
ଧରାକୋଟ,29/9 : ଧରାକୋଟ ବ୍ଲକର ଜଗମୋହନ ପଞ୍ଚାୟତ ଅନ୍ତର୍ଗତ ଜଗମୋହନ ତିନି ଛକ ଠାରୁ ସତୀମଠ ଦେଇ ଋଷିକୂଲ୍ୟା ନଦୀ କୂଳ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ପାର୍ଶ୍ଵରେ ଏକ କୁକୁଡ଼ା ଫାର୍ମ ର କୁକୁଡ଼ା ମଳ ଜମହୋଇ ରହିଥିବା ଯୋଗୁଁ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେବାସହ ଯାତାୟାତ ରେ ବାଧା ଉପୂଜୁଛି । ଧରାକୋଟ ଗଡର ଐତିହ୍ୟ ଓ କିମ୍ବଦନ୍ତୀ କୁ ବହନ କରୁଥିବା ସତୀମଠ କୁ ଏହି ରାସ୍ତା ଦେଇ ଯିବାକୁ ପଡ଼ୁଥିବା ବେଳେ ଋଷିକୁଲ୍ୟା ନଦୀ ର ଉତ୍ତର ବାଙ୍କ କୁ ମଧ୍ୟ ଯିବାପାଇଁ ଏହା ଏକ ମାତ୍ର ରାସ୍ତା । ଏଣୁ ଶବ ଦାହ ଠାରୁ ଦେବନୀତି ଓ ହୋମଯଜ୍ଞ ପାଇଁ ଏହି ରାସ୍ତାଦେଇ ଯିବାକୁ ପଡୁଛି। ଅନ୍ୟ ପକ୍ଷରେ ନଦୀ ପାର ହୋଇ ଲୋକେ ଏହି ରାସ୍ତାରେ ଜଗମୋହନ, ଝାଡବନ୍ଧ, ଝରପାରି, ଝଗଡେଇ,ମଙ୍ଗଳପୁର ପଞ୍ଚାୟତ ର ବିଭିନ୍ନ ଗାଁକୁ ଲୋକେ ଯିବା ଆସିବା କରନ୍ତି । ଏଣୁ ଏହା ଏକ ଗୁରୁତ୍ଵ ବହନ କରୁଥିବା ରାସ୍ତା । ହେଲେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ରାସ୍ତା ପାର୍ଶ୍ବରେ ରହିଥିବା ବ୍ରଏଲାର କୁକୁଡ଼ା ଫାର୍ମ ରୁ ପ୍ରତିଦିନ ବାହାରୁଥିବା କୁକୁଡ଼ା ମଳ ରାସ୍ତା ପାର୍ଶ୍ବରେ ଜମା କରାଯାଉଥିବା ଯୋଗୁଁ ବର୍ଷା ହେଲେ ପୂତିଗନ୍ଧ ମୟ ପରିବେଶ ସୃଷ୍ଟି ହେବାସହ ମଳ ପାଣି ରାସ୍ତାରେ ଭାସୁଛି । ଏଣୁ ଗାଁ ଗଣ୍ଡା ଯିବା ଓ ଧର୍ମ କାର୍ଯ୍ୟ ରେ ପାଣି ସଂଗ୍ରହ ପାଇଁ ଅସୁବିଧା ସୃଷ୍ଟି ହେଉଛି । ଯାହା ଫଳରେ ଧାର୍ମିକ ଭାବନାରେ ଆଘାତ ଲାଗୁଛି । ଏପରିକି ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହେଉଛି । ଏଣୁ ପ୍ରଶାସନ ତରଫରୁ ଏହି ଦିଗରେ ପଦକ୍ଷେପ ନେବାକୁ ଲୋକେ ଦାବୀ କରିଛନ୍ତି।



