Sunday, October 11, 2026
Home ଆଞ୍ଚଳିକ ଆସିକା ବିଧାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଏବଂ ବିଶ୍ବ ବ୍ୟାଙ୍କ ପ୍ରକଳ୍ପ ଶୈକ୍ଷିକ ଭବନ ଉଦଘାଟନ

ଆସିକା ବିଧାୟକଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଏବଂ ବିଶ୍ବ ବ୍ୟାଙ୍କ ପ୍ରକଳ୍ପ ଶୈକ୍ଷିକ ଭବନ ଉଦଘାଟନ

39

ଆସିକା,୧୬/୮(ଜିଲ୍ଲା ଖବର) : ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଆନୁଷ୍ଠାନିକ ରୂପେ ନବ ନିର୍ବାଚିତ ଆସିକା ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। କଲେଜ ଗେଟ୍ ନିକଟରୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚ଼ାରୀ, ରେଡକ୍ରସ୍, ଏନ୍ଏସ୍ଏସ୍, ସ୍କାଉଟ୍ ରୋଭର୍ସର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଗାର୍ଡଅଫ୍ଅନର ପ୍ରଦାନ କରାଯାଇଥିଲା। ଏତଦ୍ ବ୍ୟତୀତ ଇ- ଲାଇବ୍ରେରୀ, ପ୍ରୟୋଗଶାଳା ଏବଂ ବିଦ୍ୟାର୍ଥୀଙ୍କ ପଠନୀୟ କୋଠରୀ ପାଇଁ ବିଶ୍ବ ବ୍ୟାଙ୍କ ଦ୍ବାରା ନବ ନିର୍ମାଣ ବ୍ୟୟ ଅଟକଳ ୩ କୋଟି ୧୨ ଲକ୍ଷରେ ତିନି କୋଠା ବିଶିଷ୍ଠ ଶୈକ୍ଷିକ ଭବନକୁ ବିଧାୟକ ଉଦ୍ଘାଟନ କରିଥିଲେ। ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦ୍ବାରା ମୁଖ୍ୟଅତିଥି ବିଧାୟକ ଶ୍ରୀ ପାଢ଼ୀଙ୍କୁ ମଞ୍ଚାସୀନ କରାଯାଇଥିଲା। ସ୍ବତନ୍ତ୍ରରୂପେ ବିଧାୟକଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ମଧ୍ୟ ପରିବେଷଣ କରାଯାଇଥିଲା। ଆସିକା ବିଜ୍ଞାନ ମହାବିଦ୍ୟାଳୟରେ କିପରି ବିଧାୟକ ଶ୍ରୀ ପାଢ଼ୀ ନିଜ ଛାତ୍ରାବାସ ଜୀବନର ଦୀର୍ଘ ପାଞ୍ଚ ବର୍ଷ ଅବଧିର ସ୍ମୃତିକୁ ସାଉଁଟି ଭାବ ବିଭୋର ହୋଇ ଉଠିଥିଲେ ଏବଂ ନିଜକୁ ଧନ୍ୟ ମନେ କରିଥିଲେ। ମହାବିଦ୍ୟାଳୟର ଶୈକ୍ଷିକ ଏବଂ କ୍ରୀଡ଼ା କ୍ଷେତ୍ରର ଆନୁସାଙ୍ଗିକ ଉନ୍ନତିରେ ନିଜକୁ ସାମିଲ କରିବା ପାଇଁ ବଦ୍ଧପରିକର ହୋଇଥିଲେ। ବିଧାୟକ ମାଆ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ ମଧ୍ୟ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସୁନ୍ଦର ସ୍ବପ୍ନର ଏକାନ୍ତ ଆବଶ୍ୟକ ବୋଲି ଆହ୍ବାନ ଦେଇଥିଲେ। କଲେଜ ଅଧ୍ୟକ୍ଷ ବିଧାୟକଙ୍କୁ ପଚ଼ାଶ ଛାତ୍ର ଆବାସିକ ବିଶିଷ୍ଠ କୋଠରୀ, ଛାତ୍ରାବାସକୁ ନୂତନରୂପେ ରୂପାନ୍ତରଣ, କ୍ରୀଡ଼ାଙ୍ଗନାରେ ପାଚ଼େରୀ, ଗ୍ୟାଲେରୀ ଏବଂ ସ୍ପୋର୍ଟ୍ସରୁମ ନିର୍ମାଣ ପାଇଁ ନିବେଦନ ରଖିଥିଲେ ଏବଂ ବିଧାୟକ ମଧ୍ୟ ଯତ୍ପରନାସ୍ତି ସହଯୋଗ କରିବା ପାଇଁ ପ୍ରତିସୃତି ଦେଇଥିଲେ। ସ୍ବାଗତ ସମ୍ବର୍ଦ୍ଧନା ସଭାରେ ବିଧାୟକଙ୍କ ସହ କଲେଜ ଅଧ୍ୟକ୍ଷ ଏବଂ ପ୍ରଶାସନିକ ଅଧିକାରୀ ଡ. ଶଙ୍କର ପ୍ରସାଦ ଅଧିକାରୀ, ସହ ପ୍ରଶାସନିକ ଅଧିକାରୀ ଡ. ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ସଭା ସଂଯୋଜିକା ଡ. ସସ୍ମିତା ପାତ୍ର ମଞ୍ଚାସୀନ ଥିଲେ। ସମ୍ବର୍ଦ୍ଧନା ସଭା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀଙ୍କ ସହଯୋଗରେ ସଫଳ ରୂପାୟନ ହୋଇପାରିଥିଲା। ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ସଭାରେ ଉପସ୍ଥିତ ଥିଲେ। ପରିଶେଷରେ ଡ. ଏ.କେ.ପି. ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।