
ଗୁଜରାଟ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୨୮ ଜାନୁଆରୀ ୨୦୨୦ରେ ରିମୋଟ ଭିଡିଓ କନଫରେନ୍ସ ଜରିଆରେ ଗୁଜରାଟର ଗାନ୍ଧୀନଗରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଆଳୁ ସମ୍ମିଳନୀକୁ ସମ୍ବୋଧିତ କରିବେ ।
ଆଳୁ ଗବେଷଣା, ବାଣିଜ୍ୟ ଓ ଉଦ୍ୟୋଗ ତଥା ମୂଲ୍ୟ ଶୃଙ୍ଖଳା ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ଉପଲବ୍ଧି ଓ ଅବସର ସମ୍ପର୍କରେ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବେ ବୋଲି ଆଶା କରାଯାଉଛି । ସେ ଆଗାମୀ ଦଶନ୍ଧି ପାଇଁ କାର୍ୟ୍ୟଖସଡ଼ା ମଧ୍ୟ ପ୍ରସ୍ତୁତ କରିପାରନ୍ତି ।
ଚଳିତ ସମ୍ମିଳନୀ ହେଉଛି ଏହି ଶୃଙ୍ଖଳାର ତୃତୀୟ ସମ୍ମିଳନୀ । ପ୍ରତି ୧୦ ବର୍ଷ ବ୍ୟବଧାନରେ ଆଳୁ ଉତ୍ପାଦନ କ୍ଷେତ୍ରରେ ଉପଲବ୍ଧି ସମ୍ପର୍କରେ ସୂଚନା ସଂଗ୍ରହ କରିବା ଏବଂ ଆଗାମୀ ଦଶନ୍ଧି ପାଇଁ କାର୍ୟ୍ୟଖସଡ଼ା ପ୍ରସ୍ତୁତ କରିବା ଆବଶ୍ୟକ ହୋଇଥାଏ । ବିଗତ ଦୁଇ ଦଶକରେ ୧୯୯୯ ଏବଂ ୨୦୦୮ରେ ଦୁଇଟି ବିଶ୍ୱ ଆଳୁ ସମ୍ମିଳନୀ ଆୟୋଜନ କରାଯାଇଥିଲା ।
ଏହି ସମ୍ମିଳନୀ ସମସ୍ତ ଅଂଶୀଦାରମାନଙ୍କୁ ଏକ ସହଭାଗୀ ମଂଚ ପ୍ରଦାନ କରିବା ଲାଗି ସୁଯୋଗ ଦେଇଥାଏ, ଫଳରେ ଆଳୁ କ୍ଷେତ୍ର ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାମିଲ କରି ସମସ୍ତ ପ୍ରସଙ୍ଗରେ ବିଚାର ବିମର୍ଶ କରାଯାଇଥାଏ । ଏଥିସହିତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରାଯାଏ । ଆଳୁ ଗବେଷଣାରେ ଅଗ୍ରୀମ ସୂଚନା ରଖୁଥିବା ଏବଂ ନବୋନ୍ମେଷ କରୁଥିବା ଦେଶର ବିଭିନ୍ନ ଅଂଶୀଦାରମାନଙ୍କୁ ଆଗକୁ ଆଣିବା ଲାଗି ଏହା ଏକ ଅଭିନବ ଅବସର ।
ଗୁଜରାଟ ଦେଶର ଏକ ପ୍ରମୁଖ ଆଳୁ ଉତ୍ପାଦକ ରାଜ୍ୟ । ଗତ ୧୧ ବର୍ଷ ମଧ୍ୟରେ ଭାରତରେ ଆଳୁ ଉତ୍ପାଦନ କ୍ଷେତ୍ର ୧୯ ପ୍ରତିଶତ ବୃଦ୍ଧି ପାଇଛି । କେବଳ ଗୁଜରାଟରେ ଏହି କ୍ଷେତ୍ରରେ ୧୭୦ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୦୬-୦୭ରେ ୪୯.୭ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିବା ବେଳେ ଏହା ୨୦୧୭-୧୮ରେ ବୃଦ୍ଧି ପାଇ ୧୩୩ ହଜାର ହେକ୍ଟରରେ ପହଁଚିଛି । ୩୦ ଟନ/ହେକ୍ଟରରୁ ଅଧିକ ଉତ୍ପାଦକତା ସହିତ ଗୁଜରାଟ ବିଗତ ଦଶନ୍ଧିରେ ଶୀର୍ଷ ସ୍ଥାନ ହାସଲ କରିଛି । ଏହି ରାଜ୍ୟ ଚାଷ କାମରେ ଆଧୁନିକ ଜ୍ଞାନକୌଶଳ ଯେପରିକି ପାଣି ସିଂଚନ ଓ ଡ୍ରିପ ସିଂଚନ ଯନ୍ତ୍ର ବ୍ୟବହାର କରିଥାଏ ।
