Saturday, October 10, 2026
Home ଜାତୀୟ ସାଧାରଣତନ୍ତ୍ର ଦିବସ ସମାରୋହ ୨୦୨୦ ପୁରସ୍କାର ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସାଧାରଣତନ୍ତ୍ର ଦିବସ ସମାରୋହ ୨୦୨୦ ପୁରସ୍କାର ପ୍ରଦାନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

19

• ଓଡିଶାକୁ ପ୍ରଜ୍ଞାପନ ମେଢ଼ରେ ଦ୍ୱିତୀୟ ପୁରସ୍କାର, ଆସାମ ପ୍ରଥମ
• ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଜଳ ଜୀବନ ମିଶନ ଓ ଏନଡିଆରଏଫକୁ ଶୀର୍ଷ ସମ୍ମାନ

ନୂଆଦିଲ୍ଲୀ ; କ୍ୟାଂଟନମେଂଟସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା କ୍ୟାମ୍ପଠାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ସାଧାରଣତନ୍ତ୍ର ଦିବସ ସମାରୋହ ୨୦୨୦ ପୁରସ୍କାର ପ୍ରଦାନ କରିଛନ୍ତି । ଜାନୁଆରୀ ୨୬, ୨୦୨୦ରେ ରାଜପଥରେ ଆୟୋଜିତ ପରେଡରେ ଅଂଶଗ୍ରହଣ କରିଥିବା ୧୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରଜ୍ଞାପନ ମେଢ଼ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ପ୍ରଜ୍ଞାପନ ମେଢ଼କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

ଓଡିଶାର ପ୍ରଜ୍ଞାପନ ମେଢ଼ ଚଳିତ ଥର ଦ୍ୱିତୀୟ ସ୍ଥାନରେ ରହି ପୁରସ୍କାର ହାସଲ କରିଛି । ଏଥର ଓଡିଶା ପକ୍ଷରୁ ଭୁବନେଶ୍ୱରସ୍ଥିତ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥକୁ ପ୍ରଜ୍ଞାପନ ମେଢ଼ରେ ସ୍ଥାନ ଦିଆଯାଇଥିଲା । ଷଷ୍ଠ ଶତାଦ୍ଧୀରେ ନିର୍ମିତ ଏହି ମନ୍ଦିରରେ ଭଗବାନ ଶିବଙ୍କ ସହିତ ଭଗବାନ ବିଷ୍ଣୁଙ୍କୁ ଏକତ୍ର ପୂଜା କରାଯାଇଥାଏ ।

ଓଡିଶାର ପ୍ରଜ୍ଞାପନ ମେଢ଼ ଦ୍ୱିତୀୟସ୍ଥାନ ହାସଲ କରିଥିବାରୁ ରାଜ୍ୟବାସୀଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି । ଏହି ପ୍ରଜ୍ଞାପନ ମେଢର ସ୍ଥପତି ଗଜେନ୍ଦ୍ର ସାହୁଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଆସାମର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ହାସଲ କରିଥିଲା । ଏଥିରେ ଆସାମକୁ ଅଭିନବ କାରିଗରୀ ଓ ସଂସ୍କୃତିର ଭୂମି ଭାବେ ପ୍ରଦର୍ଶୀତ କରାଯାଇଥିଲା । ଉତ୍ତରପ୍ରଦେଶର ପ୍ରଜ୍ଞାପନ ମେଢ଼ ଓଡିଶା ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିଲା । ଏଥିରେ “ସର୍ବ ଧର୍ମ ସମଭାବ” ବିଷୟବସ୍ତୁକୁ ନେଇ ରାଜ୍ୟକୁ ସାଂସ୍କୃତିକ ଏବଂ ଧାର୍ମୀକ ପର୍ୟ୍ୟଟନସ୍ଥଳୀ ଭାବେ ଦର୍ଶାଯାଇଥିଲା ।

ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ପକ୍ଷରୁ ପ୍ରଦର୍ଶୀତ ୬ଟି ପ୍ରଜ୍ଞାପନ ମେଢ଼ ମଧ୍ୟରେ ଜଳ ଶକ୍ତି ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ୟ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ) ମିଳିତ ଭାବେ ପ୍ରଥମ ସ୍ଥାନରେ ରହି ଶ୍ରେଷ୍ଠ ପୁରସ୍କାର ଅର୍ଜନ କରିଥିଲେ । ଜଳ ଶକ୍ତି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ରେ ସରକାରଙ୍କ ନୂଆ ଯୋଜନା “ଜଳ ଜୀବନ ମିଶନ”କୁ ପ୍ରଦର୍ଶୀତ କରାଯାଇଥିଲା । ଏହି ଯୋଜନା ଅଧୀନରେ ୨୦୨୪ ସୁଦ୍ଧା “ହର ଘର ଜଲ” ବା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଣି ପାଇପ ସଂଯୋଗ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ସେହିପରି “ଆପଦା ସେବା ସଦୈବ” ଲକ୍ଷ୍ୟକୁ ସାକାର କରି ପ୍ରାକୃତିକ ଏବଂ ମାନବକୃତ ବିପର୍ୟ୍ୟୟ ସମୟରେ ଏନଡିଆରଏଫର ସଫଳ ଏବଂ ଉଜ୍ୱଳ ମାନବୀୟ ଉଦ୍ଧାର କାର୍ୟ୍ୟକୁ ଏହାର ପ୍ରଜ୍ଞାପନ ମେଢ଼ରେ ପ୍ରଦର୍ଶୀତ କରାଯାଇଥିଲା ।

କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲୁଡି)ର ପ୍ରଜ୍ଞାପନ ମେଢ଼ ସ୍ୱତନ୍ତ୍ର ପୁରସ୍କାର ଅର୍ଜନ କରିଥିଲା । “କଶ୍ମୀର ସେ କନ୍ୟାକୁମାରୀ” ବିଷୟବସ୍ତୁକୁ ନେଇ ଏହାର ପ୍ରଜ୍ଞାପନ ମେଢ଼ରେ ଦେଶର ବିଭିନ୍ନ ଭାଗକୁ ରଙ୍ଗୀନ ଓ ସୁଗନ୍ଧିତ ପୁଷ୍ପ ମାଧ୍ୟମରେ ସଜାଇ ପ୍ରଦର୍ଶୀତ କରାଯାଇଥିଲା ।

ନୂଆଦିଲ୍ଲୀ ଜନକପୁରୀ ବି ବ୍ଲକର ସର୍ବୋଦୟ କନ୍ୟା ବିଦ୍ୟାଳୟର ଛାତ୍ରୀମାନେ ଶ୍ରେଷ୍ଠ ସାଂସ୍କୃତିକ ପ୍ରଦର୍ଶନ ପାଇଁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି ପିଲାମାନେ “ମାରୋ ରଙ୍ଗ ରଙ୍ଗୀଲୋ ରାଜସ୍ଥାନ” ବିଷୟବସ୍ତୁ ଉପରେ ରଙ୍ଗୀନ ନୃତ୍ୟ ପ୍ରଦର୍ଶନ କରିଥିଲେ । ଗୁଜରାଟର ଲୋକନୃତ୍ୟ “ଗର୍ବା” ପ୍ରଦର୍ଶନ କରିଥିବା ଉଦୟପୁରର ପଶ୍ଚିମାଂଚଳ ସାଂସ୍କୃତିକ କେନ୍ଦ୍ରକୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଏହି ଅବସରରେ “ନୋ ୟୋର ଫୋର୍ସେସ” ଅନଲାଇନ ପ୍ରଶ୍ନୋତ୍ତର ପୁରସ୍କାର ବିଜେତାମାନଙ୍କୁ ନଗଦ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ସାଧାରଣ ନାଗରିକ ବିଶେଷକରି ଯୁବକମାନଙ୍କ ମଧ୍ୟରେ ଦେଶାତ୍ମବୋଧ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜାନୁଆରୀ ୧ ରୁ ୧୫, ୨୦୨୦ ମଧ୍ୟରେ ମାଇ ଗଭ.ଇନ ସହ ମିଶି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । କାର୍ତ୍ତିକ ଭାଟଲା ପ୍ରଥମ ପୁରସ୍କାର ସ୍ୱରୂପ ୨୫ ହଜାର ଟଙ୍କା, ସମୁଲକ୍ରାନ୍ତି କୁମାର ରେଡ୍ଡୀ ଦ୍ୱିତୀୟ ପୁରସ୍କାର ସ୍ୱରୂପ ୧୫ ହଜାର ଟଙ୍କା ଓ ପାୟଲ ଯାଦବ ତୃତୀୟ ପୁରସ୍କାର ସ୍ୱରୂପ ୧୦ ହଜାର ଟଙ୍କାର ନଗଦ ଅର୍ଥ ରାଶି ଗ୍ରହଣ କରିଥିଲେ ।

ଏହି ଅବସରରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଇକ, ପ୍ରତିରକ୍ଷା ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ବରିଷ୍ଠ ଅଧିକାରୀଗଣ ତଥା ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିଥିବା ବହୁ ସଂଖ୍ୟକ କଳାକାର ଓ ପିଲାମାନେ ଉପସ୍ଥିତ ଥିଲେ । ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ଅଂଶଗ୍ରହଣକାରୀଙ୍କ ସହ ଆଲୋଚନା କରିବା ସହିତ ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବା ଲାଗି ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।