ଧରାକୋଟ ଭିତରେ ସରକାରୀ ,ବେସରକାରୀ ବସ ଚଳାଚଳ ପାଇଁ ଦାବୀ

3

ଧରାକୋଟ,30/8 : ଧରାକୋଟ ଭିତରକୁ ସରକାରୀ ଓ ବେସରକାରୀ ବସ ଆସୁନାହିଁ । ଯାହା ଫଳରେ ଏଠାରୁ ବ୍ରହ୍ମପୁର,ଆସିକା,ହିଞ୍ଜିଳି,ଭଞ୍ଜନଗର,ସୋରଡ଼ା,ଦିଗପହଣ୍ଡି ଆଦି ଅଞ୍ଚଳକୁ ଯିବା ପାଇଁ ଯାତ୍ରୀ ମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରି ସ୍ଥଳରେ ଲକ୍ଷ୍ମୀ ବସ ଲୋକଙ୍କ ଭରସା ପାଲଟିବା ସହ ବେଶ ପ୍ରଶଂସା ସାଉଁଟି ଚାଲିଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା ସରକାରଙ୍କ ପକ୍ଷରୁ ବ୍ରହ୍ମପୁର ଠାରୁ ବାଲିଗୁଡା ଯାଉଥିବା ରାଜ୍ୟ ପରିବହନ ନିଗମ ର ବସ ଧରାକୋଟ ଭିତରକୁ ନଆସି ବାଇପାସ ଦେଇ ଚାଲି ଯାଉଥିବା ଯୋଗୁଁ ଧରାକୋଟ ରୁ ବାଲିଗୁଡା ଯିବାପାଇଁ ଯାତ୍ରୀ ମାନଙ୍କୁ ନିଜ ନିଜ ର ଲଗେଜ ସହ ଛୁଆ ପିଲାଙ୍କୁ ଧରି ଦୁଇ କିମି ଦୂର ହନୁମାନ ଦ୍ଵାର ଛକକୁ ଚାଲି ଚାଲି ଯିବାକୁ ପଡୁଛି । ଅନ୍ୟ ପକ୍ଷରେ ବ୍ରହ୍ମପୁର ଠାରୁ ସୋରଡ଼ା ରୁଟ ରେ ଚାଲୁଥିବା ପ୍ରାୟ 30 ଗୋଟି ବସ ମଧ୍ୟରୁ ହାତଗଣତି 4/5 ଗୋଟି ବସକୁ ବାଦ ଦେଲେ ଅନ୍ୟ ସବୁ ବସ ଧରାକୋଟ ଭିତରକୁ ନଆସି ବାଇପାସ ଦେଇ ଯିବା ଆସିବା କରୁଛନ୍ତି। ଏଣୁ ଧରାକୋଟ ରୁ ବ୍ରହ୍ମପୁର,ସୋରଡ଼ା,ଆସିକା ଯିବାପାଇଁ ଯାତ୍ରୀ ମାନଙ୍କୁ ଦୁଇ କିମି ଦୂରରେ ଥିବା ହନୁମାନ ଦ୍ଵାର ଛକକୁ ଯିବାକୁ ପଡୁଛି। ଆଶ୍ଚର୍ଯ୍ୟର କଥା ଧରାକୋଟ ରେ ବ୍ଲକ,ତହସିଲ,ଥାନା,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ଅନୁ ନିବନ୍ଧକ କାର୍ଯ୍ୟଳୟ,ସରକାରୀ ଡିଗ୍ରୀ କଲେଜ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ରାଷ୍ଟ୍ରାୟତ ବ୍ୟାଙ୍କ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟଳୟ,ପ୍ରାଣୀ ଚିକିତ୍ସାଳୟ, କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟଳୟ,ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟ ଭଳି ବହୁ ସରକାରୀ କାର୍ଯ୍ୟାଳୟ ରହିଛି । ଏଣୁ ସାଧାରଣ ଲୋକଙ୍କ ସହ ସରକାରୀ କର୍ମଚାରୀ ମାନେ ଏଠାକୁ ଆସିବାକୁ ବସ ସେବା ଉପରେ ନିର୍ଭର କରୁଛନ୍ତି । ଏପରି ପରିସ୍ଥିତିରେ ସରକାରଙ୍କ ପରିବହନ ନିଗମ ର ବସ ଓ ଘରୋଇ ବସ ଗୁଡ଼ିକ ଯାତ୍ରୀ ପରିବହନ ସେବାକୁ ଗୁରୁତ୍ଵ ନଦେଇ ମନଇଚ୍ଛା ନିଜ ସୁବିଧା ଅନୁଯାୟୀ ବାଇପାସ ଦେଇ ଚଳାଚଳ କରୁଛନ୍ତି । ଏପରି ପରିସ୍ଥିତିରେ ଗାଁ ଗହଳ ସହ ପଞ୍ଚାୟତ ସଦରମହକୁମା ରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସୁଥିବା ଲକ୍ଷ୍ମୀ ବସ ସେବା ଲୋକଙ୍କ ପାଇଁ ଭରଷା ପାଲଟିବା ସହ ବେଶ ପ୍ରଶଂସା ସାଉଁଟି ଚାଲିଛି । ଏଣୁ ରାଜ୍ୟ ପରିବହନ ମନ୍ତ୍ରୀ ଧରାକୋଟ ର ବସ ଚଳାଚଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବାକୁ ଲୋକେ ଦାବୀ କରିଛନ୍ତି।