ରାଜ୍ୟରେ ସର୍ବଶ୍ରେଷ୍ଠ ଶୀତଳ ଭଣ୍ଡାର ସୁବିଧା ଓ ବଜାର ସହ ଯୋଗାଯୋଗ ବ୍ୟବସ୍ଥା ରହିଛି । ଏହା ମଧ୍ୟ ଦେଶରେ ଆଳୁ ପ୍ରକ୍ରିୟାକରଣ ଉଦ୍ୟୋଗର ଏକ ପ୍ରମୁଖ କେନ୍ଦ୍ର ।
ଏହାବ୍ୟତୀତ ଆଳୁର ସର୍ବାଧିକ ରପ୍ତାନୀ ଗୁଜରାଟରୁ ହିଁ ହୋଇଥାଏ । ଫଳରେ ଏହି ରାଜ୍ୟ ଦେଶର ପ୍ରମୁଖ ଆଳୁ କେନ୍ଦ୍ର ଭାବେ ଉଭା ହୋଇଛି । ଏହାକୁ ଦେଖି ତୃତୀୟ ବିଶ୍ୱ ଆଳୁ ସମ୍ମିଳନୀର ଆୟୋଜନ ଗୁଜରାଟରେ ହେଉଛି ।
ଭାରତୀୟ ଆଳୁ ସଂଘ (ଆଇପିଏ) ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ, ନୂଆଦିଲ୍ଲୀ ଓ ଆଇସିଏଆର-କେନ୍ଦ୍ର ଆଳୁ ଗବେଷଣା ସଂସ୍ଥାନ, ଶିମଲା ଏବଂ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର (ସିଆଇପି), ଲୀମା, ପେରୁ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯାଉଛି ।
ଏହି କାର୍ୟ୍ୟକ୍ରମର ତିନୋଟି ପ୍ରମୁଖ ଅଂଶ ରହିଛି- (୧) ଆଳୁ ସମ୍ମିଳନୀ (୨) କୃଷି ରପ୍ତାନି ଏବଂ (୩)ଆଳୁ କୃଷିର ଦିନ ।
ଆଳୁ ସମ୍ମିଳନୀ ତିନି ଦିନ ପର୍ୟ୍ୟନ୍ତ ଚାଲିବ । ଏହାର ୧୦ଟି ବିଷୟବସ୍ତୁ ରହିବ । ୧୦ଟି ମଧ୍ୟରୁ ୮ଟି ବିଷୟବସ୍ତୁ ବ୍ୟବହାରିକ ଏବଂ ପ୍ରୟୋଗାତ୍ମକ ଗବେଷଣା ଉପରେ ଆଧାରିତ ହେବ । ଅବଶିଷ୍ଟ ଦୁଇଟି ବିଷୟବସ୍ତୁ ମଧ୍ୟରେ ଆଳୁ ବ୍ୟବସାୟ, ମୂଲ୍ୟ ଶୃଙ୍ଖଳା ପରିଚାଳନା ଓ ନୀତିଗତ ବସ୍ତୁ ଉପରେ ବିଶେଷ ଗୁରୁତ୍ୱାରୋପ କରାଯିବ ।
ଏହି ଏଗ୍ରି-ଏକ୍ସପୋର ଆୟୋଜନ ୨୮ରୁ ୩୦ ଜାନୁଆରୀ, ୨୦୨୦ ସମୟରେ କରାଯିବ । ଏଥିରେ ଆଳୁ ଆଧାରିତ ଉଦ୍ୟୋଗ ଏବଂ ବ୍ୟବସାୟର ସ୍ଥିତି, ପ୍ରକ୍ରିୟାକରଣ, ଆଳୁ ବିହନ ଉତ୍ପାଦନ, ଜୈବ ପ୍ରଯୁକ୍ତି, ପ୍ରଯୁକ୍ତି ହସ୍ତାନ୍ତରରେ ସରକାରୀ-ଘରୋଇ ଭାଗିଦାରୀ ତଥା କୃଷକଙ୍କ ସମ୍ବନ୍ଧୀୟ ଉତ୍ପାଦକୁ ପ୍ରଦର୍ଶିତ କରାଯିବ ।
ଆଳୁ କୃଷି ଦିନର ଆୟୋଜନ ୩୧ ଜାନୁଆରୀ, ୨୦୨୦ରେ ଆୟୋଜନ କରାଯିବ । ଏଥିରେ ଆଳୁଚାଷରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ, ଆଳୁ କିସମ ଓ ନବୀନତମ ଜ୍ଞାନକୌଶଳ ପ୍ରଦର୍ଶନ ସାମିଲ ରହିଛି ।
ଆଳୁ ଚାରାରୋପଣ ସାମଗ୍ରୀ, ଯୋଗାଣ ଶୃଙ୍ଖଳାରେ ଅଭାବ, ଫସଲ ଅମଳଜନିତ କ୍ଷତି, ପ୍ରକ୍ରିୟାକରଣକୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା, ରପ୍ତାନି ଓ ବିବିଧ ଉପଯୋଗ ତଥା ଆବଶ୍ୟକ ନୀତିଗତ ସହାୟତା-ଅର୍ଥାତ ଦୂରସ୍ଥାନକୁ ପରିବହନ ଏବଂ ରପ୍ତାନି ପ୍ରୋତ୍ସାହନ ଲାଗି ଉତ୍ପାଦନ ଓ ପ୍ରମାଣିକ ବିହନର ପ୍ରୟୋଗ ଆଦି ପ୍ରମୁଖ ପ୍ରସଙ୍ଗରେ ଆଲୋଚନା କରାଯିବ ।



