
ସମବାୟ ସମିତି ମାଧ୍ୟମରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଦାବୀ
ଧରାକୋଟ,୬/୧(ଜିଲ୍ଲା ଖବର) : ଧରାକୋଟ ବ୍ଲକର ରୁଗୁମୁ ପଞ୍ଚାୟତ ଅଧିନସ୍ଥ ବେଠୁଆର, କାନଗିରିଡି, ଆଡିବନ୍ଧ, ସୁଣ୍ଡ୍ଡି ପଲି ଓ ରୁଗୁମୁ ଗ୍ରାମର 627 ଜଣ ଚାଷୀ ଙ୍କ ମଧ୍ୟରୁ 230 ଜଣ ଚାଷୀଙ୍କ ନାମ ଚଳିତ ଖରିଫ ଋତୁରେ ନିକଟସ୍ଥ ଓଳମ୍ବା ଗ୍ରାମର ମା ଭୈରବୀ ସ୍ଵୟଂ ସହାୟକ ଗୋଷ୍ଠୀ ନିକଟରେ ଧାନ ବିକ୍ରି ପାଇଁ ତାଲିକା ଭୁକ୍ତ ହୋଇଛି । ଯାହାକୁ ନେଇ ଉତ୍ୟକ୍ତ ହୋଇ ଚାଷୀମାନେ ରୁଗୁମୁ ସେବା ସମବାୟ ସମିତି କାର୍ଯ୍ୟଳୟ ରେ ତାଲା ପକାଇବା ସହ ସମ୍ମୁଖରେ ନିଆଁ ଜଳି ପ୍ରତିବାଦ କରିଥିଲେ । ଖବର ପାଇ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଯୋଗାଣ ନୀରିକ୍ଷକ ସଞ୍ଜୟ ମଲିକ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ମା ଭୈରବୀ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଯେଉଁ ଚାଷୀମାନେ ଧାନ ବିକ୍ରି ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ସେମାନଙ୍କୁ ନିଜ ନିଜର ଆଧାର କାର୍ଡ ଓ ଫାର୍ମର ଆଇ ଡି ର ନକଲ ରୁଗୁମୁ ସମବାୟ ସମିତି ସମ୍ପାଦକ ଙ୍କ ନିକଟରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକାଶ ଯୋଗ୍ୟ ସରକାରୀ ଘୋଷଣା ମୁତାବକ ଗତ ତିନି ତାରିଖ ଦିନ ଠାରୁ ଧରାକୋଟ ବ୍ଲକରେ 20 ଗୋଟି ମଣ୍ଡି ଆରମ୍ଭ ହୋଇଛି । ସେଥି ମଧ୍ୟରୁ 15 ଗୋଟି ସମବାୟ ସମିତି ରହିଥିବା ବେଳେ 5 ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ ରହିଛନ୍ତି । ଏହା ମଧ୍ୟରେ ଚାଷୀ ମାନଙ୍କୁ କିଏ କେଉଁ ମଣ୍ଡି ଓ ସ୍ଵୟଂ ସହାୟକ ଗୋଷ୍ଠୀ କୁ ନିଜ ନିଜର ଧାନ ବିକ୍ରି କରିବେ ସେଥିପାଇଁ ଟୋକେନ ପ୍ରଦାନ କରାଯାଇଛି । ହେଲେ ଚାଷୀ ମାନେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଧାନ ବିକ୍ରି ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । କାରଣ ବର୍ଷ ସାରା ଚାଷୀମାନେ ସମିତି ନିକଟରୁ ଋଣ ଆଣିବା ସହ ପିଡ଼ିଆ ମଧ୍ୟ ଆଣୁଛନ୍ତି । ଏଣୁ ସମିତି ସହ ଚାଷୀମାନେ ଯୋଡ଼ି ହୋଇ ରହିବାକୁ ଚାହୁଁଛନ୍ତି । ଯାହାକୁ ନେଇ ଆଜି ପ୍ରତିବାଦର ସ୍ୱର ଉଠାଇଥିଲେ ଚାଷୀ । ସଠିକ ସମୟରେ ସରକାରୀ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହିତ ଆଲୋଚନା କରି ପ୍ରତିଶ୍ରୁତି ପ୍ରଦାନ ପରେ ଚାଷୀମାନେ ଆଶ୍ବସ୍ତ ହୋଇଛନ୍ତି ।




