ଏନଇପି ୨୦୨୦ ଲାଗୁ କରିବାକୁ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନୋଟିସ ଦହନ ସହ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପୂର୍ଣ୍ଣ ବାତିଲ ଦାବିରେ ବିକ୍ଷୋଭ

11

ବ୍ରହ୍ମପୁର,୧୮/୧(ଜିଲ୍ଲା ଖବର) : ଆଜି ଏଆଇଡିଏସଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ସ୍କୁଲ ସ୍ତରରେ ଏନଇପି ୨୦୨୦ ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ଏକ ବିକ୍ଷୋଭ ସହ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୋଟିସ ଦହନ କରାଯାଇଛି ।
କେନ୍ଦ୍ର ସରକାର ୨୦୨୦ ମସିହାରେ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଏକ ତରଫା ଭାବରେ ଜାତୀୟ ଶିକ୍ଷାନୀତି ୨୦୨୦କୁ ଲାଗୁକରି ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ, ସାମ୍ପ୍ରାୟୀକାରଣ, କେନ୍ଦ୍ରୀକରଣ ଓ ଧନ୍ଦାମୁଖୀକରଣର ରାସ୍ତା ତ୍ୱରାନ୍ୱିତ କରିଛନ୍ତି । ଅମ ରାଜ୍ୟ ସରକାର ଜାତୀୟ ଶିକ୍ଷାନୀତି ସୁପାରିଶଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଲାଗୁ କରିଚାଲିଛନ୍ତି । ପ୍ରଥମେ ସ୍କୁଲ ‘ବନ୍ଦ ଓ ମିଶ୍ରଣ’ ନୀତି ଲାଗୁକରି ଗରିବ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଡୋରି ବାନ୍ଧିବା ପରେ ବର୍ତ୍ତମାନ ପୂର୍ବ ପାଠ୍ୟକ୍ରମ ୧୦+୨ ପରିବର୍ତ୍ତେ ତିନି ବର୍ଷର ପ୍ରାକ୍ ପ୍ରାଥମିକ ଶିକ୍ଷାକୁ ଯୁକ୍ତ କରି ୫+୩ +୩ +୪ ଲାଗୁ କରିବାପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନୋଟିସ ଜାରିକରିଛନ୍ତି ।

