
ଖଲ୍ଲିକୋଟ,୨/୧୨(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବାଦପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମାଧ୍ୟମରେ ଦିନିକିଆ ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ ମାନଙ୍କ ମାନଦଣ୍ଡ ସୁଦୃଢ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରିବା ସହ ବିଭିନ୍ନ ସବସିଡି ଦେଇ ଚାଷୀ ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ଓ ଚାଷ କରିବାର ବିଭିନ୍ନ ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେଇ ସହାୟକ ହେଉଛନ୍ତି। ବାଦପଲ୍ଲୀ ପଞ୍ଚାୟତରେ ତିନୋଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟ ରହିଛି। ତେଣୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉନ୍ନତ କିସମର ଅମୃତଭଣ୍ଡା,ସଜନା,ଲେମ୍ବୁ, କାଜୁ ଗଛ ଚାରା ଯୋଗାଇ ଦେବା ବ୍ୟବସ୍ଥା କରାଯାଇଛି। ବର୍ତ୍ତିମାନ ରାଜ୍ୟରେ ଥିବା ଆଳୁ ସଂକଟ ଦୂର କରିବା ପାଇଁ ଆଳୁ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି। ବିଭାଗ ପକ୍ଷରୁ ୧୪ ହେକ୍ଟର ଜମିରେ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଗୋଷ୍ଠୀ କୃଷକ ଉପଦେଷ୍ଟା ମଣ୍ଡଳୀ ଅଧ୍ୟକ୍ଷ ଦାମୋଦର ମହାପାତ୍ର, ଛତ୍ରପୁର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ପ୍ରତାପ କୁମାର ପଣ୍ଡା, ଖଲ୍ଲିକୋଟ ଗୋଷ୍ଠୀ କୃଷି ଅଧିକାରୀ ଦୀପକ କୁମାର ନାୟକ, ଖଲ୍ଲିକୋଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବେହେରା,ହିଞ୍ଜିଳିକାଟୁ ବ୍ଳକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅଶୋକ ପାଇକରାୟ, ଛତ୍ରପୁର ବ୍ଳକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସନ୍ଦୀପ କୁମାର ବଢେଇ, ବେଗୁନିଆପଡା ବ୍ଳକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭାଶିଷ ପାତ୍ର, କବିସୂର୍ଯ୍ୟନଗର ବ୍ଳକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୁଜ୍ଞାନୀ କୁମାରୀ ସେଠୀ, ସମାଜ ସେବୀ ଅରୁଣ କୁମାର ଖୁଣ୍ଟିଆ
ବାଦପଲ୍ଲୀ ସରପଞ୍ଚ ନିର୍ମଳା ଶବର ,ସମିତି ସଭ୍ୟା ମିନତୀ ଜାନୀ ପ୍ରମୁଖ ଅତିଥୀ ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଆଖପାଖ ପଞ୍ଚାୟତର ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସମେତ ବହୁ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ରହି ପ୍ରଶିକ୍ଷଣରେ ଅଂଶ ଗ୍ରହଣ କରିଥିଲେ। ଚାଷୀ ମାନଙ୍କୁ ବିଧାୟକ ଚାରା ବଣ୍ଟନ କରିଥିଲେ।






