Monday, October 12, 2026
Home ଆଞ୍ଚଳିକ ସାନଖେମୁଣ୍ଡି ତହସିଲର ଘନଉଛି ବେ- ବନ୍ଦୋବସ୍ତ ସମସ୍ୟା

ସାନଖେମୁଣ୍ଡି ତହସିଲର ଘନଉଛି ବେ- ବନ୍ଦୋବସ୍ତ ସମସ୍ୟା

25

ସାନଖେମୁଣ୍ଡି (ଜିଲ୍ଲା ଖବର) : ରାଜସ୍ୱ ବିଭାଗର ସଂସ୍କାର ପାଇଁ ସରକାର ବହୁ ଉପଯୋଗୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ୧୯୮୫ ମସିହା ପରଠାରୁ ସାନଖେମୁଣ୍ଡି ତହସିଲର ବହୁ ମୌଜାର ଭୁ-ବନ୍ଦୋବସ୍ତ ନହୋଇ ବେ- ବନ୍ଦୋବସ୍ତ ହିସାବରେ ରହିଥିବାରୁ ଏହାର ପାର୍ଶ୍ଵ ପ୍ରତିକ୍ରିୟା ସାଧାରଣ ଜମିମାଲିକ ତଥା କୃଷକଙ୍କ ନିତିଦିନିଆ ଜୀବିକରେ ବାଧା ସୃଷ୍ଟି କରୁଥିବା ଜଣାଯାଇଅଛି। ପରାଧିନ ଭୁ-ବନ୍ଦୋବସ୍ତ ଆଇନ ଏହି ମୌଜା ଗୁଡିକରେ ଅଦ୍ୟାବଧି ଚାଲୁ ରହିଥିବା ହେତୁ ନିମିତ୍ତ ବାସଗୃହ ତଥା କୃଷି ଜମିର କୌଣସି ବୈଧ ଜମି ପଟ୍ଟା ନାହିଁ। ପ୍ରତିବର୍ଷ ରାଜସ୍ୱ ବିଭାଗ ପକ୍ଷରୁ ଜଳକର ଓ ରାଜସ୍ୱ ଖଜଣା ଆଦାୟ ହେଉଥିଲେ ମଧ୍ୟ ପଟ୍ଟା ନଥିବା ଯୋଗୁଁ ଦରକାର ବେଳେ ଶାଗମାଛ ଦରରେ କବଲା ମାଧ୍ୟମରେ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ଜମିକୁ ବନ୍ଧକ ରଖିବାକୁ କୌଣସି ବ୍ୟାଙ୍କ ରାଜି ନ ହେବାରୁ କୃଷି ଋଣ କିମ୍ଭା ଆବଶ୍ୟକୀୟ ଋଣ ପାଇଁ ଜମିର ଯୋଗ୍ୟତା ରହୁନାହିଁ। ଏହି ତଥ୍ୟ ଓ ଆବଶ୍ୟକତାକୁ ନେଇ ଆଜି ଅବିଭକ୍ତ କଙ୍କରୋଡା ପଞ୍ଚାୟତର କଉଡ଼ିଆ, କରାଖଣ୍ଡି, ଗମ୍ଭାରୀଗୁଡା, ବଉଳଘାଇ, କଙ୍କରୋଡା ଆଦି ଗ୍ରାମର ବହୁ ଜମି ମାଲିକ ତଥା କୃଷକ ଆଞ୍ଚଳିକ ବିକାଶ ପରିଷଦ ନାମକ ସଂଗଠନ ମାଧ୍ୟମରେ ଗଂଜାମ ଜିଲ୍ଲାପାଳଙ୍କୁ ଫେରାଦ କରିଥିବା ଜଣାଯାଇଅଛି। ଆଜି ଅପରାନ୍ହରେ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଶ୍ରୀ ଅମିତ କୁମାର ନାୟକ ଏ ବିଷୟରେ ଅବଗତ କରିଥିବା ସହ ତହସିଲ କାର୍ଯ୍ୟାଳୟ ଜରିଆରେ ଜିଲ୍ଲାପାଳଙ୍କୁ ଏଥିନେଇ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି। ତହସିଲଦାର ଶ୍ରୀ ଅମିତ କୁମାର ନାୟକ ଆଞ୍ଚଳିକ ପରିଷଦର ସଭାପତି ଶ୍ରୀ ତ୍ରିନାଥ ମହାନ୍ତି, ରଘୁନାଥ ପ୍ରଧାନ, ସୀମାଞ୍ଚଳ ବିଷୋୟୀ, ପ୍ରତାପ ଚନ୍ଦ୍ର ପ୍ରଧାନ, କେ ପାଣ୍ଡୁ, ନରସିଂହ ବେହେରା , ରୋହିତ ପ୍ରଧାନ, ଜୟସେନ ପ୍ରଧାନ,ରମେଶ ଚନ୍ଦ୍ର ସେଠୀଙ୍କ ସହ ମିଳିତ ଆଲୋଚନା କରି ସ୍ମାରକପତ୍ର ଗ୍ରହଣ କରିବା ସହିତ ଜିଲାପାଳଙ୍କ ଅବଗତ ସମ୍ପର୍କରେ ପ୍ରୟାସ ଜାରି ରହିଛି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।