ଯୋଗ୍ୟତାସମ୍ପନ୍ନ ପ୍ରଶିକ୍ଷିତ ଶିକ୍ଷକ ଓ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବା ଅଙ୍ଗନବାଡି କେନ୍ଦ୍ରଗୁଡିକ ହାତରେ ପ୍ରାକ୍ ପ୍ରାଥମିକ ଶିକ୍ଷା (୩ ବର୍ଷ ଅଙ୍ଗନବାଡି/ପ୍ରାକ୍-ସ୍କୁଲ୍ ଶିକ୍ଷା+ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ) ଭଳି ଗୁରୁତ୍ବପୂର୍ଣ ପର୍ଯ୍ୟାୟକୁ ଟେକିଦିଆଯିବ। ପ୍ରାକପ୍ରାଥମିକ ଶିକ୍ଷା ନିମନ୍ତେ ଆର୍ଥିକ ଅନୁଦାନ ଯୋଗାଇଦେବା ସମ୍ପର୍କରେ ଯେହେତୁ ଜାତୀୟ ଶିକ୍ଷାନୀତିରେ ସ୍ପଷ୍ଟ ଭାବରେ କୌଣସି ଉଲ୍ଲେଖ ନାହିଁ, ତେଣୁ ଏହି ତଥାକଥିତ ପ୍ରାକ୍-ପ୍ରାଥମିକ ଶିକ୍ଷା ନିୟନ୍ତ୍ରଣହୀନଭାବରେ ବ୍ୟବସାୟୀକରଣକୁ ପ୍ରୋତ୍ସାହନ କରିବ । ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଶିକ୍ଷାର ମୂଳ ପର୍ଯ୍ୟାୟଟି କୌଣସି ବିଷୟବସ୍ତୁ (ପାଠ୍ୟପୁସ୍ତକ ନପଢି) ଖେଳକୁଦ, ନାଚ ଗୀତ, ଛବି ଉପରେ ପର୍ଯ୍ୟବେସିତ ହେବ । (୩ ବର୍ଷ ଅଙ୍ଗନବାଡି ପ୍ରାକ୍-ସ୍କୁଲ୍ ଶିକ୍ଷା+ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀ) ଏହା DPEP/ସର୍ବଶିକ୍ଷା ଅଭିଯାନ ଏବଂ ବର୍ତ୍ତମାନର ସମଗ୍ର ଶିକ୍ଷା ଅଭିଯାନର ଧାରାବାହୀକତାରେ, ସରକାରୀ ଶିକ୍ଷାନୁଷ୍ଠାନଗୁଡିକରେ ପଢ଼ୁଥିବା ଲକ୍ଷ ଲକ୍ଷ ଶିଶୁମାନଙ୍କର ଉପରେ କାର୍ଯ୍ୟକାରୀ ହେବ। ଯାହାଫଳରେ ଶିକ୍ଷାଦାନ ଓ ଶିକ୍ଷା ଆହରଣର ବିଜ୍ଞାନସମ୍ମତ ପ୍ରକ୍ରିୟାକୁ ଆହୁରି ଚରମ ବିପତ୍ତି ମଧ୍ୟକୁ ଠେଲି ହୋଇଯିବ। ଜାତୀୟ ଶିକ୍ଷାନୀତି ବ୍ୟାଖ୍ୟା ଅନୁଯାୟୀ ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟଟି ( ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ) ହାଲୁକା କିଛି ପାଠ୍ୟ ପୁସ୍ତକ ସହ ପରିଚୟ କରାଇବା ସହିତ ଖେଳକୁଦରେ ପର୍ଯ୍ୟବେସିତ ହେବ ଅର୍ଥାତ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ହାଲୁକା କିଛି ପାଠ୍ୟ ପୁସ୍ତକ ଅଥବା ବିନା ପାଠ୍ୟ ପୁସ୍ତକରେ ଶିକ୍ଷା ଆହରଣ କରିବେ । ଏହି ଶିକ୍ଷା ଖସଡାର ପରିବର୍ତ୍ତନ ବିତର୍କ ଘେରରେ ଥିବା ଏବଂ ଭାରତ ସମେତ ସମଗ୍ର ବିଶ୍ଵରେ ବିଫଳ ହୋଇଥିବା ବିଶ୍ଵ ବ୍ୟାଙ୍କ ଦ୍ଵାରା ପ୍ରାୟୋଜିତ DPEP (District Primary Education Programme)ର ଅଂଶବିଶେଷ ମାତ୍ର। ସମୟୋପଯୋଗୀ ପରୀକ୍ଷିତ ପାଠ୍ୟଖସଡା ଧ୍ୱଂସ ହେବା ସହିତ ପ୍ରାଥମିକ ଶିକ୍ଷା ସଂପୂର୍ଣ ବିପର୍ଯ୍ୟସ୍ତ ହେବ । ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା ଆରମ୍ଭ କରାଯିବ । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚରିତ୍ର ଗଠନ, ମନୁଷ୍ୟତ୍ୱ ଅର୍ଜନ ପ୍ରକ୍ରିୟା ବାଧାପ୍ରାପ୍ତ ହେବାସହ ଛାତ୍ରଛାତ୍ରୀମାନେ କେବଳ ଜନ୍ତ୍ରମାନବାରେ ପରିଣତ ହେବେ । ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାର ସିଷ୍ଟମ ଲାଗୁକରାଯିବ । ଫଳରେ ଏହା ପୂର୍ଣ୍ଣାଙ୍ଗ ଶିକ୍ଷା ଅର୍ଜନ କରିବା କ୍ଷେତ୍ରରେ ବାଧା ସୃଷ୍ଟି କରିବା ସହ ଏହା ଶିକ୍ଷାର ବ୍ୟବସାୟୀକରଣକୁ ମଧ୍ୟ ତ୍ୱରାନ୍ୱିତ କରିବ।
ତେଣୁ ଏନ୍ଇପି ୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଏଆଇଡିଏସ୍ଓ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଏଆଇଡିଏସ୍ଓ ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ୍ ସାହୁଙ୍କ ସମେତ ସଂଗଠନର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।