି । ଯାହାକି ଭବିଷ୍ୟତର ଚିକିତ୍ସା ପାଇଁ କିଛିଟା ଆଶ୍ଵାସନା ଆଣି ଦେଇଛି । କିନ୍ତୁ ଡାକ୍ତର ତାଙ୍କର ସମ୍ପୂର୍ଣ ଚିକିତ୍ସା ପାଇଁ ପନ୍ଦର ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିବା ଯୋଗୁଁ ବର୍ତ୍ତମାନ ପରିବାର ସଦସ୍ୟଙ୍କ ମଧ୍ୟରେ ଭାଳେଣି ପଡିଛି। ଅର୍ଥ ଅଭାବରୁ ବର୍ତ୍ତମାନ ବ୍ରହ୍ମପୁର ସ୍ଥିତ ଆଦ୍ୟାତ୍ୟ ସେବା ସଦନ ରେ ତାଙ୍କୁ ଚାରୋଟି କେମୋ ଦିଆ ଯାଇଥିବା ବେଳେ ଆଗକୁ ଆହୁରି ଦଶଟି କେମୋ ଦିଆଯିବ । ଡାକ୍ତର ଙ୍କ ପରାମର୍ଶ ଅନୁସାରେ ବର୍ତ୍ତମାନ ସବୁକିଛି ଠିକ ଠାକ ଚାଲିଥିବା ବେଳେ ଆଗକୁ ଅସ୍ତ୍ରୋପଚାର ହେବ । ଏ ସମ୍ପର୍କରେ ଖବର ସଂଗ୍ରହ ପାଇଁ ତାଙ୍କୁ ଭେଟିଥିବା ବେଳେ ଉଭୟ ବାପା ମା କୋହଭରା କଣ୍ଠରେ କହିଥିଲେ ବାବୁ ଆମ ଝିଅକୁ ବଞ୍ଚାଇବା ପାଇଁ ସହାୟତା କରନ୍ତୁ । କାରଣ ଡାକ୍ତର ଙ୍କ କହିବା ମୁତାବକ ଅର୍ଥ ରାସନ କାର୍ଡ ରେ ପର୍ଯ୍ୟାପ୍ତ ନୁହଁ। ବର୍ତମାନ କାର୍ଡ ସହାୟତାରେ ତିନି ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଆହୁରି ବାର ଲକ୍ଷ ଟଙ୍କା ଆବଶ୍ୟକ । ବଳକା ଅର୍ଥ ଆଣିବେ କେଉଁଠୁ ? କାହାକୁ ହାତ ପାତିବେ? ବାଳକୃଷ୍ଣ ଗରିବ ପରିବାରର ହୋଇଥିବାରୁ ଜାହା କିଛି ଅର୍ଥ ଥିଲା ତାକୁ ଝିଅ ର ଚିକିତ୍ସାରେ ଖର୍ଚ୍ଚ କରି ବର୍ତ୍ତମାନ ଅସହାୟ ହୋଇ ପଡ଼ିଛନ୍ତି । ଜଦିବା ବ୍ଲକ ପ୍ରଶାସନ ତରଫରୁ ତାଙ୍କୁ ରାସନ କାର୍ଡ ଯୋଗାଇ ଦିଆଯାଇଛି ସେଥିପାଇଁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ମଧ୍ୟ ସରକାରୀ ସ୍ତରରେ ତାଙ୍କୁ ଅଧିକ ଅର୍ଥ ଝିଅର ଚିକିତ୍ସା ପାଇଁ ଯୋଗାଇ ଦେବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି ।



