ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପିତାମାତାଙ୍କ ପାଇଁ ଏକ ଦିବସୀୟ ତାଲିମ

27

ବ୍ରହ୍ମପୁର,୭/୧(ଜିଲ୍ଲା ଖବର) : ସମଗ୍ର ଶିକ୍ଷା, ଗଞ୍ଜାମ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଚିକିଟୀ ମିଳିତ ଆନୁକୂଲ୍ୟରେ ଜାନୁଆରୀ ମାସ ୩ ତାରିଖରେ ଚିକିଟୀ ଗଡ଼ ସ୍ଥିତ ରାଜକବି ରାଧାମୋହନ ବିଦ୍ୟାପୀଠ ଓ ୬ ତାରିଖରେ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିଶୋଲା ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପିତାମାତାମାନଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସମ୍ବଳ ସଂଯୋଜକ ଶ୍ରୀ ନିଗମାନନ୍ଦ ପଣ୍ଡା ଓ ଗିରିଶୋଲା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା କୁମାରୀ ରେଡ୍ଡୀ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ କରିଥିଲେ।

ସମସ୍ତ ପିତାମାତା ଓ ଅଭିଭାବକଙ୍କୁ ଇଂରାଜୀ ନୂତନ ବର୍ଷର ଶୁଭ ଅଭିନନ୍ଦନ ଜଣାଇ ଦିବ୍ୟାଙ୍ଗ ଶିଶୁମାନଙ୍କ ସ୍ବାସ୍ଥ୍ୟ, ଶିକ୍ଷା, ସଂସ୍କାର, ଦୈନନ୍ଦିନ କ୍ରିୟାକଳାପ ଆଦିରେ ଉନ୍ନତି ଆସିବା ପାଇଁ ପିତାମାତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କୁ ଅଧିକ ସ୍ନେହ, ଆଦର କରିବା ଓ ଯତ୍ନ ନେବା ଉପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକପାତ କରିଥିଲେ। ସରକାରଙ୍କ ତରଫରୁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ ହାସଲ କରିବା ପାଇଁ ପିତାମାତା ସଚେତନ ରହିବା ଉପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୃଷ୍ଟିପାତ କରିଥିଲେ। ଶ୍ରୀ ନରସିଂହ ପତି, ଶ୍ରୀମତୀ ମିନତୀ ପାଠୀ, ଶ୍ରୀ ତାରା ପ୍ରସାଦ ପ୍ରଧାନ ଓ ଶ୍ରୀ ପ୍ରସନ୍ନ କୁମାର ବେହେରା ପ୍ରଶିକ୍ଷକ ଦାୟିତ୍ଵ ନିର୍ବାହ କରି ୨୧ ପ୍ରକାର ଦିବ୍ୟାଙ୍ଗତା, ବିଭିନ୍ନ ଉପକରଣ ଓ ସେଗୁଡ଼ିକର ଉତ୍ତମ ବ୍ୟବହାର ତଥା ରକ୍ଷଣାବେକ୍ଷଣ, ବିଭିନ୍ନ ବୃତ୍ତି ଓ ସହାୟତା, ମାଗଣା ପାଠ୍ୟ ପୁସ୍ତକ, ସ୍ବାସ୍ଥ୍ୟ ସେବା, ଚକ୍ଷୁ ପରୀକ୍ଷା ଓ ବ୍ଲକ୍ ରେ ଅନୁଷ୍ଠିତ ହେଉଥିବା ଥେରାପି କାର୍ଯ୍ୟକ୍ରମ ଉପରେ ବିଶଦ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ମଧ୍ୟ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ନୂଆପଡ଼ା, ପତି ଗୋବିନ୍ଦପୁର, ଡଭାର, ଲିଆଖାଇ, ପାଣ୍ଡିରି, ଭୋଳାସୀଙ୍ଗି, ରାମଚନ୍ଦ୍ର ପୁର, ପିତତଳି, ମାଧବନ୍ଧ, ଗିରିଶୋଲା, ଗୋବିନ୍ଦନଗର, ସୁନପୁର, ପାଟିସୁନପୁର, ଏକସିଂ, ସୁରଳ, ସୁମାଣ୍ଡି, ସୁବାଣୀ ଆଦି ପଞ୍ଚାୟତର ଦିବ୍ୟାଙ୍ଗ ଶିକ୍ଷାର୍ଥୀମାନଙ୍କ ପିତାମାତା ଓ ଅଭିଭାବକ ଯୋଗ ଦେଇଥିଲେ। ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ମନୋଜ କୁମାର ମହାରଣା, ପ୍ରଦୀପ କୁମାର ପ୍ରଧାନ, ତ୍ରିନାଥ ସାହୁ, ରୁପାଙ୍ଗ ବେହେରା ଓ ନବୀନ ବେହେରା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ସମ୍ବଳ ଶିକ୍ଷକ ତାରା ପ୍ରସାଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।